ଆରପାରିରେ ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର

ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ନିର୍ଦେଶକ, ସଙ୍ଗୀତକାର ଓ ସିନେମାଟୋଗ୍ରାଫର୍ ରାଜୁ ମିଶ୍ରଙ୍କର ଆଜି ଜଟଣୀସ୍ଥିତ ବାସଭବନରେ ପରଲୋକ ହୋଇଛି।  ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଆଜି ପୁର୍ବାହ୍ଣରେ ବ୍ୟାଙ୍କରୁ ଫେରି ଘରେ ବିଶ୍ରାମ ନେଉଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ହଦୃଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି।

ଓଲିଉଡର ଜଣେ ଅଲ୍‌ରାଉଣ୍ଡର ଥିଲେ ରାଜୁ ମିଶ୍ର। ସେ ଏକାଧାରରେ ଜଣେ ନିର୍ଦେଶକ, ଅଭିନେତା, ସିନେମାଟୋଗ୍ରାଫର୍, ଚିତ୍ରନାଟ୍ୟକାର, ସଂଳାପ ଲେଖକ, କାହାଣୀକାରଏବଂ ସଙ୍ଗୀତକାର ଥିଲେ। ଯଦିଓ ରାଜୁ ମିଶ୍ର ନାମରେ ସେ ଦର୍ଶକ ଓ ସିନେ-ପରିସରରେ ପରିଚିତ ଥିଲେ କିନ୍ତୁ ତାଙ୍କର ପ୍ରକୃତ ନାମ ରାଜଗୋପାଳ ମିଶ୍ର।

ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରୁ ସିନେମାଟୋଗ୍ରାଫିରେ ଡିପ୍ଲୋାମା ହାସଲ କରିବା ପରେ ରାଜୁ ମିଶ୍ର ସିନେ ଜଗତରେ ପ୍ରବେଶ କରିଥିଲେ। ସେ ପ୍ରଥମେ ସଙ୍ଗୀତକାର ଓ ସିନେମାଟୋଗ୍ରାଫର୍ ଭାବେ କାର୍ଯ୍ୟ କରିଥିଲେ। ହେଲେ ପରେ ସେ ନିର୍ଦେଶନା କ୍ଷେତ୍ରକୁ ଆସିଥିଲେ। ତାଙ୍କ ନିର୍ଦେଶିତ ଚଳଚ୍ଚିତ୍ର ମଧ୍ୟରେ ରହିଛି ‘ଜୋର ଯାର ମୁଲକ ତାର’, ‘ପୁଅ ମୋର କଳାଠାକୁର’, ‘ଚକା ଆଖି ସବୁ ଦେଖୁଛି’, ‘ଆସୁଚି ମୋ କାଳିଆସୁନା’, ‘ପଥର ଖସୁଛି ବଡ଼ ଦେଉଳୁ’, ‘ସାଗର ଗଙ୍ଗା’, ‘ରୂପା ଗାଁର ସୁନାକନିଆଁ’, ‘ଲକ୍ଷ୍ମୀର ଅଭିସାର’, ‘ସିଂହବାହିନୀ’,‘ହରି ଭାଇ ହାରେନା’, ଏବଂ ‘ଜୀବନ ମୃତ୍ୟୁ’ । ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସାମଗ୍ରୀକ ଅବଦାନ ଲାଗି ତାଙ୍କୁ ରାଜ୍ୟ ସରକାର ଚଳଚ୍ଚିତ୍ର କ୍ଷେତ୍ରର ସର୍ବୋଚ୍ଚ ପୁରସ୍କାର  ‘ଜୟଦେବ ସମ୍ମାନ’ରେ ସମ୍ମାନିତ କରିଥିଲେ। ଏହା ବାଦ ନିଜର ଚଳଚ୍ଚିତ୍ରକୃତି ଲାଗି ସେ ଏକାଧିକ ବାର ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ଚିତ୍ରୋତ୍ତଳକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ହାସଲ କରିଛନ୍ତି।

ରାଜୁ ମିଶ୍ରଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।  ତାଙ୍କର ବିୟୋଗ ଚଳଚ୍ଚିତ୍ର ଶିଳ୍ପ ଲାଗି ଏକ ଅପୂରଣୀୟ କ୍ଷତି। ସେ କେବଳ ଜଣେ ସଫଳ ବ୍ୟକ୍ତି ନ ଥିଲେ ଜଣେ ଅନୁଷ୍ଠାନ ଥିଲେ। ତାଙ୍କର ପଥନିର୍ଦ୍ଦେଶରେ ବହୁ କଳାକାର, ନିର୍ଦ୍ଦେଶକ ସୃଷ୍ଟି ହୋଇଛନ୍ତି।

courtesy: sambad

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here