ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ

ସିଡ୍‌ନୀ : ଆଜିଠୁ ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚ। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି, ଯେଉଁଠାରେ ଦୁଇ ଦେଶ ମଧ୍ୟରେ ତିନୋଟି ସିରିଜ ଖେଳାଯିବ। କରୋନା ସଂକ୍ରମଣ ପରେ ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ୍‌ ଦଳ ଦ୍ବିପାକ୍ଷିକ ସିରିଜ୍ ଖେଳିବାକୁ ଯାଉଛି। ପୁଣି ପ୍ରଥମଥର କ୍ରିକେଟ୍‌ ମ୍ୟାଚ୍‌ରେ ଦର୍ଶକଙ୍କୁ ଦେଖିବାକୁ ମିଳିବ। ଷ୍ଟାଡିୟମ୍‌ର ଆସନ ସଂଖ୍ୟାର ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମ୍‌ ଆସିବେ ଏବଂ ପୂରା ସିରିଜ୍ ପାଇଁ ସମସ୍ତ ଟିକଟ ବିକ୍ରି ହୋଇସାରିଛି। 

ଏହି ମ୍ୟାଚ୍‌ ସହ ବିରାଟ କୋହଲିଙ୍କ ଦଳ ଅଷ୍ଟ୍ରେଲିଆରେ ଏହି ଦୀର୍ଘ ଗସ୍ତର ଶୁଭାରମ୍ଭ କରିବ। ବିଜୟ ସହ ଦିନିକିଆ ସିରିଜ୍ ଆରମ୍ଭ କରିବାକୁ ଉଭୟ ଦଳ ଚାହିଁବେ। ବ୍ୟାଟିଂ ସୁପରଷ୍ଟାର ରୋହିତ ଶର୍ମାଙ୍କ ବିନା ଭାରତ ଦିନିକିଆ ସିରିଜ୍ ଖେଳିବାକୁ ଯାଉଛି। ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ , ଶିଖର ଧାୱନଙ୍କ ସହ ଇନିଂସ ଓପନ କରିବେ।

ଅଧିନାୟକ କୋହଲିଙ୍କ ପରେ ମଧ୍ୟକ୍ରମରେ ଅନ୍ୟ ୩ ବ୍ୟାଟ୍‌ସମ୍ୟାନ୍ ହେଲେ ଶ୍ରେୟାସ ଆୟର, କେ.ଏଲ୍‌. ରାହୁଲ ଓ ହାର୍ଦିକ ପାଣ୍ଡ୍ୟା। ଚୂଡ଼ାନ୍ତ ଏକାଦଶ ବାଛିବା ଅଷ୍ଟ୍ରେଲିଆ ପାଇଁ ସେତେ କଷ୍ଟକର ନୁହେଁ। ଅଧିନାୟକ ଆରୋନ୍ ଫିଞ୍ଚ୍ ଓ ଡେଭିଡ୍‌ ୱାର୍ଣ୍ଣରଙ୍କ ପରେ ୩ନଂ ସ୍ଥାନରେ ଷ୍ଟିଭେନ୍ ସ୍ମିଥ୍ ଖେଳିବେ। ପରବର୍ତ୍ତୀ ୪ ବ୍ୟାଟ୍‌ସମ୍ୟାନ୍ ହେଲେ ମାର୍ନସ ଲାବୁସେନ୍, ମାର୍କସ ଷ୍ଟୋଇନିସ୍, ଆଲେକ୍ସ କ୍ୟାରି ଓ ଗ୍ଲେନ୍ ମ୍ୟାକ୍ସୱେଲ। ଆଇପିଏଲ୍‌ରେ ମ୍ୟାକ୍ସୱେଲଙ୍କ ବିଫଳତା ପରେ ମଧ୍ୟ ତାଙ୍କ ଉପରେ ଅଷ୍ଟ୍ରେଲିଆ ଭରସା ରଖିଛି। 

ଅଷ୍ଟ୍ରେଲିଆ ବୋଲିଂ ଲାଇନ୍‌ରେ ପ୍ୟାଟ୍‌ କମିନ୍‌ସ, ଜୋସ୍ ହାଜେଲ୍‌ଉଡ୍‌, ମିଚେଲ ଷ୍ଟାର୍କ ଓ ଆଡାମ୍ ଜାମ୍ପା ରହିବେ। ଷ୍ଟୋଇନିସ୍ ଓ ମ୍ୟାକ୍ସୱେଲ୍‌ ୫ମ ବୋଲର ଦାୟିତ୍ବ ନିର୍ବାହ କରିବେ। ଭାରତ ଏହି ସିରିଜ୍‌ରେ ୧୯୯୨ ବିଶ୍ବକପ୍‌ର ଗାଢ଼ ନୀଳ ଜର୍ସି ପିନ୍ଧି ଖେଳିବ। ଫର୍ମରେ ଥିବା ଶିଖର ଧାୱନ୍ ଓ କୋହଲିଙ୍କ ଉପରେ ଭାରତୀୟ ବ୍ୟାଟିଂ ଅଧିକ ନିର୍ଭର କରିବ। ସାମର୍ଥ୍ୟ ଦୃଷ୍ଟିରୁ ଉଭୟ ଦଳ ସମାନ ସ୍ଥିତିରେ ଅଛନ୍ତି। ତେବେ ନିଜମାଟିରେ ଖେଳୁଥିବାରୁ ଅଷ୍ଟ୍ରେଲିଆର ପଲ୍ଲା ସାମାନ୍ୟ ଭାରିରହିବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here