ସବ୍ ଜେଲ୍ ପ୍ରତିଷ୍ଠା ପାଇଁ ଗୃହ ବିଭାଗ ଅମଙ୍ଗ, ଆନ୍ଦୋଳନ କୁ ଓହ୍ଲାଇବେ ଓକିଲ ସଂଘ!

 ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ୨୦୦୭ମସିହାରେ ଏକ ଜେଏମଏଫସି କୋର୍ଟ ପ୍ରତିଷ୍ଠା କରା  ଯାଇଥିଲା । ସେତେବେଳେ ଏହି କୋର୍ଟର ବିଚାରାଧୀନ ବନ୍ଦୀ ମାନଙ୍କୁ ଏଠାରୁ ପ୍ରାୟ ୪୦କିଲୋମିଟର ଦୂର ଯାଜପୁର ସବ୍ ଜେଲରେ ନେଇ ରଖା ଯାଉଥିଲା । ପରବର୍ତ୍ତୀ ସମୟରେ ଯାଜପୁର ସବ୍ ଜେଲର ପାଚେରୀ ଭାଙ୍ଗିଯିବା କାରଣରୁ ସେଠାରେ ରହୁଥିବା ବିଚାରାଧୀନ ବନ୍ଦୀ ମାନଙ୍କୁ ରଗଡ଼ିଠାରେ ଥିବା ଯାଜପୁର ରୋଡ଼ ସବ୍ ଜେଲକୁ ସ୍ଥାନାନ୍ତର କରି ଦିଆ ଯାଇଥିଲା । ସେବେଠାରୁ ଚଣ୍ଡିଖୋଲ କୋର୍ଟର ବିଚାରାଧୀନ ବନ୍ଦୀ ମାନେ ଯାଜପୁର ରୋଡ଼ ସବ୍ ଜେଲରେ ନେଇ ରଖା ଯାଉଛି । ଚଣ୍ଡିଖୋଲଠାରୁ ଯାଜପୁର ରୋଡ଼ ସବ୍ ଜେଲର ଦୂରତା ମଧ୍ୟ ୪୦କିଲୋମିଟରରୁ ଉର୍ଦ୍ଧ୍ବ ହୋଇଥିଲା ବେଳେ ବଡ଼ଚଣା, ଧର୍ମଶାଳା, ବାଲିଚନ୍ଦ୍ରପୁର, ଜେନାପୁର ଓ ବୈରୀ ପ୍ରଭୃତି ୫ଗୋଟି ଥାନା ସମେତ ଅବକାରୀ, ବନ ବିଭାଗ ଏବଂ ରେଳବାଇ ପୋଲିସ୍ ପକ୍ଷରୁ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଚାଲାଣ କରୁଥିବା ପ୍ରତିବର୍ଷ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଅଭିଯୁକ୍ତଙ୍କୁ ବିଚାରାଧୀନ ବନ୍ଦୀ ଭାବେ ରଖିବାକୁ ଯାଜପୁର ରୋଡ଼ ସବ୍ ଜେଲକୁ ପ୍ରେରଣ କରିଥାନ୍ତି । ଫଳରେ ଅଭିଯୁକ୍ତ ମାନଙ୍କୁ ନେଇ ସେହି ଜେଲରେ ଛାଡ଼ିବା ସମୟରେ ପୋଲିସ୍ ଓ ସମ୍ପୃକ୍ତ ବିଭାଗର କର୍ମଚାରୀ ମାନଙ୍କୁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅନ୍ୟପକ୍ଷରେ କୋର୍ଟ ଠାରୁ ଏତେ ଲମ୍ବା ଦୂରତାରେ ନେଇ ଅଭିଯୁକ୍ତଙ୍କୁ ରଖାଯାଉ ଥିବାରୁ ଅନେକ ସମୟରେ କୋର୍ଟ କିଛି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ପରେ ମଧ୍ୟ ସେମାନଙ୍କ ମୁକୁଳିବା ଆଦେଶ କୋର୍ଟରୁ ଯାଇ ଜେଲରେ ପହଞ୍ଚିବାରେ ବିଳମ୍ବ ଘଟିବା ଯୋଗୁଁ ସେଦିନ ସେହି ଅଭିଯୁକ୍ତ ଜେଲରୁ ମୁକୁଳି ନ ପାରି ଅଗତ୍ୟା ଆହୁରି ଗୋଟିଏ ରାତି ସେହି ଜେଲରେ ବିତାଇଥିବା ନଜିର ରହିଛି । ସେହିଭଳି ପ୍ରତି ୧୪ଦିନ ଅନ୍ତରରେ ବିଚାରାଧୀନ ବନ୍ଦୀ ମାନଙ୍କୁ ସେହି ଜେଲରୁ ନେଇ କୋର୍ଟରେ ହାଜର କରାଇ ପୁଣି ଜେଲରେ ଆଣି ଛାଡ଼ିବା ସମୟରେ ପୋଲିସ୍ ଏସ୍କର୍ଟ ପାର୍ଟି ସମେତ ସେହି ଅଭିଯୁକ୍ତ ମାନଙ୍କୁ ନାନା ପ୍ରକାର ଅସୁବିଧାର ସମ୍ମୁଖିନ ହେବା ସହ ରାଜକୋଷରୁ ମଧ୍ୟ ବିପୁଳ ଅର୍ଥ ବ୍ୟୟ କରିବାକୁ ପଡୁଛି ଏବଂ ଅଭିଯୁକ୍ତଙ୍କ ପରିବାର ଲୋକ କିମ୍ୱା ଓକିଲ କୌଣସି ସମୟରେ ତାଙ୍କୁ ଜେଲରେ ଯାଇ ଭେଟି ଫେରିବା ବେଳକୁ ଅଯଥାରେ ଗୋଟିଏ ଦିନ ବିତି ଯାଉଛି । କିନ୍ତୁ ଚଣ୍ଡିଖୋଲଠାରେ କୋର୍ଟ ଖୋଲିବାକୁ ଇତିମଧ୍ୟରେ ୧୪ବର୍ଷ ବିତିବାକୁ ବସିଥିବା ବେଳେ ଏହା ଅଧିନରେ ଏକ ସବ୍ ଜେଲ ପ୍ରତିଷ୍ଠା କରିବା ଦିଗରେ ରାଜ୍ୟ ଗୃହ ବିଭାଗ କିମ୍ୱା ସ୍ଥାନୀୟ ବିଧାୟକ ମାନେ କୌଣସି ଉଦ୍ୟମ କରୁ ନ ଥିଲା ବେଳେ ଚଣ୍ଡିଖୋଲର ଓକିଲ ମାନେ ବିଭିନ୍ନ ସମୟରେ ଗୃହ ବିଭାଗ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ତାହା ମଧ୍ୟ ଫଳବତୀ ହୋଇ ପାରୁନାହିଁ । ଅତୀତରେ ଏଥିନେଇ ସ୍ଥାନୀୟ ଓକିଲ ମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ନିକଟରେ ପହଞ୍ଚି ସ୍ଥାନୀୟ ବିଧାୟକ ଓ ଯାଜପୁରର ତତ୍କାଳୀନ ଏସପି ଚରଣ ସିଂ ମୀନା ଏଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇ ଯିବାକୁ ଇତିମଧ୍ୟରେ ୪ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନେ କୌଣସି ଉଦ୍ୟମ କରି ନ ଥିଲେ । ତେବେ ଶେଷଥର ପାଇଁ ଗତ ଅଗଷ୍ଟ ମାସରେ ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନ ପକ୍ଷରୁ ପୁନର୍ବାର ଏଥିନେଇ ଗୃହ ବିଭାଗର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା । ମାତ୍ର ଏଭଳି ଏକ ଯଥୋଚିତ ଦାବୀକୁ ପ୍ରତ୍ୟାଖ୍ୟାନ କରି ଏଠାରୁ ପୁଣି ୪୦କିଲୋମିଟର ଦୂର ସଠିପୁର ନିକଟ ପଥରପଦାଠାରେ ଏକ ସବ୍ ଜେଲ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଚଣ୍ଡିଖୋଲଠାରେ ନୂତନ ଭାବେ ଆଉ ଏକ ସବ୍ ଜେଲ ପ୍ରତିଷ୍ଠା କରାଯିବାର ଔଚିତ୍ୟତା ନାହିଁ ବୋଲି ଗୃହ ବିଭାଗ(ଜେଲ୍)ର ପତ୍ର ସଂଖ୍ୟା ୪୦୨୨୨/ ୧୫.୧୧.୨୦୧୧ କ୍ରମେ ନିଷ୍ପତ୍ତି ନିଆ ଯାଇଥିବା ଜଣା ପଡ଼ିବା ପରେ ଏହାକୁ ନେଇ ଓକିଲ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାର ଏଭଳି ନିଷ୍ପତ୍ତିକୁ ପୁର୍ନବିଚାର କରିବା ପୂର୍ବକ ଜନସ୍ବାର୍ଥ ଦୃଷ୍ଟିରୁ ଚଣ୍ଡିଖୋଲ କୋର୍ଟ ଅଧୀନରେ ଏଠାରେ ଏକ ସବ୍ ଜେଲ ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ଶରତ କୁମାର ଷଡଙ୍ଗୀ, ଜନ୍ ବେହେରା, ପ୍ରତାପ କୁମାର ଦାସ, ପୂର୍ବତନ ଉପ ସଭାପତି ନଳିନୀକାନ୍ତ ମିଶ୍ର, ପ୍ରେମାନନ୍ଦ ବେହେରା, ପୂର୍ବତନ ସମ୍ପାଦକ ଉଦୟନାଥ ସାହୁ, ସୁରେଶ ଚନ୍ଦ୍ର ପଣ୍ଡା, ବରିଷ୍ଠ ଆଇନଜୀବି କୈଳାସ ଚନ୍ଦ୍ର ସାମଲ, ରୁଦ୍ର ନାରାୟଣ ମହାନ୍ତି, ସୁବ୍ରତ କୁମାର ସ୍ବାଇଁ, ଗୋପାଳ ଚନ୍ଦ୍ର ପଣ୍ଡା, ରମେଶ ଚନ୍ଦ୍ର ନାୟକ ଓ ଧ୍ରୁବ ଚରଣ ଦାସ ପ୍ରମୁଖ ଗୃହ ବିଭାଗ ନିକଟରେ ଦାବୀ କରିଛନ୍ତି । ତାହା ନ ହେଲେ ପୁନର୍ବାର ଓକିଲ ମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Report: ତ୍ରିଲୋଚନ ବେହେରା, ଯାଜପୁର

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here