ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା–ଜମି ବିବାଦ ଆଶଙ୍କା, ପୋଲିଶ ଦ୍ୱାରା ଜଣେ ଅଟକ :

ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନା ଅନ୍ତର୍ଗତ କୁଅଁରମାଲ ଗାଁରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । ଧାରୁଆଡିହି ପୋଲିଶ ଜଣକୁ ଘଟଣାସ୍ଥଳରୁ ଉଠାଇ ଅଟକ ରଖି ଥିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । କୁଅଁରମାଲ ଗ୍ରାମର ତୁଲାରାମ ନାଏକ(୬୭) ଖିଆପିଆ ସାରି ନିଜ ଘରକୁ ଲାଗି ରହିଥିବା ଖାଲି ଜାଗାକୁ କିଛି ଭଙ୍ଗା ଇଟା ଦେଇ ଛୋଟିଆ ବାଡ଼ ତିଆରି କରୁଥିଲେ । ସେହି ସମୟରେ ତାଙ୍କର ଏକମାତ୍ର ପୁଅ ରଂଜନ ନାଏକ(୪୨) ନିଜ ମାମୁଁ ଘର ମହୁଲପାଲି ଥାନା ଅନ୍ତର୍ଗତ ରଙ୍ଗବତୀ ବିଲୁଙ୍ଗ ଗାଁରେ ଥିଲେ । ଅପରାହ୍ନ ପ୍ରାୟ ୪ ଟାରେ ତୁଲାରାମକୁ ଶୋଷ ଲାଗିବାରୁ ସେ ତାଙ୍କ ସହ ରହୁଥିବା ବିଧବା ସାନ ଭଉଣୀ ସୁକାନ୍ତି(୬୦)ଙ୍କୁ ପିଇବା ପାଇଁ ପାଣି ମାଗିଥିଲେ । ଘରୁ ଏକ ଗିଲାସରେ ପାଣି ଧରି ନିଜ ବଡ଼ ଭାଇ ପାଖକୁ ଯାଉଥିବା ସମୟରେ ,ତାଙ୍କରି ସମ୍ମୁଖରେ ହିଁ ପଡ଼ୋଶୀ ଦୁବରାଜ ପ୍ରଧାନ (୫୦)ଏକ ଫାର୍ସାରେ ତୁଲାରାମକୁ ୩/୪ ଚୋଟ ମାରି ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ବୃଦ୍ଧ ଜଣକ ସେହି ଜାଗାରେ ହିଁ ଟଳି ପଡ଼ିଥବାବେଳେ, ଘଟଣା ସ୍ଥଳରେ ହିଁ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଯାଇଥିଲା । ଘଟଣା ଘଟାଇବା ପରେ ଅଭିଯୁକ୍ତ ଦୁବରାଜ ସେଠାରୁ ଫେରାର ମାରିଥିବା ଭଉଣୀ ସୁକାନ୍ତି ପୋଲିଶ ଓ ଗଣ ମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି । ଏ ବିଷୟରେ ଖବର ପାଇ ଧାରୁଆଡିହି ଥାନାର ସବ ଇନ୍ସପେକ୍ଟର ଅଭୟ କୁମାର ମହାପାତ୍ର ସଦଳ ବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଘଟଣାର ଅଭିଯୁକ୍ତ କୁହାଯାଉଥିବା ଦୁବରାଜ ନିଜ ଘରେ ଲୁଚିଥିବା ବେଳେ, ତାକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଘଟଣା ପରେ ଧାରୁଆଡିହି ଥାନା ଅଧିକାରୀ ଏମ୍ ଏମ୍ ନାୟକ ଓ ସୁନ୍ଦରଗଡ଼ ସାଇଣ୍ଟିଫିକ ଟିମ ଅନୁସନ୍ଧାନ କରିବାକୁ କୁଅଁରମାଲ ଗାଁକୁ ପହଞ୍ଚିଥିବା ଜଣାପଡ଼ିଛି । ମୃତକଙ୍କ ପୁଅ ରଂଜନ ନାଏକଙ୍କ ଏତଲାକୁ ଭିତ୍ତି କରି ପୋଲିଶ ଏକ କେଶ ରୁଜୁ କରିଥିବା ସୂଚନା ମିଳିଛି । କୁଅଁରମାଲ ଗ୍ରାମର ଦୁବରାଜ ପ୍ରଧାନଙ୍କ ବାପା ଗତ ପ୍ରାୟ ୪୦ ବର୍ଷ ତଳେ ନିଜ ଘରକୁ ଲାଗି ରହିଥିବା ୮ ଡ଼ିସିମିଲ ଜମିକୁ ପଡ଼ୋଶୀ ତୁଲାରାମଙ୍କୁ ହସ୍ତାନ୍ତର କରିଥିଲେ । ମାତ୍ର ଉକ୍ତ ଜମି କାରବାରରେ ପଟ୍ଟା କିମ୍ବା ଅନ୍ୟ କୌଣସି କାଗଜପତ୍ର ହୋଇ ନ ଥିଲା । ଏହାକୁ ନେଇ ଉଭୟ ପଡ଼ୋଶୀଙ୍କ ମଧ୍ୟରେ ମନ ମାଳିନ୍ୟ ଓ ତିକ୍ତତା ରହି ଥିଲା । ଏହାକୁ ନେଇ ବୁଧବାର ଦିନ ଦୁବରାଜ ପ୍ରଧାନ ପ୍ରତିଶୋଧ ପରାୟଣ ହୋଇ ଏକୁଟିଆ ରହିବାର ସୁଯୋଗ ନେଇ ନିଜ ପଡ଼ୋଶୀ ବୃଦ୍ଧ ତୁଲାରାମକୁ ନୃଶଂସ ଭାବେ ହାଣି ପକାଇଥିଲା । ଘଟଣାରେ ସଂପୃକ୍ତ ଥିବା ଦୁବରାଜ ମଦ ପିଇ “ମୁଁ ମାରିଛି, ମତେ ନେଇ ଚାଲ,”ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା ।ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here