ମାଇକ୍ରୋ ପ୍ରୋଜେକ୍ଟ ପ୍ଲାନ ପାଇଁ ‘ସର୍ଭେ ଆପ୍‌’ ଶୁଭାରମ୍ଭ କଲେ ଜିଲ୍ଲାପାଳ :

ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ପ୍ରଶାସନ ମାଇକ୍ରୋ ପ୍ରୋଜେକ୍ଟ ପ୍ଲାନ ବା ଅଣୁ ପ୍ରକଳ୍ପ ଯୋଜନା ଆରମ୍ଭ କରିବାକୁ ଯାଉଛି। ତୃଣମୂଳ ସ୍ତରରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୋବାଇଲ ଆପ୍‌ ଜରିଆରେ ଏକ ସର୍ଭେ ହେବ। ଏହି ‘ବେସଲାଇନ୍‌ ସର୍ଭେ’ ଆପକୁ ସୋମବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି।
ଅଣୁ ପ୍ରକଳ୍ପ ଯୋଜନା ଏବଂ ଏହି ସର୍ଭେ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇଏସଡି ବୈଷୟିକ ସହାୟତା ଯୋଗାଇ ଦେଉଛି। ଓ୍ୱାଇଏସଡି ସହିତ ଆଉ ଦୁଇଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାରଦା ଏବଂ ନିୟତି ଫାଉଣ୍ଡେସନକୁ ସର୍ଭେ ଦାୟିତ୍ୱ ଦିଆଯାଇଛି।
ଖଣି ପ୍ରଭାବିତ ହେମଗିରି, କୋଇଡ଼ା, କୁତ୍ରା, ଲହୁଣିପଡ଼ା, କୁଆରମୁଣ୍ଡା ଏବଂ ରାଜଗାଙ୍ଗପୁର ବ୍ଲକରେ ଏହି ସର୍ଭେ କରାଯିବ। ୨୯ଟି ଗ୍ରାମ ପଞ୍ଚାୟତର ୧୮୫ଟି ଗ୍ରାମରେ ସର୍ଭେ ହେବ। ୪୦ ହଜାର ଲୋକଙ୍କୁ ଏଥିରେ ଯୋଡ଼ାଯିବ। ସ୍ୱେଚ୍ଛାସେବୀମାନେ ଘରକୁ ଘର ବୁଲି ମୋବାଇଲ ଆପ ଜରିଆରେ ଲୋକଙ୍କ ମତାମତ ସଂଗ୍ରହ କରିବେ। ୩ରୁ ୪ ମାସ ଧରି ଏହି ସର୍ଭେ ଚାଲିବ।
ଲୋକଙ୍କ ମତାମତକୁ ଆଧାର କରି ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଅଣୁ ପ୍ରକଳ୍ପ ଯୋଜନା ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଲାଗୁ କରିବାର ବ୍ୟବସ୍ଥା କରାଯିବ।
ହେମଗିରି ବ୍ଲକରେ ସର୍ଭେ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇଏସଡିକୁ ଦାୟିତ୍ୱ ଦିଆଯାଇଥିବା ବେଳେ କୁଆରମୁଣ୍ଡା, କୁତ୍ରା ଏବଂ ରାଜଗାଙ୍ଗପୁର ବ୍ଲକରେ ନିୟତି ଫାଉଣ୍ଡେସନ, କୋଇଡ଼ା ଓ ଲହୁଣିପଡ଼ା ବ୍ଲକରେ ସାରଦା ଅନୁଷ୍ଠାନ ସର୍ଭେ କରିବ। ଏହି ସର୍ଭେ ପାଇଁ ସଂପୃକ୍ତ ଅନୁଷ୍ଠାନ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀମାନଙ୍କୁ ନିୟୋଜିତ କରିଛନ୍ତି। ମୋବାଇଲ୍‌ ଆପରେ କିପରି ସର୍ଭେ କରାଯିବ ସେନେଇ ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି।
ପଞ୍ଚାୟତ ସ୍ତରରେ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଲାଗୁ କରିବା ସହ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା, ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରି ଲୋକଙ୍କ ହିତ ପାଇଁ ବ୍ୟବହାର କରିବା ହେଉଛି ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।
ଏହି ସର୍ଭେ ଆପର ଉଦଘାଟନ ବେଳେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ସଂସ୍କୃତି ଏବଂ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଅନିଲ କେରକେଟା, ଡିଏମଏଫର ସିଇଓ ଶ୍ରୀଯୁକ୍ତ ରସାଇ ଲାଗୁରୀ, ଡିଏମଏଫର ଟେକନିକାଲ ଅଫିସର ଶ୍ରୀଯୁକ୍ତ ସମୀର କୁମାର ପଟେଲ, ୱାଇଏସଡିର ସମ୍ପାଦକ ଶ୍ରୀଯୁକ୍ତ ବିଭୁ ପ୍ରସାଦ ସାହୁ, ୱାଇଏସଡିର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ଜୀବନ କୁମାର ଛଞ୍ଚାଣି ପ୍ରମୁଖ ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here