ବଗଲା ଧର୍ମଶାଳା ଜମି ଅନିୟମିତତା ମାମଲା : ହାଇକୋର୍ଟରେ ସରକାରଙ୍କ ଜବାବ ଦାଖଲ, ୧୬ରେ ପରବର୍ତ୍ତୀ ଶୁଣାଣି

କଟକ : ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ଅନିୟମିତତା ପ୍ରସଂଗରେ ହାଇକୋର୍ଟରେ ସରକାର ଜବାବ ଦାଖଲ କରିଛନ୍ତି । ତେବେ ସରକାରଙ୍କ ଜବାବ ଉପରେ ଆବେଦନକାରୀ ପ୍ରତିଜବାବ ରଖିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ କରାଯାଇଛି । ଜଷ୍ଟିସ ଏସ୍‌‌.କେ. ମିଶ୍ର ଓ ଡକ୍ଟର ଜଷ୍ଟିସ୍‌ ବି.ଆର୍. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର ଓ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ସରକାର ଏହି ମାମଲା ଉପରେ ପ୍ରାଥମିକ ଜବାବ ରଖିଥିଲାବେଳେ ଆଜି ପୂର୍ଣ୍ଣାଙ୍ଗ ଜବାବ ଦାଖଲ କରିଛନ୍ତି ।

ବିବରଣୀରୁ ପ୍ରକାଶ, ବଗଲା ଧର୍ମଶାଳା‌ ଯେଉଁ ଜମି ଉପରେ ରହିଛି ତାହା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର । ସାବକ ରେକର୍ଡ ଅନୁସାରେ ଏହା ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସଂପତ୍ତି । ସରକାର ଏହି କଥା ସ୍ବୀକାର କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଉପ-ପ୍ରଶାସକ (ରାଜସ୍ବ) ନିକଟରେ ଜାରି କରିଥିବା ଏକ ଚିଠିରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି । ୧୯୯୦ ମସିହାରେ ହାଲ ରେକର୍ଡରେ ବେଆଇନ ଭାବେ ଏହି ଜମି ଲଜିଂ ହାଉସ ଫଣ୍ଡ କମିଟି ନାଁରେ କରାଯାଇଥିଲା । ୧୯୫୫ରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଆସିବା ପରେ ମହାପ୍ରଭୁଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତିର ପରିଚାଳନା ଦାୟିତ୍ବ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ହାତରେ ନ୍ୟସ୍ତ କରାଯାଇଥିଲା । କିନ୍ତୁ ମନ୍ଦିର ପରିଚାଳନା କମିଟିକୁ ସୁଯୋଗ ନ ଦେଇ ବେଆଇନ ଭାବେ ଲଜିଂ ହାଉସ ଫଣ୍ଡ ନାଁରେ ଜମିକୁ ରେକର୍ଡଭୁକ୍ତ କରାଯାଇଥିଲା ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ପରିଚାଳନା ଭାର କେବଳ ମନ୍ଦିର ପରିଚାଳନା କମିଟି ହାତରେ ରହିବା ନିୟମ ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନର ଧାରା ୫ ଓ ୩୩ର ଉଲ୍ଲଂଘନ କରି ଏହି ଜମି ଲଜିଂ ହାଉସ କମିଟି ନାଁରେ ରେକର୍ଡ କରିଥିଲେ । ରେକର୍ଡରେ ଭୁଲ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅମୃତମଣୋହି ସଂପତ୍ତି ରାଜ୍ୟ ସରକାରଙ୍କ ହାତକୁ ଟେକି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହି ସଂପତ୍ତିକୁ କେତେକଙ୍କ ଥଇଥାନ ପାଇଁ ବକ୍ରି ବା ହସ୍ତାନ୍ତର କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସଂପତ୍ତିକୁ ଅନ୍ୟମାନଙ୍କ ନାଁରେ ରେକର୍ଡ କରିବା ବା ବିକ୍ରି କରିବାର ଅଧିକାର ପୁରୀ ପୌରପାଳିକା କିମ୍ବା ରାଜ୍ୟ ନଗର ଉନ୍ନୟନ ବିଭାଗର ନାହିଁ । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପୁରୀ ଜିଲ୍ଲାପାଳ ହେଉଛନ୍ତି ଉପ-ପ୍ରଶାସକ। ତେଣୁ ଏହି ଜମି ପ୍ରସଂଗରେ ପ୍ରଦାନ କରାଯାଇଥିବା ଏନ୍‌ଓସି ପ୍ରସଂଗରେ ସେ ଅବଗତ ଥିଲେ । ପରିଚଳାନା କମିଟିର ସଦସ୍ୟ ଭାବେ ଠାକୁରଙ୍କ ସଂପତ୍ତିର ସୁରକ୍ଷା କରିବା ଜିଲ୍ଲାପାଳଙ୍କ କର୍ତ୍ତବ୍ୟ ହୋଇଥିବାବେଳେ ସେ ଏଥିରେ ଅବହେଳା କରିଥିଲେ । ବଗଲା ଧର୍ମଶାଳା ଜମି ଥଇଥାନ ଯୋଜନାରେ ଅନ୍ୟମାନଙ୍କୁ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା ବୋଲି ବିବରଣୀରେ ଦର୍ଶାଯାଇଛି ।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି ।

ସୌଜନ୍ୟ – ସମ୍ବାଦ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here