ଓଡିଶା ସରକାରଙ୍କ ଦ୍ୱାରା ଶିଶୁ ସ୍ୱାସ୍ଥ୍ୟ ଓ ବିକାଶ ନିମନ୍ତ ‘ବାତ୍ସଲ୍ୟ’ ଅଭିଯାନର ଉନ୍ମୋଚନ

ଭୁବନେଶ୍ୱର: ୧୭/୧୧: ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି ବିଭାଗ ଓ ୟୁନିସେଫ୍ ଓଡିଶାର ମିଳିତ ସହଯୋଗରେ ‘ବାତ୍ସଲ୍ୟ’ ଭଳି ଏକ ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ୩ ବର୍ଷରୁ କମ୍ ବୟସର ଶିଶୁଙ୍କ ସାମଗ୍ରୀକ ବିକାଶ ନିମନ୍ତେ ପ୍ରତିକ୍ରିୟାଶୀଳ ଅଭିଭାବକମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମର ଯୋଜନା କରାଯାଇଛି । ପ୍ରାରମ୍ଭିକ ଉତ୍ସାହର ଏକ ପଦକ୍ଷେପ ଭାବରେ ଶିଶୁଙ୍କ ପାଇଁ ସେମାନଙ୍କ ମାତାପିତା, ପରିବାର ସଦସ୍ୟ ଏବଂ ଅନୁଷ୍ଠାନରେ ଥିବା ଅଭିଭାବକମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଖୁସିରେ ଗ୍ରହଣ କରାଯାଇପାରିବ ବୋଲି ସରକାରଙ୍କ ତରଫରୁ ଦୃଢ ବିଶ୍ୱାସ ରଖାଯାଇଛି ।

ଶିଶୁର ପ୍ରଥମ ତିନି ବର୍ଷ ହେଉଛି ଏକ ଅନନ୍ୟ ସୁଯୋଗର ସମୟ ଯେଉଁ ସମୟରେ ଶିଶୁର ଲାଳନ ପାଳନ ଓ ଆଦ୍ୟ ଉଦ୍ଦିପନା ଦ୍ୱାରା ଶିଶୁ ମସ୍ତିଷ୍କ ବୃଦ୍ଧି ହେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ତିନି ବର୍ଷ ସଠିକ୍ ପୋଷଣ ସହିତ ସେମାନଙ୍କର ଯତ୍ନ ନେବା ନିହାତି ଆବଶ୍ୟକ ।

କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ବିଭିନ୍ନ ପୋଷ୍ଟର୍ ଏବଂ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ସେଥିମଧ୍ୟରୁ ଘରେ ଘରେ କୁନି କ୍ୟାଲେଣ୍ଟର୍‌, ଘରେ ଘରେ ଅରୁଣିମା କ୍ୟାଲେଣ୍ଡର୍‌, ଶୂନରୁ ତିନି ବର୍ଷ ଓ ୩ରୁ ୬ ବର୍ଷର ପିଲାମାନଙ୍କ ପାଇଁ ଟିକି ମାଉସୀ ଚଳଚ୍ଚିତ୍ର ଓ ଶିଶୁ ବିକାଶ ପୁସ୍ତକର ଉନ୍ମୋଚନ କରାଯାଇଥିଲା ।
ପ୍ରତିକ୍ରିୟାଶୀଳ ମାତାପିତାଙ୍କ ପାଇଁ ‘ଘରେ ଘରେ ଅରୁଣିମା କ୍ୟାଲେଣ୍ଡର’ ଓଡିଆ ଭାଷା ସହିତ ବଣ୍ଡା, ଜୁଆଙ୍ଗ, କିଶାନ, କୋୟା, କୁଇ, କୁଭି, ମୁଣ୍ଡା, ଓରନ୍‌, ସାନ୍ତାଳି, ସଉରା ଭଳି ୧୦ଟି ଆଦିବାସୀ ଭାଷାରେ ରଚନା କରାଯାଇଛି। ଶିଶୁମାନେ ପ୍ରଥମେ ପରିବାରରୁ ହିଁ ନିଜ ମାତୃଭାଷାରେ କଥାବାର୍ତ୍ତା ଶୁଣିଥାନ୍ତି । ତେଣୁ “ପ୍ରଥମେ ମାତୃଭାଷା ପରେ ଅନ୍ୟ ଭାଷା” ଏହିପରି ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ଯାହା ବିଭିନ୍ନ ସ୍ତରରେ ଶିଶୁର ଶାରିରୀକ, ମାନସିକ, ବୈାଦ୍ଧିକ, ଭାଷା ଓ ସାମାଜିକ ବିକାଶରେ ସହାୟକ ହୋଇପାରିବ ।

