ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଆଇନଜୀବି ରୁଜୁ କଲେ ଧର୍ତ୍ତବ୍ୟ ଅପରାଧିକ ମାମଲା: ୨୮ରେ ହାଜର ପାଇଁ ତଲବ କଲେ ଜେଏମଏଫସି କୋର୍ଟ !

ଯାଜପୁର :ବିନା କୌଣସି ଟ୍ରାଫିକ ନିୟମ ଖିଲାଫ ସତ୍ତ୍ଵେ ଚଣ୍ଡିଖୋଲ ଅଞ୍ଚଳର ଜଣେ ଜଣାଶୁଣା ଆଇନଜୀବୀ ତଥା ବୁଦ୍ଧିଜୀବିଙ୍କ କାର ଉପରେ ମୋଟା ଅଙ୍କର ଚାଲାଣ କାଟିବାର ଡ଼ର ଦେଖାଇ ଦିନ ଦ୍ୱିପହରେ ତାଙ୍କୁ ଦଶହରା ଖର୍ଚ୍ଚ ପାଇଁ ଏକ ହଜାର ଟଙ୍କା ବଟି ମାଗିବା ଏବଂ ପ୍ରତିବାଦ କରିବାରୁ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ତାଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇବା ପାଇଁ ଚଞ୍ଚକତାପୂର୍ଣ୍ଣ ଆରୋପ ଲଗାଇ ଅନଲାଇନ୍ ଚାଲାଣ କରି ତାଙ୍କ ସାମାଜିକ ପତିଆରା ହାନି କରିବା ଘଟଣା ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀଙ୍କୁ ଏବେ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି । ଏଥିନେଇ ସମ୍ପୃକ୍ତ ଆଇନଜୀବି ଚଣ୍ଡିଖୋଲ ଜେଏମଏଫସି କୋର୍ଟରେ ଏକ ଅଭିଯୋଗ ଫର୍ଦ୍ଦ (ମାମଲା ସଂଖ୍ୟା ୨୪୭/୨୦୨୧) ଦାଖଲ କରିବା ପରେ ଅଭିଯୋଗକାରୀ ଓ ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ଜେଏମଏଫସି ସୌମ୍ୟରଞ୍ଜନ ପୃଷ୍ଟି ଟ୍ରାଫିକ ଆଇଆଇସି ହୃଦାନନ୍ଦ ବେହେରା ଏବଂ ତାଙ୍କ ଦୁଇ ସହଯୋଗୀ କନଷ୍ଟେବଳଙ୍କ ବିରୁଦ୍ଧରେ ଆଇପିସିର ଧର୍ତ୍ତବ୍ୟ ଅପରାଧ ଧାରା ୩୮୫/୨୯୪/ ୨୧୧/୪୧୮/୪୬୯/୩୪ରେ ଏକ ବିଚାରଯୋଗ୍ୟ ମାମଲା ଭାବେ ସଂଜ୍ଞାନକୁ ନେଇ ଆସନ୍ତା ୨୮ତାରିଖ ଦିନ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ଆଇଆଇସିଙ୍କୁ ସମନ୍ ଜାରି କରିଛନ୍ତି ।

ଅଭିଯୋଗକାରୀ ଆଇନଜୀବୀ ଉଦୟନାଥ ସାହୁଙ୍କ ଅଭିଯୋଗ ଅନୁଯାୟୀ ଗତ ଅକ୍ଟୋବର ମାସ ୧୨ତାରିଖ ଅପରାହ୍ନ ୨.