ଶ୍ରୀ ଜଗନ୍ନାଥ ସୋସାଇଟି, ଲଣ୍ଡନର ବାର୍ତ୍ତାପତ୍ର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ୱାରା ଉନ୍ମୋଚିତ

ଲଣ୍ଡନ/ ଭୁବନେଶ୍ୱର : ବିଶ୍ବରେ ଶ୍ରୀ ଜଗନ୍ନାଥ ସଂସ୍କୃତି, ଚେତନା ଓ ଦର୍ଶନ ବ୍ୟାପକ ଭାବରେ ପ୍ରସାରିତ ହେବାରେ ଲାଗିଛି । ଯୁକ୍ତରାଜ୍ୟ (ଲଣ୍ଡନ) ତଥା ୟୁରୋପ ମହାଦେଶର ସର୍ବପ୍ରଥମ ଜଗନ୍ନାଥ ମନ୍ଦିର ଲଣ୍ଡନଠାରେ ପ୍ରତିଷ୍ଠା ହେବାକୁ ଯାଉଛି ଏବଂ ବିଶ୍ୱର ଜଗନ୍ନାଥ ଭକ୍ତସମାଜର ସହଯୋଗରେ ହିଁ ଏହା ସମ୍ଭବ ହେବ ବୋଲି ଶ୍ରୀ ଜଗନ୍ନାଥ ସୋସାଇଟି ଲଣ୍ଡନର ବାର୍ତ୍ତାପତ୍ର ଉନ୍ମୋଚନ କରି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ଲଣ୍ଡନ ଠାରେ ୩୦ ଏକର ପରିମିତ ସ୍ଥାନରେ ନିର୍ମାଣ ହେବାକୁ ଥିବା ଏହି ଜଗନ୍ନାଥ ମନ୍ଦିର ଲଣ୍ଡନ ତଥା ୟୁରୋପର ଶ୍ରୀ ଜଗନ୍ନାଥ ସଂସ୍କୃତି, ଚେତନା ଓ ଦର୍ଶନର ଏକ ପ୍ରାଣକେନ୍ଦ୍ର ହୋଇ ପାରିବ ବୋଲି ମାଘ ପୂର୍ଣ୍ଣିମା ଶୁଭ ଅବସରରେ ବାର୍ତ୍ତା ପତ୍ର ଉନ୍ମୋଚନ କରି ଡ. ପାତ୍ର ଏହା କହିଛନ୍ତି ।

ଭର୍ଚୁଆଲ ମାଧ୍ୟମରେ ଶ୍ରୀ ଜଗନ୍ନାଥ ସୋସାଇଟି ଲଣ୍ଡନର ପ୍ରଥମ ବାର୍ତ୍ତାପତ୍ର ଉନ୍ମୋଚନ ଅବସରରେ ବିଶ୍ଵବ୍ୟାପୀ ସମ୍ମିଳିତ ଜଗନ୍ନାଥ ପ୍ରେମୀ ଓ ଲଣ୍ଡନ ଅଧିବାସୀ ମାନଙ୍କୁ ଉଦବୋଧିତ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଡ. ପାତ୍ର ପ୍ରତିଶ୍ରୁତି ଦେଇଥିଲେ । ଯୁକ୍ତରାଜ୍ୟ, ଆୟରଲାଣ୍ଡ, ପୂର୍ବପ୍ରାଚ୍ୟ ତଥା ଭାରତର ଅନେକ ଅଂଶରୁ ଯୋଗଦେଇ ଜଗନ୍ନାଥ ପ୍ରେମୀ ଭକ୍ତଗଣଙ୍କ ହରିବୋଲ, କରତାଳି ଧ୍ଵନି ସହିତ ଏହି ପ୍ରଥମ ବାର୍ତ୍ତାପତ୍ର ଉନ୍ମୋଚିତ ହୋଇଥିଲା ।

ଏହି ଅବସରରେ ଡ. ପାତ୍ର ଆହ୍ବାନ ଦେଇ କହିଥିଲେ ଯେ, ନିଜ ନିଜ କର୍ମ ସଂସ୍ଥାନରେ ବିଶ୍ବବ୍ୟାପୀ ଅବସ୍ଥାନ କରୁଥିବା ଓଡ଼ିଆ ମାନେ ଆମେ ଏକ ପରିବାର ଏବଂ ଆମର ଏକତା ଓ ସହଯୋଗ ବଳରେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରି ପାରିବା ।

