ସ୍ୱଚ୍ଛ ସର୍ବେକ୍ଷଣ ନିମନ୍ତେ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କ ନିମନ୍ତେ ପୁରସ୍କାର ପ୍ରଦାନ ସମାରୋହ :

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ଅଧିନରେ ଗତ ୨୮ ଅକ୍ଟୋବରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିବା ଅନଲାଇନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଆଜି ନିଗମର କାଉନସିଲ ହଲ ଠାରେ ଆୟୋଜିତ ଏକ ପୁରସ୍କାର ପ୍ରଦାନ ସମାରୋହରେ ପୁରସ୍କୃତ କରାଯାଇଛି। ମୋଟ ୨୬ ଜଣ କୃତି ପ୍ରତିଯୋଗୀଙ୍କୁ ସେମାନଙ୍କ ସଫଳତା ଲାଗି ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଜିଙ୍ଗଲ୍ ପ୍ରସ୍ତୁତି ନିମନ୍ତେ ଶୁଭଶ୍ରୀ ଦାସଙ୍କୁ ପ୍ରଥମ ପୁରସ୍କାର ଦିଆଯାଇଥିବା ବେଳେ, ଏହି ବର୍ଗରେ ଦ୍ୱିତୀୟ ପୁରସ୍କାର ପାଇଛନ୍ତି ପଲ୍ଲବ ଚାଟାର୍ଜୀ ଏବଂ ତୃତୀୟ ସ୍ଥାନ ହାସଲ କରି ପୁରସ୍କାର ପାଇଛନ୍ତି ଆଶୁତୋଷ ରାୟ। କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତି ବର୍ଗରେ ସୌମ୍ୟ ରଞ୍ଜନ ଗୋଚ୍ଛାୟତ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଅଭୟ କୁମାର ନାୟକ। ଜୀବନ ଜ୍ୟୋତି ବେହେରା ଓ ଲୋହିତ୍ୟା ପଟ୍ଟନାୟକ ଉଭୟେ ଏହି ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ପେଣ୍ଟିଂ ଲାଗି ବନ୍ଦିତା ସାହୁ ପ୍ରଥମ ପୁରସ୍କାର ପାଇଥିବା ବେଳେ ତନୁଜ ସମ୍ମାଦର ଏବଂ ଉପାସନା ନାୟକ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଏହି ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି ରିତିକା ଜେନା ଓ ବୈଷ୍ନବୀ କିଶାନ ପୁରସ୍କାର ହାସଲ କରିଛନ୍ତି। ସେହିପରି ଶ୍ରେଷ୍ଠ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତାରେ ପ୍ରିମାଂଶୁ ପ୍ରିତମ ବେହେରା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ, ଇଶାନ ମିଶ୍ର ଦ୍ୱିତୀୟ ସ୍ଥାନ ଏବଂ ରବିନା ରାଜେନ୍ଦ୍ର ଯାଦବ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି। ଏହି ସମସ୍ତ ପ୍ରତିଯୋଗିତା ଲାଗି ବିଷୟ ଥିଲା ସ୍ୱଚ୍ଛତା କିମ୍ବା କୋଭିଡ -19 ଲାଗି ଜନ ସଚେତନତା ସୃଷ୍ଟି। ପ୍ରତିଯୋଗୀ ମାନେ ଏହି ବିଷୟରେ ଜିଙ୍ଗଲ୍, କ୍ଷୁଦ୍ର ଚଳଚ୍ଚିତ୍ର, ପେଣ୍ଟିଂ ଓ ପୋଷ୍ଟର ପ୍ରସ୍ତୁତ କରି ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ସେହିପରି ହିରୋସ୍ ଅଫ୍ ରାଉରକେଲା ପ୍ରତିଯୋଗିତା ବର୍ଗରେ ଆରତୀ ଚୌଧୁରୀ, ଅନିତା ନାୟକ, ଶୈଳବାଳା ଷଡ଼ଙ୍ଗୀ, ସୁନିଲ କୁମାର ମହାନ୍ତି, ଅଭିଜିତ ସାହୁ, ଆଲୋକ ଜେନା, ଅମିୟ ଦାସ, ଜୋୟା ତ୍ରିପାଠୀ, ପ୍ରମୋଦ କୁମାର ଦଳାଇ, ସ୍ୱାଗତିକା ମହାନ୍ତି ଓ ଶୁଭେନ୍ଦୁ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଛି।
