ରାଉରକେଲାରେ ‘ସୁଦକ୍ଷ’ କୋଚିଂ କେନ୍ଦ୍ର ଉଦଘାଟିତ, ଶିକ୍ଷିତ ଯୁବକ ଯୁବତୀଙ୍କ କ୍ୟାରିୟର ସ୍ୱପ୍ନ ପୂରଣ ପାଇଁ ମାଗଣାରେ କୋଚିଂ

ସୁନ୍ଦରଗଡ଼ ପରେ ରାଉରକେଲାରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର। କୋଏଲ ନଗରଠାରେ ଗୁରୁବାର ଦିନ ଏହି କୋଚିଂ କେନ୍ଦ୍ରକୁ ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଏବଂ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଥିଲେ।
ସୁନ୍ଦରଗଡ଼ ସହିତ ରାଉରକେଲାସ୍ଥିତ ‘ସୁଦକ୍ଷ’ କେନ୍ଦ୍ରରେ ପ୍ରାର୍ଥୀମାନଙ୍କର କୋଚିଂ ଆରମ୍ଭ ହୋଇଛି। ଖୁବଶୀଘ୍ର ବଣାଇଁଠାରେ ମଧ୍ୟ ଏକ କୋଚିଂ କେନ୍ଦ୍ର ଖୋଲିବାକୁ ଯାଉଛି। ପ୍ରତି କେନ୍ଦ୍ରରେ ପ୍ରାର୍ଥୀମାନଙ୍କୁ ତିନିମାସିଆ କୋଚିଂ ଦେବାର ବ୍ୟବସ୍ଥା କରାଯାଇଛି।
‘‘ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ‘ସୁଦକ୍ଷ’ କାର୍ଯ୍ୟକ୍ରମ ଏକ ଭଲ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରାର୍ଥୀମାନେ ମାଗଣାରେ କୋଚିଂ ନେଇ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ’’, କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା। ଉଦଘାଟନୀ କାର୍ଯ୍ୟକ୍ରମରେ ଡିଏମଏଫ ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା, ଓମ୍ବାଡସିର ଜୀବିକା ବିଶେଷଜ୍ଞ ଅର୍ପଣ ଦାସ, ନିୟତି ଫାଉଣ୍ଡେସନର ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଇତିଶ୍ରୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ‘‘+୩ ପାଠ ପଢ଼ା ଶେଷ ହେବା ପରେ ମୁଁ ଷ୍ଟାଫ୍ ସିଲେକ୍ସନ ପରୀକ୍ଷା ଦେବାକୁ ଚାହୁଁଥିଲି। ହେଲେ ଟଙ୍କା ଅଭାବରୁ କୌଣସି କୋଚିଂ ସେଣ୍ଟରରେ ନାମ ଲେଖାଇ ପାରୁନଥିଲି। ‘ସୁଦକ୍ଷ’ କାର୍ଯ୍ୟକ୍ରମ ଅଧୀନରେ ମାଗଣାରେ କୋଚିଂ ଦିଆଯାଉଥିବା ଜାଣିବାକୁ ପାଇ ମୁଁ ଏଥିରେ ନାମ ଲେଖାଇଛି’’, କହିଛନ୍ତି ରାଉରକେଲା କେନ୍ଦ୍ରର ଛାତ୍ର ପ୍ରବୀଣ କୁମାର ସାହୁ।


ସୁନ୍ଦରଗଡ଼ ଜିଲ୍ଲାର +୨ ବା +୩ ପାସ୍ କରିଥିବା ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୁଦକ୍ଷ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ କୋଚିଂ ଓ ତାଲିମ ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ସଫଳ କରାଇବା ହେଉଛି ‘ସୁଦକ୍ଷ’ର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ସହଯୋଗୀ ସଂସ୍ଥା ଭାବେ ଏହାର ପରିଚାଳନା ଦାୟିତ୍ୱ ନେଇଛି।
ସୁଦକ୍ଷ କାର୍ଯ୍ୟକ୍ରମ ଜରିଆରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ବ୍ୟାଙ୍କିଙ୍ଗ୍, ଷ୍ଟାଫ୍ ସିଲେକ୍ସନ୍, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍, ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀ ଏବଂ ବୀମା କ୍ଷେତ୍ର ଆଦି ଲାଗି ମାଗଣାରେ କୋଚିଂ ଦିଆଯାଉଛି। ଏଥିପାଇଁ ପ୍ରାର୍ଥୀମାନଙ୍କୁ ମାଗଣାରେ ହଷ୍ଟେଲରେ ରହିବା ସହ ଖାଇବା ପିଇବା ଏବଂ ୟୁନିଫର୍ମ ପ୍ରଦାନ କରାଯାଉଛି।
ଏହି କୋଚିଂ କେନ୍ଦ୍ରରେ ଗଣିତ, ସାଧାରଣ ଜ୍ଞାନ, ରିଜନିଂ, କମ୍ପ୍ୟୁଟର, ଯୋଗାଯୋଗ, ବ୍ୟକ୍ତିତ୍ୱ ବିକାଶ ଲାଗି କୋଚିଂ ଦିଆଯାଉଛି। ଏହା ସହ ସାମରିକ, ଅର୍ଦ୍ଧସାମରିକ ଏବଂ ପୋଲିସ ଚାକିରି ଲାଗି ଆବଶ୍ୟକ ଶାରୀରିକ ଦକ୍ଷତା ବାବଦରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିବାର ବ୍ୟବସ୍ଥା ରହିଛି।
ଛାତ୍ରଛାତ୍ରୀମାନେ କିପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରିବେ ସେଥିପାଇଁ ସେମାନଙ୍କର ସାପ୍ତାହିକ ଟେଷ୍ଟ୍ ଓ ମକ୍ ଇଣ୍ଟରଭ୍ୟୁ କରାଯିବ। ଏହା ସହ ବିଭିନ୍ନ ପରୀକ୍ଷା ପାଇଁ ପାଠ୍ୟ ଉପକରଣ ଓ ପୁରୁଣା ପ୍ରଶ୍ନପତ୍ର ମଧ୍ୟ ଯୋଗାଇ ଦିଆଯିବ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here