୨୪ ଘଣ୍ଟା ପରେ ପୁଣି ଖସିବ ରାତି ତାପମାତ୍ରା

ଭୁବନେଶ୍ୱର : ପୂର୍ବ ତରଙ୍ଗାୟିତ ପବନ ଯୋଗୁଁ ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ସ୍ଥାନର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ଏପରିକି କିଛି ସ୍ଥାନରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ବଢ଼ିଛି। ଏଥିସହ ରାଜ୍ୟର ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ସମସ୍ତ ସ୍ଥାନରେ ପାଗ ମେଘୁଆ ମଧ୍ୟ ରହିଥିଲା। କିନ୍ତୁ ୨୪ ଘଣ୍ଟା ପରେ ରାଜ୍ୟରେ ପୂର୍ବ ଟ୍ରଫ୍‌ ଲାଇନ୍‌ର ପ୍ରଭାବ ରହିବ ନାହିଁ ଓ ପୁଣି ସର୍ବନିମ୍ନ ତାପମାତ୍ରା ଖସିବା ଆରମ୍ଭ କରିବ। ୧୫ ତାରିଖ ସୁଦ୍ଧା ଏହା ସ୍ବାଭାବିକ କିମ୍ବା ତା’ଠାରୁ କମ୍‌ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଗତକାଲି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ରହିଥିବା ପୂର୍ବ ଟ୍ରଫ୍‌ ଲାଇନ୍‌ ଏବେ ଦକ୍ଷିଣ ମୁହାଁ ହୋଇଛି। ଏବେ ଏହା ଶ୍ରୀଲଙ୍କା ଉପକୂଳରୁ ଉତ୍ତର ତାମିଲନାଡୁ ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବ ଓଡ଼ିଶାରେ ଆସନ୍ତାକାଲି ଅପରାହ୍ନ ଯାଏ ରହିବ। ଏହାପରେ ରାଜ୍ୟର ତାପମାତ୍ରା ପୁଣି ଖସିବ। ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକ ଆଂଶିକ ମେଘୁଆ ରହିପାରେ। ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜମ ଓ ପୁରୀରେ ସ୍ବଳ୍ପ ବର୍ଷା ହୋଇପାରେ। ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ। ଆସନ୍ତାକାଲି ଅପରାହ୍ନରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ। ଏବେ ରାଜ୍ୟର ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। କିନ୍ତୁ ୨୪ ଘଣ୍ଟା ପରେ ରାଜ୍ୟର ତାପମାତ୍ରା ପୁଣି ଖସିବା ଆରମ୍ଭ କରିବ। ୧୫ ତାରିଖରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପୁଣି ୩/୪ ଡିଗ୍ରି ପର୍ଯ୍ୟନ୍ତ ଖସିବ। ଫଳରେ ଏବେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିବା‌ ବେଳେ ଆସନ୍ତା ୧୫ ତାରିଖ ଆଡ଼କୁ ଏହା ସ୍ବାଭାବିକ ହୋଇଯିବ। ଭୁବନେଶ୍ବରର ଆଜି ସର୍ବନିମ୍ନ ତାପମାତ୍ରା ୨୨.୫ ଡିଗ୍ରି ରହିଥିବା ବେଳେ କଟକର ୨୧.୨ ଡିଗ୍ରି ରହିଥିଲା। ଆସନ୍ତାକାଲି ଦ୍ବୈତନଗରୀର ଆକାଶ ଆଂଶିକ ମେଘୁଆ ରହିବ ଓ ତାପମାତ୍ରା ୨୨ ଡିଗ୍ରି ପାଖାପାଖି ରହିବ। ୨୪ ଘଣ୍ଟା ପରେ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ଖସି ୧୯ ଡିଗ୍ରି ପାଖାପାଖି ପହଞ୍ଚିଯିବ। ଏହାପରେ ଆହୁରି ୧ ଡିଗ୍ରି ପର୍ଯ୍ୟନ୍ତ ପାରଦ ଖସିପାରେ। ଗତ ୨୪ ଘଣ୍ଟାରେ ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଯଥା ପୁରୀ, ଖୋର୍ଧା, ନୟାଗଡ଼, ଗଜପତି, ଗଞ୍ଜାମ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଯଥା, କନ୍ଧମାଳ, ରାୟଗଡ଼ା, କୋରାପୁଟରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ସର୍ବାଧିକ ବର୍ଷା ଖୋର୍ଧା ଜିଲ୍ଲା ବାଣପୁରରେ ୩୨.୦ ମିମି ବର୍ଷା ରେକର୍ଡ ହୋଇଛି। ଏଥିସହ କନ୍ଧମାଳ ଜିଲ୍ଲା ଟିକାବାଲିରେ ୧୧.୦ ମିମି, ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ୧୦.୦ ମିମି ବର୍ଷା ହୋଇଯାଇଛି। ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ଆଂଶିକ ମେଘୁଆ ରହିଥିଲା। ଫଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ହୋଇଛି। ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ସ୍ବା‌ଭାବିକଠାରୁ ୩/୪ ଡିଗ୍ରି ଅଧିକ ରହିଛି।

Courtesy:sambad

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here