ବାହରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ଶ୍ରୀ ଜଗନ୍ନାଥ ପରମ୍ପରା ଆନ୍ତର୍ଜାତିକ ଆଲୋଚନା ଚକ୍ର ଅନୁଷ୍ଠିତ। ବିଶ୍ବବ୍ୟାପୀ ସମର୍ଥନ ଓ ସହଯୋଗ

ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ର ସୁରକ୍ଷା କରିବା ଏବଂ ଏହାର ମୌଳିକତା ଅକ୍ଷୁର୍ଣ୍ଣ ରଖିବା ବିଶ୍ବ ବ୍ୟାପୀ ଓଡ଼ିଆଙ୍କ ଏକ ପବିତ୍ର ପରମ କର୍ତ୍ତବ୍ୟ ବୋଲି ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ଆଦ୍ୟ ସେବକ ପୂଜ୍ୟ ଶ୍ରୀ ଗଜପତି ଦିବ୍ୟସିଂହ ଦେବ ଏହା କହିଛନ୍ତି । ଏଥିସହିତ ଆଧ୍ୟାତ୍ମିକ ଶିକ୍ଷାଦାନ ଆଜିର ଆବଶ୍ୟକତା, ଏହା ଆଜିର ଛାତ୍ର ଓ ଯୁବ ପିଢିଙ୍କୁ ଜୀବନର ଏକ ନୂତନ ଆଲୋକିତ ଦିଗକୁ ମାର୍ଗଦର୍ଶନ କରିବ ଏବଂ ଏହା ଆମର ସମସ୍ତ ଶିକ୍ଷାନୁଷ୍ଠାନରେ ପ୍ରୟୋଗ କରିବା ଉଚିତ ବୋଲି ଶ୍ରୀ ଗଜପତି ପରାମର୍ଶ ଦେଇଛନ୍ତି ।

ବାହରିନ ଓଡ଼ିଆ ସମାଜ ଆହ୍ବାନ କ୍ରମେ ୨୭ଟି ରାଷ୍ଟ୍ରର ପ୍ରବାସୀ ଓଡ଼ିଆ ଓ ୧୧ଟି ହିନ୍ଦୁ ମନ୍ଦିରର କର୍ମକର୍ତ୍ତା ଓ ପ୍ରତିନିଧିଙ୍କ ସମେତ ତିନିଶତରୁ ଉର୍ଦ୍ଧ୍ବ ଜଗନ୍ନାଥ ପ୍ରେମୀ ଏବଂ ଫେସବୁକ ମାଧ୍ୟମରେ ୧୫୦୦ରୁ ଉର୍ଦ୍ଧ୍ବ ଦର୍ଶକ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ଶ୍ରୀ ଜଗନ୍ନାଥ ପରମ୍ପରା ବିଷୟକ ୨ୟ ସଂସ୍କରଣରେ ଗଜପତିଙ୍କ ସହ ପାରସ୍ପରିକ ଆଲୋଚନା କରିଥିଲେ ।

ଶ୍ରୀ ଜଗନ୍ନାଥ ସଂସ୍କୃତି, ପରମ୍ପରା, ମାନବୀୟ ଦର୍ଶନ, ବିଶ୍ବଜନୀନ ଆଦର୍ଶ ତଥା ଆଧ୍ୟାତ୍ମିକ ଚେତନାର ବିଶ୍ଵବ୍ୟାପୀ ପ୍ରଚାର ପ୍ରସାର ସହିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ, ନିଧି ସମର୍ପଣ ଅଭିଯାନ ଆଦି ପ୍ରସଙ୍ଗରେ ଗଜପତି ମାର୍ଗଦର୍ଶନ କରିବା ସହିତ ଉପସ୍ଥିତ ଜଗନ୍ନାଥ ପ୍ରେମୀଙ୍କ ଭିନ୍ନ ଭିନ୍ନ ଜିଜ୍ଞାସାର ଉତ୍ତର ପ୍ରଦାନ କରିଥିଲେ ।

ବାହରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ ପ୍ରହରାଜଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଡ. ପ୍ରହରାଜ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମା ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବିଶ୍ବବ୍ୟାପୀ ପ୍ରବାସୀ ସମୁଦାୟଙ୍କୁ ଏହି ଅଧ୍ୟାୟର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିବା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ନିଧି ସମର୍ପଣ ଅଭିଯାନ ରେ ବିଶ୍ବ ସମୁଦାୟ ଅଂଶୀଦାର ହୁଅନ୍ତୁ ବୋଲି ଆହ୍ବାନ ଦେଇଥିଲେ ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାର୍ତ୍ତା ମାଧ୍ୟମରେ ଏଭଳି ଆୟୋଜନକୁ ସ୍ୱାଗତ କରି ମନ୍ଦିର ପରିକ୍ରମା ପ୍ରକଳ୍ପ, ନିଧି ସମର୍ପଣ ଅଭିଯାନ ତ୍ୱରାନ୍ୱିତ ଉପରେ ଗୁରୁତ୍ୱ ଦେବା ସହିତ ପୂଜ୍ୟ ଗଜପତି ଶ୍ରୀ ଦିବ୍ୟସିଂହ ଦେବଙ୍କୁ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ବାହରିନ ଓଡ଼ିଆ ସମାଜର ଏହି ଆୟୋଜନକୁ ପ୍ରଶଂସା କରିଥିଲେ ।

ଅଷ୍ଟ୍ରେଲିଆ, ଆଫ୍ରିକା, ଆବୁଧାବି, ବାହରିନ, ବାହମସ, କାନାଡ଼ା, ଦୁବାଇ, ଫିନଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଆୟରଲାଣ୍ଡ, ଇଣ୍ଡୋନେସିଆ, ଜାପାନ, କୁଏତ, ମାଲେସିଆ, ମାଲଦିଭସ, ନେଦରଲାଣ୍ଡ, ଓମାନ, କତାର, ରୁଷିଆ, ସିଙ୍ଗାପୁର, ସାଉଦିଆରବ, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ସମେତ ଭାରତର ଅନେକ ଅଂଶରୁ ଜଗନ୍ନାଥ ପ୍ରେମୀ, ଶ୍ରୀ ନୀଳାଚଳ ସେବା ସଂଘ, ହାଉସଖାସ, ଦିଲ୍ଲୀ, ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ, ବେଙ୍ଗାଳୁରୁ, ମହାରାଷ୍ଟ୍ର ଓଡ଼ିଆ ୱେଲଫେୟାର ଆସୋସିଏସନ, ମୁମ୍ବାଇ, ଶ୍ରୀ ଜଗନ୍ନାଥ ଚେତନା, ଆୟରଲାଣ୍ଡ, ଲିଭିଂ ବ୍ଲିସ ଅଷ୍ଟ୍ରେଲିଆ, ଏକତା ମନ୍ଦିର, ଆମେରିକା, ମିନୋସଟା ହିନ୍ଦୁ ସମାଜ, ଆମେରିକା, ଶ୍ରୀ ଜଗନ୍ନାଥ ମନ୍ଦିର, ଯୁକ୍ତରାଜ୍ୟ, ଶ୍ରୀ ଜଗନ୍ନାଥ ସୋସାଇଟି, ଯୁକ୍ତରାଜ୍ୟ, ଇସ୍କନ ମନ୍ଦିର, ବାହରିନ, ଶ୍ରୀ ଜଗନ୍ନାଥ ସେବା ଟ୍ରଷ୍ଟ, ପନଭେଲ, ବିଶ୍ବ ଓଡ଼ିଶା, ଭୁବନେଶ୍ୱର ସମେତ ୧୧ଟି ଧାର୍ମିକ ଅନୁଷ୍ଠାନ ଓ ପ୍ରବାସୀ ଓଡ଼ିଆ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ଗତ ଅକ୍ଟୋବର ୧୭ ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଅଧ୍ୟାୟରେ ପୂଜ୍ୟ ଗଜପତିଙ୍କ ଆଶୀର୍ବାଦ ଓ ସମ୍ମାନନୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଛା କ୍ରମେ ଆରମ୍ଭ ହୋଇଥିବା ଏହି ବିଶ୍ଵବ୍ୟାପୀ ଆଭିଯାନ ଆଗାମୀ ଦିନରେ ଆହୁରି ବ୍ୟାପକ ହେବ ବୋଲି ଡ. ପ୍ରହରାଜ କହିଛନ୍ତି ।

କାର୍ଯ୍ୟକ୍ରମକୁ ଡ. ପ୍ରହରାଜଙ୍କ ସୁକନ୍ୟା ସୁଶ୍ରୀ ଅରୁଣିତା ପ୍ରହରାଜ ସୁଚାରୁ ପରିଚାଳନା କରିଥିବାବେଳେ, ବାହରିନ ଓଡ଼ିଆ ସମାଜର କର୍ମକର୍ତ୍ତା ସୁବାସ ସାହୁ, ସୁଶ୍ରୀ ସ୍ନେହାଞ୍ଜଳି ପାଣିଗ୍ରାହୀ, ଶ୍ରୀମତୀ ସୁନିତା ପ୍ରହରାଜ ବୈଷୟିକ ସହଯୋଗ କରିଥିଲେ ଏବଂ ମନୋଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here