ଶ୍ରୀ ଜଗନ୍ନାଥ ସୋସାଇଟି ଲଣ୍ଡନ ର ଅଧ୍ୟକ୍ଷ ପ୍ରତିଷ୍ଠିତ ଡାକ୍ତର ସହଦେଵ ସ୍ୱାଇଁ ଏହି ପ୍ରଥମ ବାର୍ତ୍ତାପତ୍ର ଉନ୍ମୋଚନ ଅବସରରେ ଉନ୍ମୋଚକ ବାଚସ୍ପତି ଡ. ପାତ୍ରଙ୍କୁ କୃତଜ୍ଞତା ପ୍ରକାଶ କରିବା ସହିତ ସମ୍ପୃକ୍ତ କର୍ମକର୍ତ୍ତା ମଣ୍ଡଳୀକୁ ଧନ୍ୟବାଦ ଜଣାଇଥିଲେ । ଲଣ୍ଡନରେ ପ୍ରତିଷ୍ଠା ହେବାକୁ ଥିବା ଏହି ଭବ୍ୟ ମନ୍ଦିର ୟୁରୋପରେ ଆଧ୍ୟାତ୍ମିକ, ସାମାଜିକ ଓ ଶୈକ୍ଷିକ ପ୍ରାଣକେନ୍ଦ୍ର ଭାବରେ ପରିଚିତ ହେବ ବୋଲି ଡାକ୍ତର ସ୍ୱାଇଁ ପ୍ରକାଶ କରିଥିଲେ ।

ଓଡ଼ିଶା ସରକାରଙ୍କ ବନ ବିଭାଗ ସହାୟତାରେ ଓଡ଼ିଶାରୁ ଚିହ୍ନିତ ପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସମସ୍ତ ଦିବ୍ୟ ଆଧ୍ୟାତ୍ମିକ ଲକ୍ଷଣଯୁକ୍ତ ନିମଦାରୁ ଗତ ୨୧.୦୨.୨୦୨୧ ବିଶେଷ ତାରିଖରେ ସମସ୍ତ ଶାସ୍ତ୍ରୀୟ ବିଧି ବିଧାନ ଅନୁଯାୟୀ ପୁରୀ ଦଇତାପତି ଙ୍କ ମାର୍ଗଦର୍ଶନ ଅନୁପାଳନ ପୂର୍ବକ ସଂଗ୍ରହ ହୋଇଯାଇଛି।

ବର୍ତ୍ତମାନ ଏହି ଦାରୁବ୍ରହ୍ମରେ ବିଶିଷ୍ଟ ସ୍ଥପତି ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ମାର୍ଗଦର୍ଶନ ରେ ଚତୁର୍ଦ୍ଧା ବିଗ୍ରହଙ୍କ ନିର୍ମାଣ ହେଉଛନ୍ତି । ଏହି ଭବ୍ୟ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୪ ମିଲିୟନ ପାଉଣ୍ଡ  ବ୍ୟୟ ଅଟକଳରେ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ ଏବଂ ଉତ୍ସର୍ଗୀକୃତ ଭାବେ ସେବା ମନୋବୃତ୍ତି ଓ ଈଶ୍ୱର ବିଶ୍ୱାସ ଆଧାରିତ ଉଦ୍ୟମ କେବେ ଲକ୍ଷ୍ୟ ଠାରୁ ଅପହଞ୍ଚ ରହିବ ନାହିଁ ବୋଲି ଡାକ୍ତର ସ୍ୱାଇଁ କହିଥିଲେ ।

ସୋସାଇଟିର ସମ୍ପାଦକ ଡ. ପ୍ରକାଶ ଦେ ଏହି ଉଦ୍ୟମର ଅୟମାରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ, ଅଗ୍ରଗତି ଓ ଭବିଷ୍ୟତ କାର୍ଯ୍ୟ ଖସଡ଼ା ସମ୍ପର୍କରେ ଅବଗତ କରାଇଥିଲେ । ଲଣ୍ଡନର ଉପକଣ୍ଠ ୩୦ ଏକର ଜମି ଚିହ୍ନଟ, ଅଧିଗ୍ରହଣ କାର୍ଯ୍ୟ ସମାପନ ହୋଇଛି । ଏହି ମନ୍ଦିର ପୁରୀ ଶ୍ରୀମନ୍ଦିର ଅବିକଳ ଢାଞ୍ଚା ଓ ଶୈଳୀରେ ନିର୍ମାଣ ହେବାକୁ ଲକ୍ଷ୍ୟ ରଖା ଯାଇଛି ବୋଲି ଡ. ଦେ କହିଥିଲେ ।

