ଇତିହାସ ରଚିଲେ ଅଖିଲ ଗୋଗୋଇ, ଆସାମରେ ଜେଲରୁ ନିର୍ବାଚନ ଲଢି ବିଜୟୀ ହେବାରେ ପ୍ରଥମ ବ୍ୟକ୍ତି

ସୂଚନା ଅଧିକାର କର୍ମୀ ଓ ପ୍ରମୁଖ କୃଷକ ନେତା ଅଖିଲ ଗୋଗୋଇ ଆସାମ ବିଧାନସଭା ନିର୍ବାଚନରେ ନୂଆ ଇତିହାସ ରଚିଛନ୍ତି । ଆସାମର ପ୍ରଥମ ବ୍ୟକ୍ତି ଭାବେ ଜେଲରେ ଥାଇ ନିର୍ବାଚନ ଲଢିବା ସହ ବିଜୟ ହାସଲ ବି କରିଛନ୍ତି । ଶିବସାଗର ବିଧାନସଭା ଆସନରେ ବିଜେପିର ସୁରଭି ରାଜକନୱାରୀଙ୍କ ବିରୋଧରେ ଏକ ଚମକପ୍ରଦ ବିଜୟ ହାସଲ କରିଛନ୍ତି ଅଖିଲ ଗୋଗୋଇ । ସୁରଭିଙ୍କ ବିଜୟ ପାଇଁ ପୂରାଦମରେ ଲାଗିପଡିଥିଲା ବିଜେପି । ଏପରିକି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରଭିଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ । ଅଖିଲ ଗୋଗୋଇଙ୍କୁ ୫୭ ହଜାର ୧୭୩ଟି ଭୋଟ୍ ମିଳିଥିବା ବେଳେ ସୁରଭିଙ୍କୁ ମିଳିଛି ୪୫ ହଜାର ୩୯୪ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଶୁଭମିତ୍ର ଗୋଗୋଇଙ୍କୁ ୧୯ ହଜାର ୩୨୩ ଭୋଟ୍ ମିଳିଛି । ଏହି ଆସନ କଂଗ୍ରେସର ଗଡ ଭାବେ ପରିଚିତ ।

୨୦୧୯ ଡିସେମ୍ବର ମାସରେ ନାଗରିକ ସଂଶୋଧନ ଆଇନ ବିରୋଧରେ ହୋଇଥିବା ପ୍ରତିବାଦ ହିଂସ୍ରକ ହେବା ପରେ ଅଖିଲ ଗୋଗୋଇଙ୍କୁ ଗିରଫ କରାଯାଇଥିଲା । ସେ ଜେଲରେ ଥିଲେ । କିଛି ଦିନ ପୂର୍ବେ କୋଭିଡ ପଜିଟିଭ ହେବାରୁ ତାଙ୍କୁ ଗୌହାଟୀ ମେଡିକାଲ କଲେଜ ଓ ହସପିଟାଲର ଏକ ସେଲରେ ରଖାଯାଇ ଚିକିତ୍ସା କରାଯାଇଥିଲା । ୨୦୧୯ ଡିସେମ୍ବରରେ ତାଙ୍କର ଗିରଫଦାରୀ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏ ଅଖିଲ ଗୋଗୋଇଙ୍କୁ ହେପାଜତକୁ ନେଇଥିଲା । ମାଓବାଦୀଙ୍କ ସହ ସଂପର୍କ ଅଭିଯୋଗରେ ଗୋଗୋଇଙ୍କୁ ଏନଆଇଏ ହେପାଜତକୁ ନେଇଥିଲା ।

କୃଷକ ମୁକ୍ତି ସଂଗ୍ରାମ ସମିତି-କେଏମଏସଏସରେ ଅଖିଲଙ୍କ ସହ ଯୋଗୀମାନେ ବିଧାନସଭା ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ରାଇଜର ଦଳ ନାମକ ଏକ ନୂଆ ରାଜନୈତିକ ଦଳ ଗଠନ କରିଥିଲେ । ଜେଲରୁ ବିଧାନସଭା ନିର୍ବାଚନ ଲଢିବାକୁ ତାଙ୍କ ସହ ଯୋଗୀମାନେ ଅନୁରୋଧ କରିଥିଲେ । ଗୌହାଟୀ ମେଡିକାଲ କଲେଜ ଓ ହସପିଟାଲର ଆଇସୋଲେଟେଡ୍ ୱାର୍ଡରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ ଗୋଗୋଇ । ଦିନଟିଏ ବି ପ୍ରଚାର ନ କରି ସେ ନିର୍ବାଚନରେ ବାଜିମାତ୍ କରିଛନ୍ତି ।

ଜେଲରେ ଥାଇ ବି ଅଖିଲ ଗୋଗୋଇ ବିଜୟ ହାସଲ କରିଥିବାରୁ ଶିବସାଗର ନିର୍ବାଚମମଣ୍ଡଳୀର ଲୋକେ ଖୁସି ପ୍ରକଟ କରିଛନ୍ତି । ଏହା ଗଣତନ୍ତ୍ରର ବିଜୟ ବୋଲି ସେମାନେ କହିଛନ୍ତି । ଅଖିଲ ଗୋଗୋଇ ଦୁର୍ନୀତି ବିରୋଧରେ ଲଢେଇ କରିବା ସହ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରିଆସିଛନ୍ତି । କୃଷକଙ୍କ ସ୍ୱାର୍ଥହାନି ହେଉଥିବା ଆସାମର ପ୍ରମୁଖ ନଦୀବନ୍ଧ ଯୋଜନା ବିରୋଧରେ ଅଭିଯାନ ଚଳାଇଛନ୍ତି ଗୋଗୋଇ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here