ଶ୍ରୀମତି ଟୁକୁନୀ ସାହୁଙ୍କ ଅନୁମତି କ୍ରମେ ପୋଷ୍ଟର ଗୁଡିକର ଉନ୍ମୋଚନ କରାଯାଇଥିଲା । ପୋଷ୍ଟର ଗୁଡିକରେ ପରସ୍ପର ସହିତ ଭାବନାର ଆଦାନ ପ୍ର୍ରଦାନ, ପରିବାର ସଦସ୍ୟ ଶିଶୁଙ୍କୁ ଉତ୍ସାହିତ କରିବା, ପିଲାଙ୍କ ପାଇଁ ଘରେ ବିକଳ୍ପ ସାରଣୀର ପ୍ରସ୍ତୁତ କରିବା, ଭଲ ବ୍ୟବହାରକୁ ପ୍ରୋତ୍ସାହନ ଦେବା, ମାନସିକ ଚାପକୁ ସୁପରିଚାଳନା କରିବା ଓ ଶାନ୍ତ ରହିବା, କୋଭିଡ୍ ସଚେତନତା ବିଷୟରେ ଆଲୋଚନା କରିବା ଭଳି ୬ଟି ଥିମ୍ ଉପରେ ଆଧାରିତ ହୋଇଛି ।

ଏହି ଅବସରରେ ଶ୍ରୀମତି ଟୁକୁନୀ ସାହୁ କହିଛନ୍ତି ଯେ, “ଯେଉଁ ପରିକଳ୍ପନାକୁ ଆଧାର କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି ବିଭାଗ ପକ୍ଷରୁ ଆଜି ବାତ୍ସଲ୍ୟ ଅଭିଯାନର ଶୁଭାରମ୍ଭ କରାଯାଇଛି ଏହା ଶିଶୁର ସାମଗ୍ରିକ ବିକାଶ ନିମନ୍ତେ ନିଶ୍ଚୟ ସହାୟକ ହେବ । ମୁଖ୍ୟତଃ ଅଭିଯାନରେ ମାତୃ ଭାଷା ଉପରେ ଗୁରୁତ୍ୱ ଦିଆଯାଇଛି ଯାହା ଶିଶୁର ଶୈଶବକୁ ସୁନ୍ଦର ଭାବେ ଗଢି ତୋଳିବାରେ ସହାୟକ ହେବ । ଶିଶୁର ଲାଳନପାଳନରେ ମାତାପିତା ଓ ପରିବାରର ଯେଉଁ ଦାୟିତ୍ୱ, କର୍ତ୍ତବ୍ୟ ଓ ମମତା ଭରି ରହିଛି । ତାକୁ ସଠିକ୍ ଢଙ୍ଗରେ ରୂପାନ୍ତରିତ କରିବା ଦିଗରେ ବାତ୍ସଲ୍ୟ ଏକ ଅଭିନ୍ନ ଏବଂ ସୂଦୁରପ୍ରସାରୀ ଅଭିଯାନ । ତିନି ବର୍ଷରୁ କମ୍ ବୟସର ଶିଶୁମାନଙ୍କ ଯତ୍ନ ଏବଂ ଉଦ୍ଦିପନାକୁ ଏକ ନିର୍ଦ୍ଦିଷ୍ଟ ରୂପରେଖ ଦେଇ ଶିଶୁ ମାନଙ୍କର ଶୈଶବ ପ୍ରକ୍ରିୟାକୁ ବାତ୍ସଲ୍ୟ ଅଭିଯାନ ଏକ ସୁଦୃଢ ଭିତ୍ତିଭୂମି ଯୋଗାଇଦେବାକୁ ସହାୟକ ହେବ । ପିତାମାତାଙ୍କ ଜରିଆରେ ଦାୟିତ୍ୱ ସହିତ ଆଦ୍ୟ ଶୈଶବର ବିକାଶକୁ ତ୍ୱରାନିତ କରିବା ପାଇଁ ବାତ୍ସଲ୍ୟ ଅଭିଯାନ ଏକ ଅନନ୍ୟ ଓ ବହୁମୂଖି ଅଭିଯାନ ।”

