ସୁନ୍ଦରଗଡ଼ ଜିଲ୍ଲାରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଏଲ୍ଏଲ୍ଆଇଏନ୍ ମଶାରୀ ବଂଟନ ଆରମ୍ଭ, ବଣ୍ଟାଯିବ ୩ ଲକ୍ଷରୁ ଅଧିକ ମଶାରୀ :

ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ (ଏଲ୍‌ଏଲ୍‌ଆଇଏନ୍‌) ବଣ୍ଟନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛି ପ୍ରଶାସନ । ସୋମବାର ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମର ତୃତୀୟ ତଥା ଶେଷ ପର୍ଯ୍ୟାୟ ବଣ୍ଟନ ଆରମ୍ଭ ହୋଇଛି । ଏଥିରେ ରାଜଗାଙ୍ଗପୁର ପୌରପାଳିକା ସହ କୋଇଡ଼ା, ସବ୍‌ଡେଗା, ମଝାପଡ଼ା, ସର୍ଗିପାଲି ଓ କିଞ୍ଜିରିକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଅଞ୍ଚଳ ସାମିଲ ରହିଛି । ଏହି ପର୍ଯ୍ୟାୟରେ ୩ ଲକ୍ଷରୁ ଅଧିକ ମଶାରୀ ବଣ୍ଟନ ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଛି ।

ରାଜଗାଙ୍ଗପୁର ପୌରପାଳିକା ଅଧୀନ ୱାର୍ଡ ନମ୍ବର ୧୫ କୁମାରକେଲା କ୍ଲବରେ ଆୟୋଜିତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଡକ୍ଟର ସି.ଏସ୍‌. ରଜୀନ୍ ଏକ୍କା ଉଦ୍‌ଘାଟନ କରିଥିଲେ । କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ବିମଲାଗଡ଼ରେ ବଣାଇଁ ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟରବାହିତ ରୋଗ) ଡାକ୍ତର ଭକ୍ତମୋହନ ସ୍ୱାଇଁ, ଭେକ୍ଟରବାହିତ ରୋଗ ପରାମର୍ଶଦାତା ଡାକ୍ତର ମନୋଜ ମହାପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସନତ ପଶୁପାଳକ ମଶାରୀ ବଣ୍ଟନର ଶୁଭାରମ୍ଭ କରିଥିଲେ ।

ସେହିପରି ମଝାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ କିରେଇ ଗ୍ରାମପଞ୍ଚାୟତରେ ସୁନ୍ଦରଗଡ଼ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ମଶାରୀ ବାଣ୍ଟିଥିଲେ । କିଞ୍ଜିରିକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ସାଗବାହାଲ ଅଙ୍ଗନବାଡ଼ି କେନ୍ଦ୍ର ଓ ସବ୍‌ଡେଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ କୁରୁମକେଲ ଅଙ୍ଗନୱାଡ଼ି କେନ୍ଦ୍ରରେ ଆୟୋଜିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମକୁ ତଲସରା ବିଧାୟକ ଭବାନୀ ଭୋଇ ଉଦ୍‌ଘାଟନ କରିଥିଲେ । ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ମଶାବିରା ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ଲେଫ୍ରିପଡ଼ା ବ୍ଲକ ଉପାଧ୍ୟକ୍ଷ ଅମିତ କୁମାର ନାଏକ, ଜିଲା ପରିଷଦ ସଭ୍ୟା ବାସନ୍ତୀ ବାରିକ ଶୁଭାରମ୍ଭ କରିଥିଲେ।

ଶେଷ ପର୍ଯ୍ୟାୟରେ ରାଜଗାଙ୍ଗପୁର ପୌରପାଳିକାରେ ୩୪ ହଜାର ୪୬୪, କିଞ୍ଜିରିକେଲାରେ ୫୯ ହଜାର ୩୮୦, କୋଇଡ଼ାରେ ୬୬ ହଜାର ୩୪୦, ମଝାପଡ଼ାରେ ୫୫ ହଜାର ୧୯୯, ସର୍ଗିପାଲିରେ ୫୩ ହଜାର ୫୦ ଏବଂ ସବ୍‌ଡେଗାରେ ୪୪ ହଜାର ୩୮୭ଟି ମଶାରୀ ବଂଟାଯିବ ।

ଦୁର୍ଗମ ଅଂଚଳର ଲୋକଙ୍କୁ ଏହି ମଶାରୀ ଦେବା ପାଇଁ ପ୍ରଶାସନ ବିଶେଷ ଗୁରୁତ୍ୱ ଦେଉଛି । ଅପହଂଚ ଥିବା କୋଇଡ଼ା ବ୍ଲକର ୫୭ଟି ହାମ୍‌ଲେଟ୍ ସହ ସର୍ଗିପାଲିର ଉଷାକୋଠି, କିଞ୍ଜିରିକେଲାର ବନଡେଗା, ସବ୍‌ଡେଗାର ବାଉରିମୁଣ୍ଡା ଭଳି ଦୁର୍ଗମ ଗାଁରେ ମଶାରୀ ପହଂଚାଇବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।

ଗତ ଡିସେମ୍ବର ୨୮ ତାରିଖରେ ଆରମ୍ଭ ହୋଇଥିବା ଏହି ବଂଟନ କାର୍ଯ୍ୟକ୍ରମର ୩ଟି ପର୍ଯ୍ୟାୟରେ ମୋଟ ୧୩ ଲକ୍ଷ ୬୪ ହଜାର ୭୨୪ଟି ମଶାରୀ ବଂଟାଯିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ପ୍ରଥମ ଦୁଇଟି ପର୍ଯ୍ୟାୟ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାର ୧୬ଟି ସହରାଞ୍ଚଳ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୭ ଲକ୍ଷ ୯୬ ହଜାର ୯୧୯ଟି ମଶାରୀ ବଂଟାଯାଇ ସାରିଛି । ବୀରମିତ୍ରପୁର ପୌରପାଳିକା, ହାତୀବାରୀ, କୁଆରମୁଣ୍ଡା ଓ ଲାଇଙ୍ଗ ସିଏଚ୍‌ସିରେ ଶତ ପ୍ରତିଶତ ମଶାରୀ ବଣ୍ଟାଯାଇଛି । ଜାନୁୟାରୀ ୧୬ ତାରିଖ ସୁଦ୍ଧା ତୃତୀୟ ପର୍ଯ୍ୟାୟ ବଂଟନ କାର୍ଯ୍ୟକ୍ରମ ଶେଷ କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here