ସୁନ୍ଦରଗଡ଼: ଜଳ,ଜଙ୍ଗଲ,ଜମି ଓ ଜଳବାୟୁର ସୁରକ୍ଷା ପାଇଁ ଆଦିବାସୀଙ୍କ ସୁରକ୍ଷା ଜରୁରୀ । ରାଜଗାଙ୍ଗପୁର ଠାରେ ବିଶ୍ୱ ଆଦିବାସୀ ଅଧିକାର ଦିବସ ପାଳିତ । ଆଦିବାସୀ ପ୍ରଗତି ମଞ୍ଚ ଆନୁକୂଲ୍ୟରେ ରାଜଗାଙ୍ଗପୁର ସ୍ଥିତ ରାମାବାହାଲ ଉପାୟ ଗୋଷ୍ଠୀ କେନ୍ଦ୍ର ଠାରେ ଆନ୍ତର୍ଜାତିକ ଆଦିବାସୀ ଅଧିକାର ଦିବସ ପାଳିତ ହୋଇଯାଇଛି ।ଆଦିବାସୀ ପ୍ରଗତିମାଞ୍ଚର ସଭାପତି ସୁଶୀଲ ଲାକ୍ରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ଆଦିବାସୀ ପରିଷଦ(ଆଇଏନ୍ଟିସି)ର ସାଧାରଣ ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଦିବାସୀଙ୍କୁ ବିଭିନ୍ନ ଉତ୍ପୀଡ଼ନ,ଶୋଷଣ ଓ ଅତ୍ୟାଚାର ଦାଉରୁ ରକ୍ଷା କରିବା ସହ ସେମାନଙ୍କୁ ମର୍ଯ୍ୟଦାପୂର୍ଣ୍ଣ ଜୀବନ ଯାପନ କରବା ପାଇଁ ମିଳିତ ଜାତିସଂଘ ଦ୍ୱାରା ୧୩ ସେପ୍ଟେମ୍ବର ୨୦୦୭ ମସିହାରେ ଆଦିବାସୀଙ୍କ ଜୀବନ ଯାପନ,ସ୍ୱାସ୍ଥ୍ୟ,ଶିକ୍ଷା,ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ପାଇଁ ଘୋଷଣା କରାଯାଇଥିବା ୪୬ ଟି ମୌଳିକ ଅଧିକାର ସମ୍ବନ୍ଧୀୟ ଘୋଷଣାନାମା ଉପରେ ବିସ୍ତୃତ ଆଲୋକପାତ କରିଥିଲେ ।ଆଦିବାସୀଙ୍କ ସୁରକ୍ଷା ସହ ଆଦିବାସୀ ଅଧ୍ୟୁଷିତ ପଞ୍ଚମ ଅନୁସୂଚିତ ଅଞ୍ଚଳରେ ପେସା କାନୁନ ଲାଗୁ କରାଯିବା ସହ ଅଞ୍ଚଳ ର ବିକାଶ କ୍ଷେତ୍ରକୁ ତ୍ୱରାନ୍ୱିତ କରିବାପାଇଁ ଗ୍ରାମସଭା କୁ ସମ୍ପୂର୍ଣ୍ଣ କ୍ଷମତା ଅର୍ପଣ କରାଯାଇଛି ବୋଲି ଶ୍ରୀ ମାଝୀ କହିଥିଲେ ।ଏହି କାର୍ଯ୍ୟକ୍ରମ ରେ ଆଠକୋସିଆ ସଂଗଠନର ଉପସଭାପତି ସୁପ୍ରିୟାନ ଖାଖା ଯୋଗଦେଇ ଆଦିବାସୀଙ୍କ ସ୍ଥାୟୀତ୍ୱ ବସବାସ ପାଇଁ ଥିବା ଜଙ୍ଗଲ ଅଧିକାର ଆଇନ-୨୦୦୬ ସମ୍ବନ୍ଧୀୟ ବିଭିନ୍ନ ନିୟମାବଳୀ ଉପରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଜଳ,ଜଙ୍ଗଲ,ଜମି ଓ ଜଳବାୟୁର ସମ୍ପୁର୍ଣ୍ଣ ସୁରକ୍ଷା ପାଇଁ ଆଦିବାସୀଙ୍କ ସୁରକ୍ଷା ନିହାତୀ ଜରୁରୀ ବୋଲି ମତପ୍ରକାଶ ପାଇଥିଲା ।ପେସା ଅନୁସୂଚିତ ଅଞ୍ଚଳରେ ଖଣି,ଖାଦାନ ଖୋଳାଯିବା ସହ ଶିଳ୍ପ କାରଖାନା ଖୋଲାଯାଇ ଆଦିବାସୀମାନେ ବସବାସ କରୁଥିବା ଅଞ୍ଚଳର ପରିବେଶକୁ ଦୂଷିତ କରିଦିଆଉଛି ବୋଲି ମତପ୍ରକାଶ ପାଇଥିଲା ।ଆଦିବାସୀଙ୍କ କଲ୍ୟାଣ ପାଇଁ ଉଦିଷ୍ଟ ସରକାରୀ ଯୋଜନା ସବୁ ଆଦିବାସୀଙ୍କ ପାଇଁ ସଠିକ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଉଦବେଗ ପ୍ରକାଶ ପାଇଥିଲା ।ଏଥିପାଇଁ ଆଗାମୀ ଦିନରେ ଆଦିବାସୀମାନେ ସଂଗଠିତ ହୋଇ ସଂଘର୍ଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଉପାୟର ନିର୍ଦେଶକ ଫାଦର ମାରିୟା,ବିସପ ଏ.ଏସ ହେମ୍ବ୍ରମ,ଝଗରପୁର ସରପଞ୍ଚ ସଂଯୁକ୍ତା ସା,କେଶରାମାଲ ସମିଟିସଭ୍ୟ ଅନୁପ ସୋରେଙ୍ଗ,ଫାଦର ଅଶୋକ ମିଞ୍ଜ,ଗାଙ୍ଗପୁର ଆୱାଜର ସଂଯୋଜକ ହେରମାନ ମିଞ୍ଜ,ମାରକୁସ ଡୁଙ୍ଗଡୁଙ୍ଗ, ତାରକିଉସ ଏକ୍କା,ଜୁନାସ ଏକ୍କା,ପାସ୍କାଲ ମିଞ୍ଜ, ପ୍ରମୁଖ ଯୋଗଦେଇ ଆଦିବାସୀଙ୍କ ପାଇଁ ଉଦିଷ୍ଟ ସାମ୍ବିଧାନିକ ଅଧିକାର ଉପରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଆଦିବାସୀ ପ୍ରଗତି ମଞ୍ଚର ସମ୍ପାଦିକା ସୁନିତା ଡୁଙ୍ଗଡୁଙ୍ଗ ପରିଚାଳନା କରିଥିବାବେଳେ ଆଗୁସ୍ତୁସ ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ ।ଶେଷରେ ଆଦିବାସୀ ନୃତ୍ୟଗୀତ ପରିବେଷଣ କରାଯାଇଥିଲା ।
ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।