ନାଗାର୍ଜୁନ ବେଶର ରହସ୍ୟ ଓ ବେଶ ପଛର କାହାଣୀ ।

କଳାଠାକୁର କାଳିଆ ସାଆନ୍ତ ବେଶପ୍ରିୟ । ବର୍ଷକୁ ୨୨ଟି ବେଶ ହୁଅନ୍ତି ମହାପ୍ରଭୁ । ଏହା ବ୍ୟତୀତ ଦୈନନ୍ଦିନ ଅବକାଶ ବେଶ ଓ ବଡ଼ସିଂହାର ବେଶ ହୁଅନ୍ତି । ଏହିପରି ଠାକୁରଙ୍କର ମୋଟ ୨୪ଟି ବେଶ ଭକ୍ତମାନେ ଦେଖିପାରନ୍ତି । ମାତ୍ର ଯେଉଁବର୍ଷ କାର୍ତ୍ତିକ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ୬ ଦିନ ପଡ଼େ ସେ ବର୍ଷ ପ୍ରଭୁ ନାଗାର୍ଜୁନ ବେଶ ହୋଇଥାନ୍ତି । ଏହି ନାଗାର୍ଜୁନ ବେଶ ପଛର କାହାଣୀ ଅତ୍ୟନ୍ତ ରହସ୍ୟମୟ ଓ ପୌରାଣିକ । ଦ୍ୱାପରଯୁଗରେ ଭଗବାନ ଶ୍ରୀକୃଷ୍ଣ ନିଜର ଶିକ୍ଷାଗୁରୁ ସନ୍ଦିପନୀଙ୍କର ମୃତପୁତ୍ରମାନଙ୍କୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଯମପୁରକୁ ଯାଇଥିଲେ । ସେଠାରେ ସେ ଦେଖିବାକୁ ପାଇଲେ ଯେ ନିଜର ସଖା ଅର୍ଜୁନଙ୍କ ପିତା ମହାରାଜ ପଣ୍ଡୁ ବ୍ରହ୍ମଲୋକ ପ୍ରାପ୍ତି ନହୋଇ ଯମଲୋକରେ ଯନ୍ତ୍ରଣା ଭୋଗ କରୁଛନ୍ତି । ପରେ ଶ୍ରୀକୃଷ୍ଣ ଓ ନାରଦମୁନିଙ୍କ ପରାମର୍ଶରେ ପଣ୍ଡୁଙ୍କ ବ୍ରହ୍ମଲୋକ ପ୍ରାପ୍ତି ଲାଗି ପାଣ୍ଡବମାନେ ରାଜସୂୟ ଯଜ୍ଞ କରିଥିଲେ । ରାଜସୂୟ ଯଜ୍ଞରେ ପାତାଳଲୋକର ଅଧିପତି ବାସୁକୀଙ୍କୁ ନିମନ୍ତ୍ରଣ କରିବା ଲାଗି ଅର୍ଜୁନ ଯାଇଥିଲେ ଓ ସେଠାରେ ବାସୁକୀଙ୍କ କନ୍ୟା ସନ୍ଧ୍ୟାବାଳୀଙ୍କୁ ବିବାହ କରିଥିଲେ । ଅର୍ଜୁନଙ୍କ ଔରସରୁ ସନ୍ଧ୍ୟାବାଳୀଙ୍କ ଠାରୁ ଜନ୍ମନେଇଥିଲେ ବୀର ନାଗାର୍ଜୁନ । ପରବର୍ତ୍ତୀ ସମୟରେ ନିଜର ପିତାଙ୍କୁ ଖୋଜିଖୋଜି ନାଗାର୍ଜୁନ କାଶୀନଦୀକୂଳରେ ସ୍ଥିତ ହର ଉଦ୍ୟାନରେ ପହଞ୍ôଚଲେ ଓ ସେଠାରେ ଭଗବାନ ଶିବଙ୍କୁ ଘୋରା ତପସ୍ୟା କରି ସନ୍ତୁଷ୍ଟ କଲେ ଓ ନାନା ପ୍ରକାର ଯୁଦ୍ଧାସ୍ତ୍ର ଓ ବର ଲାଭ କଲେ । ସେହି ଉଦ୍ୟାନରେ ସେ ଭଗବାନ ଶିବଙ୍କ ପ୍ରିୟ ଏକ ଗଣ୍ଡାର ଲାଳନପାଳନ କରୁଥିଲେ ନାଗାର୍ଜୁନ ଯାହାକୁ କି ପରବର୍ତ୍ତୀ ସମୟରେ ଅର୍ଜୁନ ନିଜର ପିତୃଶ୍ରାଦ୍ଧ ଲାଗି ମାରିଦେଇଥିଲେ । ଏହାଫଳରେ ପିତାପୁତ୍ରଙ୍କର ଯୁଦ୍ଧହେଲା ଓ ଶିବଙ୍କ ବରରେ ବଳୀୟାନ ନାଗାର୍ଜୁନ ଅର୍ଜୁନଙ୍କୁ ମାରିଦେଇଥିଲେ । ଏ ଖବର ଦେବର୍ଷୀ ନାରଦ ଯାଇ ଶ୍ରୀକୃଷ୍ଣ ଓ ଅନ୍ୟପାଣ୍ଡବମାନଙ୍କୁ ଜଣାଇଥିଲେ । ଏହାପରେ ନାଗାର୍ଜୁନଙ୍କ ସହ ଭଗବାନ ଶ୍ରୀକୃଷ୍ଣ ଓ ଅନ୍ୟପାଣ୍ଡବମାନଙ୍କର ଯେତେବେଳେ ଯୁଦ୍ଧହେଲା ଭଗବାନ ଶଙ୍କର ନାଗାର୍ଜୁନଙ୍କୁ ସହାୟତା ଦେବାଲାଗି ସ୍ୱୟଂ ଯୁଦ୍ଧରେ ଅବତୀର୍ଣ୍ଣ ହେଲେ । ବିଷ୍ଣୁ ଓ ଶିବଙ୍କ ଭିତରେ ଯୁଦ୍ଧହେଲେ ସୃଷ୍ଟି ଧ୍ୱଂସ ପାଇଯିବ । ଏହି ଭୟରେ ନାରଦ ଭଗବାନ ବ୍ରହ୍ମଦେବଙ୍କୁ ଆବାହନ କଲେ ଓ ଯୁଦ୍ଧ ବନ୍ଦହେଲା । ମାତ୍ର ଭଗବାନ ଶ୍ରୀକୃଷ୍ଣ ମୃତସଞ୍ଜିବନୀ ପ୍ରୟୋଗ କରି ନିଜର ପ୍ରିୟ ସଖାଙ୍କୁ ବଞ୍ଚାଇବାକୁ ସ୍ଥିର କଲେ । ସେତେବେଳକୁ ଅର୍ଜୁନ ମୃତ୍ୟୁବରଣ କରିବାର ୧ ଦିନ ବିତିବାକୁ ବସିଥାଏ । କୌଣସି ବ୍ୟକ୍ତି ମୃତ୍ୟୁଲାଭ କରିବାର ୧ ଦିନ ଅତିକ୍ରାନ୍ତ ହୋଇଗଲେ ମୃତସଂଜୀବନୀ କାର୍ଯ୍ୟ କରିନଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶାରେ ସୂର୍ଯ୍ୟଦେବ ଯେଉଁରାଶିରେ ଅବସ୍ଥାନ କରିଥିଲେ ସେଠାରେ ଆଉ ୧ ଦିନ ରହିଗଲେ ଓ ଅର୍ଜୁନଙ୍କୁ ମୃତସଂଜୀବନୀ ଦ୍ୱାରା ଜୀବନ୍ୟାସ ଦିଆଗଲା । ଜୀବନ ପାଇଲାପରେ ଅର୍ଜୁନ ନିଜର ପୁତ୍ରକୁ ଚିହ୍ନିଲେ ଓ ପିତାପୁତ୍ରଙ୍କ ମିଳନହେଲା । ମାତ୍ର ଅର୍ଜୁନଙ୍କ ମନରେ ଦେଖାଦେଲା ଘୋର ବିଷାଦ । କୁରୁକ୍ଷେତ୍ରର ଶ୍ରେଷ୍ଠବୀର ଅର୍ଜୁନ ଗୋଟେ ସାମାନ୍ୟ ବାଳକଦ୍ୱାରା ପରାସ୍ତ ଓ ଜୀବନ ହାରିଥିବାରୁ ନିଜର ବୀରତ୍ୱପଣକୁ ଧିକ୍କାର କରୁଥିଲେ । ଅର୍ଜୁନ ସଖା ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନକଲେ – ସଖା! ତୁମେତ ଏକଦା କହିଥିଲ ଯେ ତୁମବିନା ସଂସାରର କୌଣସି ଦ୍ୱିତୀୟ ବୀର ମୋତେ ପରାସ୍ତ କରିପାରିବ ନାହିଁ । ତେବେ ମୁଁ ନାଗାର୍ଜୁନ ଭଳି ଜଣେ ସାମାନ୍ୟ ଯୁବକ ହାତରୁ ପରାସ୍ତ ହେଲି କିପରି ? ଅର୍ଜୁନଙ୍କ ମନରୁ ଏହି ହୀନମନ୍ୟତା ଦୂରକରିବାକୁ ଭଗବାନ ଶ୍ରୀକୃଷ୍ଣ କହିଥିଲେ ଯେ – ନାଗାର୍ଜୁନ ଆଉ କେହି ନୁହେଁ । ନିଜେ ମୁଁ । ଏହାକହି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନାଗାର୍ଜୁନ ବେଶ ପ୍ରଦର୍ଶନ କରିଥିଲେ । ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ବନଚାରୀ ଯୁବକର ବେଶ । ଏହାପରେ ଅର୍ଜୁନଙ୍କ ବିଷାଦ ଦୂରହେଲା । କୁହାଯାଏ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସ୍ୱୟଂ ପରଂବ୍ରହ୍ମ ଶ୍ରୀକୃଷ୍ଣ । ସେଥିପାଇଁ ଶ୍ରୀମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ଳୀଳାସବୁ ବେଶ ଆକାରରେ ଠାକୁର ଦେଖାଇଥାନ୍ତି । ତେବେ ସୂର୍ଯ୍ୟଦେବତା କାର୍ତ୍ତିକ ପଞ୍ଚୁକରେ ଗୋଟିଏ ରାଶିରେ ଯେବେ ଦୁଇଦିନ ରହିଯାଆନ୍ତି ସେତେବେଳେ ହିଁ ମହାପ୍ରଭୁ ନାଗାର୍ଜୁନ ବେଶ ଧାରଣ କରନ୍ତି ।


(ଆଲେଖ୍ୟ : ହରିହର ତ୍ରିପାଠୀ)

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here