ଫାଇଲେରିଆ ନିରାକରଣ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ :

ଫାଇଲେରିଆ ବା ବାତ ଜ୍ୱର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଯୋଡ଼ି ହୋଇଛି। ଲେଫ୍ରିପଡ଼ା ବ୍ଲକର ସୁରୁଗଡ଼ାସ୍ଥିତ ସିପିଜିପି ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଗୁରୁବାର ଦିନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଶୁଭାରମ୍ଭ କରିଛନ୍ତି।

ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପୀ ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିବ। ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସହିତ ସ୍ୱେଚ୍ଛାସେବୀମାନେ ଘର ଘର ବୁଲି ଡିଇସି ଏବଂ କୃମିନାଶକ ଆଲବୋଣ୍ଡାଜୋଲ୍ ବଟିକା ଖାଇବାକୁ ଦେବେ। ସରକାରଙ୍କ ପକ୍ଷରୁ ଏହି ବଟିକା ମାଗଣାରେ ଦିଆଯାଉଛି।

‘‘ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଶେଷକରି ଫାଇଲେରିଆ ଏବଂ ଅନ୍ୟ ରୋଗ ପାଇଁ ଲୋକମାନଙ୍କୁ ଘର ଘର ବୁଲି ଔଷଧ ଖାଇବାକୁ ଦିଆଯିବ। ଏଥିରେ ଜିଲ୍ଲାର ସମସ୍ତ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଗର୍ଭବତୀ ମହିଳା, ୨ ବର୍ଷରୁ କମ୍ ଶିଶୁ ଓ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଏହି କାର୍ଯ୍ୟକ୍ରମରୁ ବାଦ୍ ଦିଆଯାଇଛି। ଜିଲ୍ଲାରେ ୨୧ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ଔଷଧ ସେବନ କରିବାକୁ ଲକ୍ଷ୍ୟ ରଖାଯାଇଛି।

‘‘ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଥିବା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୫ ବର୍ଷ ଯାଏଁ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିବ। ଜିଲ୍ଲାବାସୀଙ୍କ ସହଯୋଗରେ ସୁନ୍ଦରଗଡ଼କୁ ଫାଇଲେରିଆମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି’’, କହିଛନ୍ତି ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସିପିଜିପି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଦିତ କୁମାର ପଟେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଡାକ୍ତର ମନୋଜ ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଲେଫ୍ରିପଡ଼ା ବିଡ଼ିଓ ରମେଶ ହାଁସଦା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡାକ୍ତର ଭକ୍ତ ମୋହନ ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ବ୍ଲକ ଶିକ୍ଷା ଅଧିକାରୀ ଡାକ୍ତର ସୁରେନ୍ଦ୍ର କୁମାର ସାହୁ, ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଜଗଦୀଶ ଦେହୁରୀ, ସିଡିପିଓ କିରଣବାଳା ଷଡ଼ଙ୍ଗୀ, ଏମଡିଏର ଜିଲ୍ଲା ସଂଯୋଜ ବିପିନ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସିପିଜିପି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କ ଉପସ୍ଥିତିରେ ଔଷଧ ସେବନ କରିଥିଲେ।

ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଦୀପକ କୁମାର ଶର୍ମା, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସତ୍ୟବ୍ରତ ଦାସ, ଡାକ୍ତର ଭୀଷ୍ମଦେବ ଭୋଇ, ଭିବିଡିଟିଏସ୍ ଘନଶ୍ୟାମ ପଟେଲ, କନିଷ୍ଠ କୀଟତତ୍ତ୍ୱବିତ୍ ନୁରୁଦା ନାଏକ, ଡାକ୍ତର ନରେନ୍ଦ୍ର ପଟେଲ, ବ୍ଲକ ଡାଟା ମ୍ୟାନେଜର ମୀନତି ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here