“ହିରୋସ୍ ଅଫ୍ ରାଉରକେଲା” ପ୍ରତିଯୋଗିତାରେ ସ୍ୱଚ୍ଛତା କିମ୍ବା କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ କାମ କରିଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ଯେପରିକି ଷ୍ଟାର୍ଟ ଅପ୍ ବ୍ୟବସାୟ ଆରମ୍ଭ କରିଥିବା ବା ସେଥିରେ ଜଡ଼ିତ ଥିବା ବ୍ୟକ୍ତି, ଯେ କୌଣସି ପ୍ରକାରର ଉଦ୍ୟୋଗ ସ୍ଥାପନ କରିଥିବା ବ୍ୟକ୍ତି, ଧାର୍ମିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂସ୍ଥା ଇତ୍ୟାଦି ଅଂଶଗ୍ରହଣ କରିପାରିବେ ବୋଲି ସର୍ତ୍ତ ରଖାଯାଇଥିଲା। ସର୍ତ୍ତ ଅନୁସାରେ ବିଭିନ୍ନ ବ୍ୟକ୍ତି ତଥା ଅନୁଷ୍ଠାନ ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥି ନିମନ୍ତେ ଉକ୍ତ ସଂସ୍ଥା ବା ବ୍ୟକ୍ତି ସ୍ୱଚ୍ଛତା କିମ୍ବା କୋଭିଡ ସଂକ୍ରମଣ ପ୍ରତିହତ କରିବା ଦିଗରେ ସେମାନଙ୍କ କାର୍ଯ୍ୟ ସମ୍ବନ୍ଧୀୟ ବିଷଦ ବିବରଣୀ ଏବଂ ତତ ସଂପର୍କିତ ଫଟୋଗ୍ରାଫ୍ କୁ ସଂଲଗ୍ନ କରି ପୁରସ୍କାର ନିମନ୍ତେ ଆବେଦନ କରିଥିଲେ। ସେଥିରୁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି।
ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଉରକେଲାର ମାନ୍ୟବର ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ସ୍ୱଚ୍ଛତା କ୍ଷେତ୍ରରେ ରାଉରକେଲାର ଗୌରବମୟ ଇତିହାସ ସଂପର୍କରେ ଆଲୋକପାତ କରିଥିଲେ। ନାଗରିକ ମାନେ ସଚେତନ ନହେଲେ, ପ୍ରଶାସନ ପକ୍ଷରେ ସହରରେ ସ୍ୱଚ୍ଛତା ବଜାୟ ରଖିବା କଷ୍ଟକର ହେବ ବୋଲି ସେ କହିଥିଲେ। ଏଥି ନିମନ୍ତେ ରାଉରକେଲା ବାସୀ ଆଗେଇ ଆସି ନିଜ ପରିବେଶକୁ ସଫା ରଖିବା ସହ ସହରକୁ ଏକ ସ୍ୱଚ୍ଛ ଓ ସୁନ୍ଦର ସହରରେ ପରିଣତ କରିବା ଲାଗି ଆହ୍ୱାନ ଦେଇଥିଲେ। ଏହି ଅବସରରେ ରାଉରକେଲା ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ମଧ୍ୟ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହ ସହରର ପ୍ରତିଟି ବର୍ଗର ବ୍ୟକ୍ତିଙ୍କୁ ସ୍ୱଚ୍ଛତା ଓ ସ୍ୱଚ୍ଛ ସର୍ବେକ୍ଷଣ ସଂପର୍କରେ ଅବଗତ କରାଇବା ଲକ୍ଷ୍ୟରେ ମହାନଗର ନିଗମ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିବା କହିଥିଲେ। ଲୋକେ ସଚେତନ ହେଲେ ରାଉରକେଲା ଏକ ସ୍ୱଚ୍ଛ ସହରରେ ପରିଣତ ହୋଇପାରିବ ଏବଂ ସ୍ୱଚ୍ଛ ସର୍ବେକ୍ଷଣରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବ ଏବଂ ଏପରି ପ୍ରତିଯୋଗିତା ଦ୍ୱାରା ସ୍ୱଚ୍ଛତା ପ୍ରତି ଜନସାଧାରଣ ଅଧିକ ଆକୃଷ୍ଟ ହେବେ ଏବଂ ସ୍ୱଚ୍ଛତାର ମହାମନ୍ତ୍ରକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। କୋଭିଡ ମହାମାରୀ ସମୟରେ ଅନେକ ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ବ୍ୟକ୍ତି ବିଶେଷ ପ୍ରଶାସନକୁ ସହଯୋଗ କରିଛନ୍ତି। ସେ ସମସ୍ତ ଅନୁଷ୍ଠାନ ତଥା ବ୍ୟକ୍ତିଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି।

ଆଜିର ପୁରସ୍କାର ପ୍ରଦାନ : ସମାରୋହରେ ମହାନଗର ନିଗମର ଉପାୟୁକ୍ତ ଡ. ଗୌରବମୟ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଉପାୟୁକ୍ତା ଶ୍ରୀମତି ସୀତାଦେବୀ ମାଝି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ସୁଶିଲ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here