ଏଥର ଭକ୍ତ ଦେଖି ପାରିବେନି ନାଗାର୍ଜୁନ ବେଶ

ପୁରୀ : ଦୀର୍ଘ ୨୬ ବର୍ଷ ପରେ ପଡ଼ୁଥିବା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ନାଗାର୍ଜୁନ ବେଶ ଦର୍ଶନକୁ ବନ୍ଦ ରଖିଛି। ତେବେ ନୀତିକାନ୍ତିରେ କୌଣସି ପରିବର୍ତ୍ତନ କରାଯାଇନି। ଆସନ୍ତା ନଭେମ୍ବର ୨୭ ତାରିଖରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ପଡ଼ୁଥିବାବେଳେ ୨୬ ତାରିଖ ରାତି ୨ଟାରୁ ଏଥି ପାଇଁ ନୀତିକାନ୍ତି ଆରମ୍ଭ ହେବ।

ରାତି ୨ଟାରେ ଦ୍ବାରଫିଟା ନୀତି ଓ ଭୋର ୪ଟାରେ ନାଗାର୍ଜୁନ ବେଶ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। କାର୍ତ୍ତିକ ମାସ ଓ ନାଗାର୍ଜୁନ ବେଶର ନୀତିକାନ୍ତି ଚୂଡ଼ାନ୍ତ ପାଇଁ ଆଜି ଛତିଶାନିଯୋଗ ଓ ନୀତି ସବ୍‌କମିଟି ବୈଠକ ବସିଥିଲା। ଭର୍ଚୁଆଲ୍‌ ମିଡିଆରେ ଅନୁଷ୍ଠିତ ‌ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ପରିଚାଳନା କମିଟି ସଦସ୍ୟ ଓ ଭିତରଚ୍ଛଙ୍କ ସମେତ ବରିଷ୍ଠ ସେବାୟତମାନେ ଯୋଗ ଦେଇଥିଲେ। ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ଶେଷ କରିବା ଉପରେ ବିସ୍ତୃତ ଆଲୋଚନା ହେବା ପରେ ନୀତି ଚୂଡ଼ାନ୍ତ ହୋଇଛି।

ନିର୍ଘଣ୍ଟ ନୀତି ଅନୁଯାୟୀ ୨୬ ତାରିଖ ରାତି ୧୨ଟା ସୁଦ୍ଧା ପହୁଡ଼ ପରେ ପରଦିନର ନୀତିକାନ୍ତି ଆରମ୍ଭ ହେବ। ରାତି ୨ଟାରେ ଦ୍ବାରଫିଟା ନୀତି ପରେ ୨ଟା ୨୦ରେ ଭିତରଶୋଧ, ସା‌ଢ଼େ ୨ଟାରେ ମଙ୍ଗଳ ଆଳତୀ, ୩ଟାରେ ମଇଲମ, ସାଢ଼େ ୩ଟାରେ ତଡ଼ପଲାଗି, ୩ଟା ୫୦ରେ ଅବକାଶ ନୀତି ଅନୁଷ୍ଠିତ ହେବ। ଭୋର ୪ଟାରେ ମଇଲମ ଓ ନାଗାର୍ଜୁନ ବେଶ ଆରମ୍ଭ ହେବ। ସାଢ଼େ ୪ଟାରେ ରୋଷହୋମ, ୫ଟାରେ ସୂର୍ଯ୍ୟପୂଜା, ୫ଟା ୧୫ରେ ଦ୍ବାରପାଳ ପୂଜା ଅନୁଷ୍ଠିତ ହେବ। ସକାଳ ୭ଟାରେ ନାଗାର୍ଜୁନ ବେଶ ଶେଷ ପରେ ସକାଳ ୮ଟାରେ ଗୋପାଳବଲ୍ଲଭ ନୀତି ଅନୁଷ୍ଠିତ ହେବ। ପୂର୍ବାହ୍ଣ ସାଢ଼େ ୧୦ଟାରୁ ସକାଳ ଧୂପ ନୀତି ଆରମ୍ଭ ହେବ। ସାଢ଼େ ୧୦ଟାରେ ଭୋଗମଣ୍ଡପ ଉଠିବ।

ପୂର୍ବାହ୍ଣ ସାଢ଼େ ୧୧ଟାରେ ବାଳଧୂପ ଓ ଅପରାହ୍ଣ ସାଢ଼େ ଗୋଟାଏରେ ଭୋଗମଣ୍ଡପ ଶେଷ ହେବ। ଅପରାହ୍ଣ ୨ଟାରେ ନାଗାର୍ଜୁନ ବେଶ ମଇଲମ ଓ ଅପରାହ୍ଣ ୩ଟାରେ ନାଗାର୍ଜୁନ ବେଶ ଶେଷ ହେବ। ଅପରାହ୍ଣ ସାଢ଼େ ୩ଟାରୁ ୫ଟା ଭିତରେ ମଧ୍ୟାହ୍ନଧୂପ (କେବଳ କୋଠଭୋଗ), ସାଢ଼େ ୪ଟାରୁ ସାଢ଼େ ୫ଟା ଭିତରେ ଦ୍ବିତୀୟ ଭୋଗମଣ୍ଡପ, ସାଢ଼େ ୫ଟାରେ ଦକ୍ଷିଣୀ ଘର ଭୋଗ, ସଂଧ୍ୟା ୬ଟାରୁ ୭ଟା ଭିତରେ ମଇଲମ ଓ ବେଶ, ରାତି ସାଢ଼େ ୭ଟାରେ ସଂଧ୍ୟା ଆଳତୀ ଓ ରାତି ୮ଟାରୁ ସାଢ଼େ ୯ଟା ଭିତରେ ସଂଧ୍ୟା ଧୂପ(କେବଳ କୋଠଭୋଗ) ନୀତି ଅନୁଷ୍ଠିତ ହେବ। ରାତି ୧୦ଟାରେ ମଇଲମ, ସାଢ଼େ ୧୦ଟାରେ ଚନ୍ଦନଲାଗି, ସାଢ଼େ ୧୧ଟାରେ ବଡ଼ସିଂହାର ବେଶ, ୧୨ଟାରେ ବଡ଼ସିଂହାର ଭୋଗ ଓ ସାଢ଼େ ୧୨ଟାରେ ରାତ୍ର ପହୁଡ଼ ‌ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନର ସୂଚନା ହେଲା, ଭକ୍ତମାନେ ଶ୍ରୀମନ୍ଦିର ଭିତର କାଠରୁ ନାଗାର୍ଜୁନ ବେଶ ଦର୍ଶନ କରି ଆସୁଥିଲେ। କିନ୍ତୁ ଚଳିତବର୍ଷ କୋଭିଡ୍‌-୧୯ ପାଇଁ ଏହାକୁ ବନ୍ଦ ରଖାଯାଇଛି।

courtesy:sambad

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here