କୋଭିଡ ସ୍ଥିତି ନିୟନ୍ତ୍ରଣ ଲାଗି ରାଉରକେଲା ମହାନଗର ନିଗମର ଅଭିନବ ପ୍ରୟାସ, ସର୍ଭେଲାନ୍ସ ପାଇଁ ପ୍ରସ୍ତୁତ ୧ ହଜାରରୁ ଅଧିକ କୋଭିଡ ମନିଟର କୋଭିଡ ପଜିଟିଭ୍ ଓ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଗୁରୁତ୍ୱ

ରାଉରକେଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣ ଲାଗି ରାଉରକେଲା ମହାନଗର ନିଗମ ନିରନ୍ତର ପ୍ରୟାସ ଜାରି ରଖିଛି। ନିଗମର ସମୟୋଚିତ ପଦକ୍ଷେପ ଫଳରେ ରାଉରକେଲାରେ କୋଭିଡ ସ୍ଥିତି ଏକ ପ୍ରକାର ନିୟନ୍ତ୍ରଣାଧୀନ ଥିବା ବେଳେ ଆସନ୍ତା ଶୀତ ଋତୁକୁ ନଜରରେ ରଖି ଏବେଠାରୁ ନୂତନ ରଣକୌଶଳ ଆପଣାଇଛନ୍ତି ମହାନଗର ନିଗମ କର୍ତ୍ତୃପକ୍ଷ। ସହରର ପ୍ରତି ଶହେ ଘର ଯେପରି ଜଣେ ଜଣେ କୋଭିଡ ମନିଟରଙ୍କ ସର୍ଭେଲାନ୍ସରେ ରହିବ, ତାକୁ ଲକ୍ଷ ରଖାଯାଇ କାର୍ଯ୍ୟ ଚାଲିଛି। ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ କୋଭିଡ ମନିଟର  ଚିହ୍ନଟ ହୋଇଛନ୍ତି। ଆଶା, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ସହରର ବିଭିନ୍ନ ସ୍ୱେଚ୍ଛାସେବୀ ମାନଙ୍କୁ କୋଭିଡ ମନିଟର ଭାବେ ଚିହ୍ନଟ କରାଯାଇଛି। ରାଉରକେଲା ମହାନଗର ନିଗମର ପ୍ରତିଟି ୱାର୍ଡରେ ନିଯୁକ୍ତ ୱାର୍ଡ ଅଫିସର ବା ୱାର୍ଡ ସ୍ତରୀୟ କୋଭିଡ ପରିଚାଳନା କମିଟିର ମୁଖ୍ୟ ମାନଙ୍କ ଦ୍ୱାରା ଏହି ସ୍ୱେଚ୍ଛାସେବୀ ମାନଙ୍କୁ ଚିହ୍ନଟ କରାଯାଇଛି। ବିଶେଷ କରି ହୋମ ଆଇସୋଲେସନରେ ରହୁଥିବା କୋଭିଡ ପଜିଟିଭ ବ୍ୟକ୍ତି ଓ ବରିଷ୍ଠ ନାଗରିକ ବା କୋଭିଡ ସଂକ୍ରାନ୍ତୀୟ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ଓ ଆବଶ୍ୟକ ସ୍ଥଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲେ ଉପଯୁକ୍ତ ଅଧିକାରୀଙ୍କୁ ଜଣାଇ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରିବା, କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ସତର୍କତା ଅବଲମ୍ବନ କରିବା ଲାଗି ଲୋକଙ୍କୁ ସଚେତନ କରାଇବା ଇତ୍ୟାଦି କାର୍ଯ୍ୟ ଏହି କୋଭିଡ ମନିଟର ମାନେ କରିବେ ବୋଲି ଜଣାପଡିଛି। ହୋମ୍ ଆଇସୋଲେସନରେ ଥିବା କୋଭିଡ ପଜିଟିଭ ବ୍ୟକ୍ତିଙ୍କ ପାଇଁ ନିଗମ ପକ୍ଷରୁ  ଏକ ହେଲ୍ପଲାଇନ ଜାରି କରାଯାଇଥିବା ବେଳେ ବରିଷ୍ଠ ନାଗରିକ ତଥା କୋଭିଡ ସଂକ୍ରାନ୍ତୀୟ ଅନ୍ୟାନ୍ୟ ରୋଗରେ ପିଡିତ ବ୍ୟକ୍ତିଙ୍କ ଲାଗି ମଧ୍ୟ ଏକ ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। କୋଭିଡ ମନିଟର ମାନେ ଏହି ନମ୍ବର ମାଧ୍ୟମରେ ଯୋଗାଯୋଗ କରି ନିଜ ଅଞ୍ଚଳରେ ଉପୁଜୁଥିବା ସମସ୍ୟାର ସମାଧାନ ନିମନ୍ତେ ଚେଷ୍ଟା କରିବେ। ନତୁବା ନିଜ ୱାର୍ଡର ୱାର୍ଡ ଅଫିସର, ଆଶା ଦିଦି ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଯୋଗାଯୋଗ କରି ବିହିତ ବ୍ୟବସ୍ଥା କରିବେ ବୋଲି ଜଣାପଡିଛି। କେବଳ ସେତିକି ନୁହେଁ, ଆହୁରି ଅଧିକ କୋଭିଡ ମନିଟର ଚିହ୍ନଟ ନିମନ୍ତେ ପ୍ରୟାସ ଜାରି ରହିଛି ବୋଲି ରାଉରକେଲା ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here