ଜିଲ୍ଲାପାଳଙ୍କ ପାଖରେ ବାପାଙ୍କ ବିରୋଧରେ ଅଭିଯୋଗରେ ଆଣିଲେ ଝିଅ, କହିଲେ – ଟଙ୍କା ଓ ଚାଉଳ ନେଇ ଯାଉଛନ୍ତି ବାପା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମା’ ନଥିବା ଝିଅର ମଧ୍ୟାହ୍ନଭୋଜନ ବାବଦକୁ ମିଳୁଥିବା ଟଙ୍କା ଓ ଚାଉଳ ନେଇ ଯାଉଛନ୍ତି ବାପା ଓ ସାବତ ମା’। ଏପରି ଭାବେ ଅଭିଯୋଗ ଆଣିଛି ୧୧ ବର୍ଷର ଝିଅ । ୧୦ କିଲୋମିଟର ଚାଲି ଚାଲି ଆସି ଜିଲ୍ଲାପାଳଙ୍କୁ ନ୍ୟାୟ ମାଗିଛନ୍ତି। କେନ୍ଦ୍ରାପଡା ଜିଲ୍ଲାପାଳ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ମାର୍ଶାଘାଇ ବ୍ଲକ୍‌ ଦୁମୁକା ଗ୍ରାମର ରମେଶ ସେଠୀଙ୍କ ଝିଅ ସୁଶ୍ରୀ ସଂଗୀତା ଦୁମୁକା ବିଦ୍ୟାପୀଠରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି। ପ୍ରାୟ ତିନି ବର୍ଷ ତଳେ ତାଙ୍କ ମା’ଙ୍କ ମୃତ୍ୟୁ ପରେ ପିତା ଦ୍ବିତୀୟ ବିବାହ କରିଥିଲେ। ଏହାପରେ ତାଙ୍କ ବାପାଙ୍କର ଆଉ ଦୁଇଟି ପିଲା ହୋଇଥିଲା। ଏଭଳି ସ୍ଥିତିରେ ବାପା ଓ ସାବତ ମା’ ଲାଳନପାଳନରେ ଅବହେଳା କରିବାରୁ ବଡ଼ବାପା ରବି ସେଠୀଙ୍କ ପାଖେ ରହି ପାଠ ପଢ଼ୁଥିଲେ ସଂଗୀତା। କିନ୍ତୁ କୋଭିଡ୍‌ ସମୟରେ ସ୍କୁଲ୍‌ ବନ୍ଦ କାରଣରୁ ମଧ୍ୟାନ ଭୋଜନ ବାବଦକୁ ଦିଆଯାଉଥିବା ଚାଉଳ ଓ ଟଙ୍କା କୁ ବାପା ନେଇଯାଉଛନ୍ତି ବୋଲି ସଂଗୀତା ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ , ଜୁନ୍‌ ୧୪ରୁ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ପ୍ରଥମ ଦଫାରେ ମଧ୍ୟାହ୍ନ ଭୋଜନ ବାବଦକୁ ଚାଉଳ ସମେତ ପ୍ରତି ମିଲ୍‌ ପିଛା ୮ଟଙ୍କା ୧୦ପଇସା ହିସାବରେ ୫୭ ଦିନର ଟଙ୍କା ଦିଆଯାଇଛି। ଏହି ଟଙ୍କା ସିଧାସଳଖ ଆକାଉଣ୍ଟ୍‌ ଜରିଆରେ ଦିଆଯାଇଥାଏ। ଯେଉଁମାନଙ୍କ ଆକାଉଣ୍ଟ୍‌ କୌଣସି କାରଣରୁ ଅଚଳ ଥାଏ, ସେମାନଙ୍କ ଅର୍ଥ ଶିକ୍ଷକ ମାନେ ସଂପୃକ୍ତ ପିଲାଙ୍କ ଅଭିଭାବକଙ୍କୁ ସ୍କୁଲ୍‌କୁ ଡକାଇ ଦେଇଥାନ୍ତି। ଏହି କ୍ରମରେ ମଧ୍ୟନ୍ହ ଭୋଜନ ବାବଦକୁ ଯେଉଁ ଚାଉଳ ଓ ଟଙ୍କା ମିଳିଥିଲା, ତାକୁ ଅଭିଭାବକ ହିସାବରେ ବାପା ନେଇଯାଇଛନ୍ତି ବୋଲି ଝିଅ ସଂଗୀତା ଜିଲାପାଳଙ୍କୁ କହିଛନ୍ତି। ଏହାସହିତ ଉକ୍ତ ଟଙ୍କା ଓ ଚାଉଳ ବାପାଙ୍କଠୁ ଆଣି ତାଙ୍କୁ ଦେବାକୁ ଝିଅ ଦାବି କରିଛନ୍ତି।

ଅନ୍ୟପକ୍ଷରେ ବାପା ଚାଉଳ ଓ ଟଙ୍କା ନେଇଯାଉଥିବା ଅଭିଯୋଗକୁ ଜିଲ୍ଲାଶିକ୍ଷାଧିକାରୀ ସଂଜୀବ କୁମାର ସିଂହ ଖଣ୍ତନ କରିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲାପାଳଙ୍କ ନିର୍ଦେଶ ପରେ ଘଟଣାର ତଦନ୍ତ ହୋଇଛି। ତଦନ୍ତରୁ ଝିଅର ବାପା ଟଙ୍କା କିମ୍ବା ମଧୢାହ୍ନ ଭୋଜନ ନେଇ ନଥିବା ଜଣାପଡ଼ିଛି। ଝିଅର ବାପା ଟଙ୍କା ନେବା ପାଇଁ ସ୍କୁଲ୍‌କୁ ଆସିଥିଲେ ବି ଶିକ୍ଷକ ତାଙ୍କୁ ଦେଇ ନାହାନ୍ତି। ସମସ୍ତ ଟଙ୍କା ଓ ଚାଉଳ ଝିଅକୁ ହିଁ ଦିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here