ଦୃଷ୍ଟିହୀନ ପରିବାର ପାଇଁ ଆବାସ ଯୋଜନା ସାତସପନ : ନବରଙ୍ଗପୁର

ଡାବୁଗାଁ: ଆବାସ ଯୋଜନାରେ ବହୁ ଥିଲାବାଲା ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଘର ହାତେଇ ନେଉଥିବା ବେଳେ ନଥିଲାଵାଲା ଡହଳ ବିକଳ ହୋଇ ଘର ଖଣ୍ଡିଏ ପାଇଁ ଚାହିଁ ରହୁଛନ୍ତି ବର୍ଷ ବର୍ଷ ଧରି । ଏମିତି ବାସହୀନ ପରିବାରର ଅଭାବନୀୟ ଦୃଶ୍ୟ ପ୍ରଶାସନିକ ଅଧିକାରୀଙ୍କ ଠାରୁ ରାଜନେତା ପର୍ଯ୍ୟନ୍ତ ଦୃଷ୍ଟିଗୋଚର ହେଉଥିଲେ ମଧ୍ୟ ଏମାନଙ୍କ ଭାଗ୍ୟ ନାଲିଫିତା ତଳେ ଚାପି ହୋଇ ରହିଯାଉଛି । ଏମିତି ଏକ ଦୃଷ୍ଟିହୀନ ପରିବାରର କରୁଣ କାହାଣୀ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଧୀନ କିଡିଙ୍ଗଗୁଡ଼ା ଗାଁରେ । ଗାଁର ବିଧବା ବୃଦ୍ଧା ରାଇମତି ଗୌଡ଼ ଦୃଷ୍ଟିହୀନ ହୋଇଥିବା ବେଳେ ଦୁଇ ପୁଅ ରଘୁ ଗୌଡ଼ ଓ ତୁଳାରାମ ଗୌଡ଼ ମଧ୍ୟ ଦୃଷ୍ଟିହୀନ । ବଡ଼ ପୁଅ ତୁଳାରାମ ଗୌଡ଼ ବିବାହ କରିଥିବା ବେଳେ ତାଙ୍କ ପତ୍ନୀ ଜନକା ଗୌଡ଼ ଓ ଦୁଇ ଝିଅ ବାଇଗ ଗୌଡ଼ ଓ ଦୁର୍ଗା ଗୌଡ଼ ଙ୍କ ସହ ପରିବାର ରେ ମୋଟ ରହନ୍ତି ୬ ଜଣ ସଦସ୍ୟ । ସେହିଭଳି ସାନ ପୁଅ ରଘୁ ଗୌଡ଼ ଜଣେ ମାନସିକ ଭିନ୍ନକ୍ଷମ ସହ ଦୃଷ୍ଟିହୀନ , ମୁକ ଓ ବଧିର । ତେବେ ପରିବାରର ବୋଝ ଉଠାଉଛନ୍ତି ବୋହୁ ଜନକା ଗୌଡ଼ । ମୂଲ ମଜୁରୀ ଲାଗି ୬ ପ୍ରାଣୀ କୁଟୁମ୍ବ ପୋଶିବା କାଠିକର ପାଠ ହୋଇଥିବା ବେଳେ ଓଳିଏ ଚୁଲି ଜଳିଲେ ଓଳିଏ ଉପବାସ ରହିବାକୁ ପଡୁଛି । ପରିବାର ଗୋଟିଏ ଦଦରା ଚାଳ କୁଡ଼ିଆ ରେ ରହୁଥିବା ବେଳେ ବାରମ୍ବାର ନେହୁରା ହେବା ସତ୍ତ୍ୱେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ସାତ ସପନ ହୋଇଯାଇଛି । ସରକାରଙ୍କ ପକ୍ଷରୁ ବୃଦ୍ଧା ରାଇମତି ଙ୍କୁ ମାସିକ ଭତ୍ତା ସହ ୬ ଜଣିଆ ପରିବାର କୁ ମିଳୁଛି ମାସିକ ୩0 କିଲୋ ଚାଉଳ । ଅନ୍ୟପକ୍ଷରେ ଦୃଷ୍ଟିହୀନ ତୁଳାରାମ ଓ ରଘୁଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ମିଳି ନଥିବାରୁ ସେମାନେ ସରକାରୀ ସହାୟତା ରୁ ବଞ୍ଚିତ ରହିଛନ୍ତି । ଅତି ଦୟନୀୟ ସ୍ଥିତିରେ ଚଳୁଥିବା ପରିବାର ପ୍ରଶାସନର ନଜର ଆଢୁଆଳରେ ରହିଥିବା ବେଳେ ବହୁ ଦୁରରେ ରହିଛି ସରକାରୀ ଆବାସ ଯୋଜନା । ଜିଲ୍ଲା ପ୍ରଶାସନ ପକ୍ଷରୁ ମାମଲାରେ ହସ୍ତକ୍ଷେପ କରାଯାଇ ଦୃଷ୍ଟିହୀନ ବେସାହାରା ପରିବାର କୁ ଆବାସ ଯୋଜନାରେ ଘର ଖଣ୍ଡିଏ ସହ ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ବିନା ମୂଲ୍ୟରେ ଚାଉଳ, ଭିନ୍ନକ୍ଷମ ଭତ୍ତା ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here