୨୦ରେ ତାଙ୍କ କାରକୁ ଚଣ୍ଡିଖୋଲ ଟ୍ରାଫିକ ଛକ ନିକଟ ସର୍ଭିସ୍ ରୋଡ଼ ବାମ ପାର୍ଶ୍ୱରେ ପାର୍କିଂ କରି ନିକଟସ୍ଥ ଏକ ଦୋକାନକୁ ଯାଇଥିବା ସମୟରେ ଚଣ୍ଡିଖୋଲ ଟ୍ରାଫିକ ଥାନାର ଦୁଇ କନଷ୍ଟେବଳ ତାଙ୍କ ବିନା ଅନୁମତିରେ ସେହି କାରର ଆଗ ଓ ପଛର ଫଟୋ ଉଠାଇବା ଦେଖି ସେ ଓ ତାଙ୍କ ସହ ଥିବା ଚଣ୍ଡିଖୋଲ ନୋଟାରୀ ରମେଶ ଚନ୍ଦ୍ର ନାୟକ ସେଠାକୁ ଯାଇ ସେମାନଙ୍କୁ ଫଟୋ ଉଠାଇବାର କାରଣ ପଚାରିଥିଲେ । ଏଥିପାଇଁ ତାଙ୍କୁ ଟ୍ରାଫିକ ଆଇଆଇସି ନିର୍ଦ୍ଦେଶ ଦେଇଥିବା କହିବାରେ ଦୁହେଁ ସେଠାରେ ଛିଡ଼ା ହୋଇଥିବା ପୋଲିସ୍ ଭ୍ୟାନରେ ବସିଥିବା ଟ୍ରାଫିକ ଥାନାଧିକାରୀ ହୃଦାନନ୍ଦ ବେହେରାଙ୍କ ନିକଟକୁ ଯାଇ ନିଜ ପରିଚୟ ଦେଇ ବିନା କାରଣରେ ତାଙ୍କ କାରର ଫଟୋ ଉଠାଇବା ସମ୍ପର୍କରେ ପଚାରିଥିଲେ । ଏହାପରେ ଥାନାରେ ଦଶହରା ପୂଜା ହେବ, ତେଣୁ ସେମାନଙ୍କୁ ପୂଜା ଖର୍ଚ୍ଚ ପାଇଁ ହଜାରେ ଟଙ୍କା ଦେବାକୁ ଆଇଆଇସି ପରାମର୍ଶ ଦେବା ସହ ନ ଦେଲେ ସେ ଗାଡ଼ି ଉପରେ ପାଞ୍ଚ ହଜାର ଟଙ୍କାର ଚାଲାଣ କାଟି ଦିଆଯିବ ବୋଲି ଡ଼ର ଦେଖାଇଥିଲେ । ଜଣେ ଥାନାଧିକାରୀଙ୍କଠାରୁ ଖୋଲାଖୋଲି ଭାବରେ ଏଭଳି ବଟି ମାଗୁଥିବା ଘଟଣାରେ ଉଭୟେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଏହାର ପ୍ରତିବାଦ କରିବାରୁ ଶ୍ରୀ ବେହେରା ସେଥିରେ ଉତକ୍ଷିପ୍ତ ହୋଇ ଆଇନଜୀବି ଶ୍ରୀ ସାହୁଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହା ଦେଖି ପାଖରେ ଉପସ୍ଥିତ ଥିବା ନୋଟାରୀ ଶ୍ରୀ ନାୟକଙ୍କ ସମେତ ସ୍ଥାନୀୟ କିଛି ବ୍ୟବସାୟୀ ସମ୍ମିଳିତ ଭାବେ ଥାନାଧିକାରୀଙ୍କ ଏତାଦୃଶ ବ୍ୟବହାରର ଦୃଢ଼ ପ୍ରତିବାଦ କରିବା ପରେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କା କରି ଆଇଆଇସି ତାଙ୍କ ସହଯୋଗୀ କନଷ୍ଟେବଳଙ୍କୁ ଧରି ସେ ସନ୍ଧ୍ୟା ବେଳକୁ ଏହାର ପରିଣତି ଦେଖାଇ ଦେବେ ବୋଲି ଶ୍ରୀ ସାହୁଙ୍କୁ ଧମକ ଦେଇ ଗାଡ଼ିରେ ବସି ସେଠାରୁ ଥାନାକୁ ପଳାଇ ଯାଇଥିଲେ । ଏହାପରେ ଶ୍ରୀ ସାହୁ ସେଠାରୁ ସଙ୍ଗେ ସଙ୍ଗେ ଯାଜପୁର ଏସପି ରାହୁଲ୍ ପି ଆରଙ୍କୁ ଫୋନ୍ ଯୋଗେ ଟ୍ରାଫିକ ଆଇଆଇସିଙ୍କ ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିବା ପରେ ନିଜ କାର ନେଇ ଘରକୁ ଚାଲିଗଲେ । ସେଦିନ ସନ୍ଧ୍ୟାରେ ସେ ନିଜ ଘରେ ଥିବା ବେଳେ ସନ୍ଧ୍ୟା ୬.