ୟୁନିସେଫ୍ ଭାରତ ମୁଖ୍ୟ ଡ. ୟସ୍ମିନ୍ ଅଲ୍ଲୀ ହକ୍ ନିଜର ବକ୍ତବ୍ୟରେ କହିଛନ୍ତି ଯେ, “ଶିଶୁର ପ୍ରାରମ୍ଭିକ ସମୟରେ ସେମାନଙ୍କର ସାମଗ୍ରୀକ ବିକାଶ ନିମନ୍ତେ ପୁଞ୍ଜି ନିବେଶ କରିବା ଉଭୟ ପରିବାର ଓ ସମାଜ ପାଇଁ ଲାଭ ଦାୟକ ହୋଇଥାଏ । ପ୍ରଥମ ୬ ବର୍ଷ ହେଉଛି ଶିଶୁ ମସ୍ତିଷ୍କ ବୃଦ୍ଧିର ଉପଯୁକ୍ତ ସମୟ । ଏହି ସମୟ ସଠିକ୍ ଉପଯୋଗ ହୋଇଥିଲେ ସେମାନଙ୍କର ଭବିଷ୍ୟତ ନିର୍ମାଣରେ ସହାୟକ ହୋଇଥାଏ ଯାହା ପରବର୍ତ୍ତୀ ସମୟରେ ହୋଇପାରିନଥାଏ ।”

ବିଜ୍ଞାନ ସମ୍ମତ ଯେ, “ପିଲା ଜନ୍ମରୁ ତିନି ବର୍ଷ ପର୍ଯ୍ୟନ୍ତ ତା’ର ମାତାପିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆବଶ୍ୟକ । ଶିଶୁର ପ୍ରାରମ୍ଭିକ ମୂହୁର୍ତ୍ତଗୁଡିକ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ପ୍ରଭାବ ଆଜୀବନ ରହିପାରେ । ଜୀବନର ପ୍ରଥମ ୧୦୦୦ ଦିନରେ, ଶିଶୁର ମସ୍ତିଷ୍କ ଅନ୍ୟ ସମୟ ଅପେକ୍ଷା ଶୀଘ୍ର ବିକଶିତ ହୁଏ । ଏହା ହେଉଛି ଶିଶୁର ସମାଜିକ ପରିବେଶ ଏବଂ ଅନୁଭୂତି ଯାହା ସେ ଖୁସି, ସୁସ୍ଥ ଏବଂ ସ୍ମାର୍ଟ ହୋଇପାରିବ ବୋଲି ଡବ୍ଲୁ.ସି.ଡି ଏବଂ ମିଶନ୍ ଶକ୍ତି ବିଭାଗର ମୁଖ୍ୟ ଶାସନ ସଚିବ ଶ୍ରୀମତି ଅନୁ ଗର୍ଗ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ମତ ରଖିଛନ୍ତି ।”

ୱେବିନାର୍‌ରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତି ଟୁକୁନୀ ସାହୁ, ୟୁନିସେଫ୍ ଭାରତ ମୁଖ୍ୟ ଡ. ୟସ୍ମିନ୍ ଅଲ୍ଲୀ ହକ୍‌, ଡବ୍ଲୁ.ସି.ଡି ଏବଂ ମିଶନ୍ ଶକ୍ତି ବିଭାଗର ମୁଖ୍ୟ ଶାସନ ସଚିବ ଶ୍ରୀମତି ଅନୁ ଗର୍ଗ, ୟୁନିସେଫ୍ ଓଡିଶାର ମୁଖ୍ୟ ଫିଲ୍ଡ ଅଫିସର୍ ଡ. ମୋନିକା ନେଲ୍ସନ୍‌, ବର୍ଣ୍ଣାଡ୍ ଭ୍ୟାନ୍ ଲିର୍ ଫାଉଣ୍ଡେସନ୍ ର ଭାରତ ପ୍ରତିନିଧି ସୁଶ୍ରୀ ରୁସ୍‌ଦା, ସାମାଜିକ ଜନମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ୍‌, ସମଗ୍ର ଶିକ୍ଷା ଅଭିଯାନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଜେଶ୍ ପୁନିଆ, ଆଦିବାସୀ ଅନୁସନ୍ଧାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ଅଖିଳ ବିହାରି ଓତା ଙ୍କ ସମେତ ବହୁ ପ୍ରମୁଖ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here