ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇଲେ ଲାଇସେନ୍ସ ବାତିଲ୍‌

ଭୁବନେଶ୍ୱର : ରାସ୍ତାରେ ଦୁର୍ଘଟଣା ରୋକିବା ପାଇଁ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇ ଧରାପଡ଼ିଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ବାତିଲ୍‌ ହେବ। ଏଥି ପାଇଁ ପୂର୍ବରୁ ଆଇନ୍‌ରେ ବ୍ୟବସ୍ଥା ରହିଛି। ଏହି ଆଇନ୍‌କୁ ଏବେ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତ ୧୭ ତାରିଖରେ ଏହି ପ୍ରସଙ୍ଗରେ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ପୁଲିସ୍‌ ଡିଜି ଓ ପରିବହନ କମିସନର୍‌ଙ୍କୁ ଚିଠି ଲେଖିଛନ୍ତି। ଏହା ସହ ୨୦୧୯ ମସିହା ଏବଂ ୨୦୨୦ ଜାନୁଆରିରୁ ଅକ୍ଟୋବର ମଧ୍ୟ‌ରେ ହେଲ୍‌ମେଟ୍‌ ଆଇନ୍‌ ଉଲ୍ଲଂଘନ କରିଥିବା ଅଭିଯୋଗରେ କେତେ ଜଣଙ୍କର ଡ୍ରାଇଭିଂ ଲାଇ‌େସନ୍ସ ବାତିଲ୍‌ ହୋଇଛି, ତାହାର ଜିଲାୱାରି ରିପୋର୍ଟ ଦେବାକୁ ସଚିବ କହିଛନ୍ତି।

ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇବା ଦ୍ବାରା କିପରି ଲୋକମାନେ ବିପଦରେ ପଡ଼ୁଛନ୍ତି ତାହାକୁ ତଥ୍ୟ ପ୍ରମାଣ ସହ ଶ୍ରୀ ପାଢ଼ୀ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ୨୦୧୯ରେ ରାଜ୍ୟରେ ୧୧,୦୬୪ଟି ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରୁ ୪,୬୮୮ଟି ଦୁର୍ଘଟଣାରେ ଦୁଇ ଚକିଆ ଯାନର ସଂପୃକ୍ତି ଥିଲା। ଦୁର୍ଘଟଣାର ଶିକାର ହୋଇଥିବା ମୋଟ ୫,୩୩୩ ଜଣଙ୍କ ମଧ୍ୟରୁ ୨,୩୯୮ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୨,୧୫୬ ଜଣ ହେଲ୍‌ମେଟ୍‌ ପିନ୍ଧି ନଥିଲେ। ହେଲ୍‌ମେଟ ପିନ୍ଧିଥିଲେ ଅନେକଙ୍କ ଜୀବନ ରକ୍ଷା ହୋଇ ପାରିଥା’ନ୍ତା। ଗତ ବର୍ଷ ବିନା ହେଲ୍‌ମେଟ୍‌ରେ ମୋଟର୍‌ ସାଇକେଲ୍‌ ଚଳାଇ ରାଜ୍ୟରେ ୮ଲକ୍ଷ ୫୦ ହଜାର ଲୋକ ଧରାପଡ଼ିଥିଲେ। ଆଇନ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ବିନା ହେଲ୍‌ମେଟ୍‌ରେ ମୋଟର୍‌ ସାଇକେଲ୍‌ ଚଳାଇଲେ ଏକ ହଜାର ଟଙ୍କା ଜରିମାନା ସହ ତିନି ମାସ ପାଇଁ ଡିଏଲ୍‌ ବାତିଲ୍‌ କରାଯିବ। ଗତ ୯ ତାରିଖରେ ବସିଥିବା ସୁପ୍ରିମକୋର୍ଟ କମିଟି ବୈଠକରେ କମିଟି ସଦସ୍ୟ ଏସ୍‌. ମିତ୍ର ଏହି ପ୍ରସଙ୍ଗକୁ ଉଠାଇବା ସହ ବାଇକ୍‌ ଚାଳନା ବେଳେ ହେଲ୍‌ମେଟ୍‌ ପିନ୍ଧିବା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଆଧାର କରି ପରିବହନ ବିଭାଗର ପ୍ରମୁଖ ସଚିବ ଚିଠି ଲେଖି ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବା ଲୋକଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ କହିଛନ୍ତି। ସରକାରଙ୍କ ଠାରୁ ଚିଠି ପାଇଲା ପରେ ଭୁବନେଶ୍ବରରେ କମିସନରେଟ୍‌ ପୁଲିସ୍‌ ହେଲ୍‌ମେଟ୍‌ ଚେକିଂକୁ କଡ଼ାକଡ଼ି କରିବା ଆରମ୍ଭ କରିଛି। ଆଜି ରାତିରେ ମଧ୍ୟ ବିଭିନ୍ନ ସ୍ଥାନରେ ପୁଲିସ୍‌ ଚେକିଂ ଜୋର୍‌ଦାର୍‌ ହୋଇଛି। ଆଇନ୍ ମାନୁ ନ ଥିବା ବହୁ ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here