ପ୍ରବାସୀ କଳିଙ୍ଗ ମିତ୍ର ସମାଜ ର ରଜ ମିଳନ, ୩୦ରୁ ଅଧିକ ଦେଶର ପ୍ରବାସୀ ଓଡ଼ିଆଙ୍କ ବନ୍ଧୁ ମିଳନ

ପ୍ରବାସୀ କଳିଙ୍ଗ ମିତ୍ର ସମାଜ ଆନୁକୂଲ୍ୟରେ ରଜ ମିଳନ କାର୍ଯ୍ୟକ୍ରମ ୱେବ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି ।

ବିଦେଶରେ ଥାଇ ପ୍ରବାସୀ ଓଡ଼ିଆମାନେ ନିଜ ମାତୃଭାଷା ଓ ମାତୃଭୂମିକୁ ଭୁଲି ନାହାନ୍ତି ଏବଂ ନିଜ ମାଟିର ମମତା ଓ ମହକରେ ଅଧିକ ମହିମା ମଣ୍ଡିତ ହୋଇଛନ୍ତି ବୋଲି ଏହି ସମ୍ମିଳନୀରେ ଯୋଗ ଦେଇ ବକ୍ତାମାନେ କହିଛନ୍ତି ।

ଓଡ଼ିଶାର ନିଜସ୍ୱ ମୌଳିକ ଜାତୀୟ ପର୍ବ ରଜ ଉତ୍ସବ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ଆସର ସହିତ ‘କୀର୍ତ୍ତିମାନ ନାୟକଙ୍କ ଜୀବନ ଗାଥା’ ଶୀର୍ଷକରେ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ କୁ ପ୍ରବାସୀ କଳିଙ୍ଗ ମିତ୍ର ସମାଜର ସଦସ୍ୟ ଡ. ସୁବାସ ସାହୁ, ଡ. ଅଦ୍ରୀଶ ବ୍ରହ୍ମଦତ୍ତ, ଡ. ଶୀତଲ କୁମାର, ଡ. ମାନସ କୁମାର ପ୍ରଧାନ ପ୍ରମୁଖ ଆୟୋଜନ କରିଥିଲେ।

ଏହି କ୍ରମରେ ହୋ ଚି ମିନ ସିଟି ଭିଏତନାମରେ ଅବସ୍ଥାପିତ ଭାରତୀୟ ବାଣିଜ୍ୟ ରାଷ୍ଟ୍ରଦୂତ ଡ. ମଦନ ମୋହନ ସେଠୀ ଏବଂ ବାହରିନରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ କୁମାର ପ୍ରହରାଜ ନିଜ ନିଜ ଜୀବନର କୀର୍ତ୍ତି ଗାଥା ଅବତାରଣା କରିଥିଲେ ।

ଡ. ମଦନ ମୋହନ ସେଠୀ ତାଙ୍କର ଜୀବନ ସଂଗ୍ରାମ, ପ୍ରଶାସନିକ ସେବାର ଆହ୍ବାନ ଓ ଆନନ୍ଦ, ଭାରତୀୟ ବିଦେଶ ସେବାର ଅନୁଭୂତି, ଅଭିଜ୍ଞତା ତଥା ବିଦେଶରେ ଓଡ଼ିଆ ଯୁବ ସମ୍ବଳ ପାଇଁ ସୁଯୋଗ ଓ ସମ୍ଭାବନା ଆଦି ସମ୍ପର୍କରେ ଏକ ସୁବିସ୍ତୃତ ବକ୍ତବ୍ୟ ରଖୁଥିଲେ ।

ଡ. ସେଠୀ ତାଙ୍କ ଛାତ୍ର ଜୀବନର କରୁଣ ଅଥଚ ରୋମାଞ୍ଚକର ଅନୁଭୂତି ବର୍ଣ୍ଣନା କରିବାକୁ ଯାଇ ଆଜିର ଯୁବ ସମାଜକୁ ଏକ ଭାଗ୍ୟବାନ ପିଢ଼ି ବୋଲି ଅଭିହିତ କରିଥିଲେ । ଏବେକାର ଯୁବ ସମାଜ ଆଗରେ ସମଗ୍ର ବିଶ୍ୱର ସୁଯୋଗ ଉନ୍ମୁକ୍ତ ବୋଲି ସେ କହିଥିଲେ ।

