ଗୁରୁଣ୍ଡିଆର ଚାନ୍ଦିପୋଷଠାରେ ଖୋଲିଲା ମା’ ଗୃହ, ୨୩ଟି ଗାଁର ମା’ଙ୍କୁ ମିଳିବ ସ୍ୱାସ୍ଥ୍ୟସେବା :

୨୩ଟି ଗାଁର ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଗୁରୁଣ୍ଡିଆ ବ୍ଲକର ଚାନ୍ଦିପୋଷଠାରେ ଖୋଲିଲା ମା’ ଗୃହ। ବୁଧବାର ଦିନ ଏହି ମା’ ଗୃହକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି। ୩ଟି ଗ୍ରାମପଞ୍ଚାୟତର ୪ଟି ସବସେଣ୍ଟର ଜରିଆରେ ଏହି ମା’ ଗୃହ ସେବା ଯୋଗାଇ ଦେବ। ଏହି ମା’ ଗୃହରେ ଏବେ ୮ଟି ବେଡ୍ ରହିଛି।

ଚାନ୍ଦିପୋଷ ମା’ ଗୃହ ଉଦଘାଟନ ବେଳେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଡାକ୍ତର ସରୋଜ କୁମାର ମିଶ୍ର, ବଣେଇ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ ଡାଙ୍ଗ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରତିଭା ଦାସ, ଡିପିଏମ୍ ଶ୍ରୀଯୁକ୍ତ ଦୀପକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ମା’ ଗୃହ ଉଦଘାଟନ କରିବା ପରେ ଜିଲ୍ଲାପାଳ ଅନ୍ତେବାସୀଙ୍କ ସହ ବିଭିନ୍ନ ସେବା ସମ୍ପର୍କରେ ପଚାରି ବୁଝିଥିଲେ। ବର୍ତ୍ତମାନ ଏହି ମା’ ଗୃହରେ ୮ ଜଣ ଗର୍ଭବତୀ ମହିଳା ଅଛନ୍ତି। ସ୍ୱେଚ୍ଛାସେବୀ ସଙ୍ଗଠନ ଆଭା ଏହି ମା’ ଗୃହର ପରିଚାଳନା ଦାୟିତ୍ୱ ନେଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମା’ ଗୃହ ପ୍ରତିଷ୍ଠା କରାଯାଉଛି। ବର୍ତ୍ତମାନ ଜିଲ୍ଲାରେ ୯ଟି ମା’ ଗୃହ ଚାଲିଛି। ଡିଏମଏଫ ଆର୍ଥିକ ସହାୟତାରେ ଆଉ ୯ଟି ମା’ ଗୃହ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ସୋମବାର ଦିନ ଲେଫ୍ରିପଡ଼ାର ଗୁଣ୍ଡିଆଡିହିଠାରେ ମା’ ଗୃହ ଉଦଘାଟନ କରିଥିଲେ ଜିଲ୍ଲାପାଳ।

ମା’ ଗୃହରେ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ପ୍ରସବ ପରେ ମା’ମାନେ ଶିଶୁର ଯତ୍ନ କିପରି ନେବେ ସେ ସମ୍ପର୍କରେ ମଧ୍ୟ ସଚେତନ କରାଯାଉଛି।

ଗର୍ଭବତୀ ମହିଳାଙ୍କୁ ସମ୍ଭାବ୍ୟ ପ୍ରସବ ତାରିଖର କିଛିଦିନ ପୂର୍ବରୁ ତାଙ୍କ ଘରୁ ଆଣି ମା’ ଗୃହରେ ରଖିବା, ନିରାପଦ ପ୍ରସବ ପାଇଁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇବାଠାରୁ ଆରମ୍ଭ କରି ପ୍ରସବ ପରେ ତାଙ୍କୁ ଘରେ ପହଞ୍ଚାଇବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ମା’ ଗୃହ ନେଇଥାଏ। ହିତାଧିକାରୀମାନଙ୍କୁ ଏହି ସେବା ମାଗଣାରେ ପ୍ରଦାନ କରାଯାଉଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here