ଶ୍ରୀ ଜଗନ୍ନାଥ ସୋସାଇଟି ଲଣ୍ଡନର ଟ୍ରଷ୍ଟି, ଯୋଗାଯୋଗ ମୁଖ୍ୟ ତଥା ବାର୍ତ୍ତାପତ୍ରର ସମ୍ପାଦକ ଡ. ଚେତନ ଶତପଥୀ କହିଥିଲେ ଯେ, ଶ୍ରୀ ଜଗନ୍ନାଥ ସଂସ୍କୃତି ର ବାର୍ତ୍ତାବହ ଭାବରେ ଏହି ପତ୍ର ମୁଦ୍ରଣ ମାଧ୍ୟମ ସମେତ ୱେବସାଇଟ ଓ ଆନ୍ୟନ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ସମଗ୍ର ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ପାଇଁ ଉପଲବ୍ଧ ହେବ । ସହ ସମ୍ପାଦକ ଉମାକାନ୍ତ ରାଉତ, ପରିଚାଳନା ସମ୍ପାଦିକା ରୀନା ମେହେର ଆଗାମୀ ପୀଢ଼ି ଭକ୍ତଙ୍କପାଇଁ ଏହି ମନ୍ଦିର ଓ ବାର୍ତାପତ୍ର ସନ୍ଦେଶ ବାହକ ହୋଇପାରିବ ବୋଲି କହିଥିଲେ ।

ଅନ୍ୟତମ ଟ୍ରଷ୍ଟି ରଶ୍ମିକାନ୍ତ ନନ୍ଦ, ଭକ୍ତ ପଣ୍ଡା, ସୁକାନ୍ତ ସାହୁ, ଯୁବ ଉଦ୍ୟୋଗୀ ଡ. ମଳୟ ନାୟକ, ଡ. ଅଦ୍ୱୈତ ସିଂହ, ଶରଦ ଝା, ସୁଶାନ୍ତ ପଟନାୟକ ପ୍ରମୁଖ ଏହି ମନ୍ଦିର ଓ ବାର୍ତ୍ତାପତ୍ର ସମ୍ପର୍କରେ ନିଜ ନିଜ ମତ ପ୍ରକାଶ କରିଥିଲେ । ଶତାବ୍ଦୀ ଦାଶ ଲଣ୍ଡନରେ ଅବସ୍ଥାପିତା ମହିଳା ମାନଙ୍କ ଦ୍ଵାରା ପରିଚାଳିତ ସ୍ୱୟଂ ଶାସିତ ଅନୁଷ୍ଠାନ ଶ୍ରୀ ସୁଭଦ୍ରା ସୋସାଇଟି ସମ୍ପର୍କରେ ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମକୁ ଅର୍ଚ୍ଚନା ପ୍ରଧାନ ମାନସିଂହ ସୁଚାରୁ ପରିଚାଳନା କରିଥିବାବେଳେ ବିଜୟ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ କଣ୍ଠଶିଳ୍ପୀ ତପୁ ମିଶ୍ର, ଲଣ୍ଡନ ବାସିନ୍ଦା ମୌସୁମୀ ମିଶ୍ର, ସୁଚିନ୍ତିତା ପାଣିଗ୍ରାହୀ ସୁମଧୁର ଶ୍ରୀ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ଜଗନ୍ନାଥ ସୋସାଇଟି, ୟୁନାଇଟେଡ଼ କିଙ୍ଗଡମ ଲଣ୍ଡନ ଚାରିଟି କମିଶନଙ୍କ ଦ୍ୱାରା ଦାତବ୍ୟ ଅନୁଷ୍ଠାନ ଭାବରେ ପଞ୍ଜିକୃତ ହୋଇଛି । ଏହି ଅନୁଷ୍ଠାନକୁ ପ୍ରଦତ୍ତ ସମସ୍ତ ଦାନ, ଅନୁଦାନ କରମୁକ୍ତ ଅଟେ । ଅଧିକ ସୂଚନା www.jagannathtemple.org ରେ ଉପଲବ୍ଧ ଅଟେ ।

ସମ୍ବାଦ ସୌଜନ୍ୟ :

ମନୋଜ ମନ୍ମୟ

ବିଶ୍ବ ଓଡ଼ିଶା, ଭୁବନେଶ୍ୱର

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here