ସେହିପରି ଡ. ଅରୁଣ କୁମାର ପ୍ରହରାଜ ଦାଦାଭାଇ ଗ୍ରୁପର ସି ଇ ଓ ଭାବରେ ତାଙ୍କର ଅନୁଭୂତି, ଅଭିଜ୍ଞତା, ଆଦ୍ୟ ଜୀବନର ଯାତ୍ରା ଓ ଅଦ୍ୟ ଜୀବନର ଯୋଜନା, ବିଦେଶରେ ଓଡ଼ିଆ ଯୁବକଙ୍କ ପାଇଁ ଔଦ୍ୟୋଗିକ ସୁଯୋଗ, ଓଡ଼ିଶାରେ ନବ ଉଦ୍ୟମୀ ମାନଙ୍କ ପାଇଁ ଥିବା ଭିତ୍ତିଭୂମି ଆଦି ସମ୍ପର୍କରେ

ଏକ ତଥ୍ୟ ସମ୍ବଳିତ ବିବରଣୀ ଉପସ୍ଥାପନ କରିଥିଲେ । ଓଡ଼ିଶାର ପ୍ରାକୃତିକ ସମ୍ବଳ, ମାନବ ସମ୍ବଳକୁ ଉପଯୋଗ କରି ଓଡ଼ିଶାର ନବ ଯୁବକମାନେ ନବ ଉଦ୍ୟୋଗ ମାଧ୍ୟମରେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରି ପାରିବେ ବୋଲି କହିଥିଲେ। ଡ. ପ୍ରହରାଜ ଆହୁରି କହିଥିଲେ ଯେ ଉଦ୍ୟୋଗ ପ୍ରତିଷ୍ଠା ଓ ପରିଚାଳନା ବିଷୟ ଶିକ୍ଷା ପାଠ୍ୟକ୍ରମରେ ରହିବା ଉଚିତ । ଏହା ଦ୍ୱାରା ବିଶ୍ବ ସ୍ତରୀୟ ବାଣିଜ୍ୟ ପ୍ରତିଯୋଗିତାରେ ଆମ ଓଡ଼ିଆ ଯୁବକ ମାନେ ନିଜକୁ ସାମିଲ କରି ପାରିବେ ।

ବାହରିନ ଓଡ଼ିଆ ସମାଜ ପ୍ରତିଷ୍ଠାର ଇତିବୃତ୍ତ, ବିଦେଶ ମାଟିରେ ଓଡ଼ଶାର ଐତିହ୍ୟପୂର୍ଣ୍ଣ ସଂସ୍କୃତି, ଓଡ଼ିଶାର ପର୍ଯ୍ୟଟନ, ଓଡ଼ିଶାର ପାରମ୍ପରିକ ଖାଦ୍ୟ ସମ୍ଭାର ଆଦିର ପ୍ରଚାର ସହିତ ବ୍ରାଣ୍ଡ ଓଡ଼ିଶା ବା ଓଡ଼ିଶା ନାମ କୁ ଗୌରବାନ୍ୱିତ କରିବାରେ ତାଙ୍କର ଆନ୍ତରିକ ଉଦ୍ୟମ ସମ୍ପର୍କରେ ଏକ ବିବରଣୀ ଦେଇ ଥିଲେ । ବିଶେଷତଃ ବାହରିନରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମାନବିକ ଓ ସାମାଜିକ ଅଧିକାର, ବୃତ୍ତିଗତ ଜୀବିକା ଓ ଜୀବନ ସୁରକ୍ଷା ଆଦିରେ ତାଙ୍କର ଅହରହ ସଂଗ୍ରାମ ଅବତାରଣା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସଞ୍ଜୀବ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଜୁଲି ସ୍ୱାଇଁ ଏହାକୁ ପରିଚାଳନା କରିଥିବା ବେଳେ ଓଡ଼ିଶା ପ୍ରତିନିଧି ଭାବରେ ବିଶ୍ବ ଓଡ଼ିଶାର ସମ୍ପାଦକ ମନୋଜ ମନ୍ମୟଙ୍କ ସମେତ ୩୦ ରୁ ଅଧିକ ଦେଶର ଓଡ଼ିଆ ପ୍ରତିନିଧି ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ମଂଗଳାଚରଣ କରିଥିଲେ ମୁଖ୍ୟଦା ତ୍ରିପାଠୀ, ସୁଫି ସଂଗିତ ପରିବେଷଣ କରିଥିଲେ ପ୍ରକାଶଚନ୍ଦ୍ର ରଉତ ଓ ଶେଷରେ RJ ସ୍ୱାତୀଂକ ଭଜନ ସହିତ କାର୍ଯ୍ୟକ୍ରମ ସମାପନ ହୋଇଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here