୫୬ ସମୟରେ ଚଣ୍ଡିଖୋଲ ଛକରେ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚାଳନା କରିବା ଓ କର୍ତ୍ତୃପକ୍ଷଙ୍କ ଆଦେଶର ଅବଜ୍ଞା କରିବା ନେଇ ତାଙ୍କ କାର ଉପରେ ୨ହଜାର ଟଙ୍କା ଜରିମାନା ଲାଗୁ କରାଯାଇଥିବା ନେଇ ବାହନ ପୋର୍ଟାଲରୁ ଫୋନରେ ଏକ ଏସଏମଏସ୍ ପାଇ ଆଶ୍ଚର୍ଯ୍ୟାନ୍ବିତ ହୋଇଥିଲେ । ପରଦିନ ଏଥିନେଇ ସେ ସ୍ଥାନୀୟ ପୋଲିସକୁ ଅବଗତ କରାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ପରେ ଶେଷରେ ଗତ ୧୦ ତାରିଖ ଦିନ ଶ୍ରୀ ସାହୁ ଚଣ୍ଡିଖୋଲ ଜେଏମଏଫସି କୋର୍ଟଙ୍କ ଇଜଲାସରେ ଏକ ଅଭିଯୋଗ ଫର୍ଦ୍ଦ ଦାଖଲ କରି କୋର୍ଟ ଆଗରେ ନିଜର ବୟାନ ସହ ପ୍ରତ୍ୟକ୍ଷଦର୍ଶୀ ନୋଟାରୀ ରମେଶ ଚନ୍ଦ୍ର ନାୟକ ମଧ୍ୟ ନିଜର ବୟାନ ପ୍ରଦାନ କରିଥିଲେ । ଏହାପରେ କୋର୍ଟ ଏଭଳି ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଚଣ୍ଡିଖୋଲ ଏକ ସହରାଞ୍ଚଳ ନୁହେଁ କି ଏଠାରେ କୌଣସି ନୋଟିଫାଏଡ୍ ନୋ ପାର୍କିଂ ଜୋନ୍ ନ ଥିବା ବେଳେ ଶ୍ରୀ ବେହେରା ଚଣ୍ଡିଖୋଲ ଟ୍ରାଫିକ ଥାନାରେ ଆଇଆଇସି ଭାବେ ଯୋଗ ଦେବା ପରେ ପ୍ରତ୍ୟହ ସେ ତାଙ୍କ ସହଯୋଗୀ କନଷ୍ଟେବଳଙ୍କ ଦ୍ବାରା ବଜାରର ସର୍ଭିସ୍ ରୋଡ଼ କଡ଼ରେ ପାର୍କିଂ ହେଉଥିବା ଚାରି ଚକିଆ ଯାନ ଗୁଡ଼ିକର ଫଟୋ ଉଠାଇ ସେହି ଗାଡ଼ିର ଚାଳକ ଓ ମାଲିକ ମାନଙ୍କଠାରୁ ବଟି ଦାବୀ କରିଥାନ୍ତି ଏବଂ ଯଦି କେହି ଏହାର ପ୍ରତିବାଦ କଲେ ବା ବଟି ନ ଦିଅନ୍ତି ପରବର୍ତ୍ତୀ ସମୟରେ ସେହି ଫଟୋକୁ ବ୍ୟବହାର କରି ବିନା କାରଣରେ ସେ ଗାଡ଼ି ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରି ଅନଲାଇନ୍ ମାଧ୍ୟମରେ ଚାଲାଣ କରି ଲୋକଙ୍କୁ ଅସୁବିଧାରେ ପକାଉଥିବ ନେଇ ଅଭିଯୋଗ ହୋଇ ଆସୁଛି । ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସରେ ଟ୍ରାଫିକ ଆଇଆଇସି ହୃଦାନନ୍ଦ ବେହେରାଙ୍କର ଡିଏସପି ଭାବେ ପଦୋନ୍ନତି ହୋଇଥିଲା ବେଳେ ଏବେ ଏହି ଧର୍ତ୍ତବ୍ୟ ମାମଲାଟି ତାଙ୍କୁ ନିଶ୍ଚିତ ଭାବେ ଅଡ଼ୁଆରେ ପକାଇବାର ସମ୍ଭାବନା ରହିଛି ।  ଆବେଦକାରୀଙ୍କ ପକ୍ଷରୁ ଆଇନଜୀବି ପ୍ରତାପ କୁମାର ଦାସ, କୈଳାସ ଚନ୍ଦ୍ର ସାମଲ ଓ ବିଜୟ ରାଉଳ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି ।

Report by: ତ୍ରିଲୋଚନ ବେହେରା, ଯାଜପୁର

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here