ଆସନ୍ତା ୧୯ ତାରିଖରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜରେ ଆରମ୍ଭ ହେବ ଜିଲ୍ଲାର ସ୍ବତନ୍ତ୍ର କୋଭିଡ ହସପିଟାଲ: ପୁରୀ

# ଜିଲ୍ଲାରେ କରୋନା ପରିସ୍ଥିତି ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା

ପୁରୀ- ତା.୧୭.୦୫.୨୦୨୧- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାରେ କୋଭିଡ ମୁକାବିଲା, ଟେଷ୍ଟିଂ, ଚିକିତ୍ସା ଓ ଟୀକାକରଣ ଏବଂ ଜିଲ୍ଲାରେ କୋଭିଡ ପରିଚାଳନା ଓ ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ପୁରୀ ଜିଲ୍ଲାରେ ସ୍ବତନ୍ତ୍ର ଭାବେ ଜିଲ୍ଲା କୋଭିଡ ହସପିଟାଲ ପ୍ରତିଷ୍ଠା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସ୍ବାଗତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣେଇଛନ୍ତି । ଆସନ୍ତା ୧୯ ତାରିଖ ଦିନ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜରେ ଜିଲ୍ଲାର ସ୍ବତନ୍ତ୍ର କୋଭିଡ ହସପିଟାଲ କାର୍ଯ୍ୟକ୍ଷମ ହେବା ସହିତ ଏଥିରେ ୨୦ଟି ଭେଣ୍ଟିଲେଟର, ୪୦ଟି HDU, ୯୦ଟି ଅକ୍ସିଜେନ୍ ଶଯ୍ୟାର ବ୍ୟବସ୍ଥା ରହିବ ବୋଲି ଶ୍ରୀ ଦାସବର୍ମା ପ୍ରକାଶ କରିଛନ୍ତି । ଭୁବନେଶ୍ବରସ୍ଥିତ ସମ୍ ମେଡିକାଲ କଲେଜ ଓ ଜିଲ୍ଲା ପ୍ରଶାସନ ମିଳିତ ସହଭାଗିତାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହଯୋଗରେ ଏହା କାର୍ଯ୍ୟକାରୀ ହେଲେ ଜିଲ୍ଲାରେ ସଂକ୍ରମଣକୁ ରୋକିବା ଏବଂ ଅତ୍ୟାଧୁନିକ ଚିକିତ୍ସା ପାଇଁ ଏକ ବ୍ୟାପକ ଭିତ୍ତିଭୂମି ସୁଯୋଗ ଉପଲବ୍ଧ ହୋଇପାରିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ଗ୍ରାମାଞ୍ଚଳରେ ସଂକ୍ରମଣକୁ ରୋକିବା ନିମନ୍ତେ ବିହିତ ପଦକ୍ଷେପ ସହ ପ୍ରତ୍ୟେକ ବ୍ଲକକୁ ଆଉ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି ।

ଜିଲ୍ଲାବାସୀ କୋଭିଡ ମହାମାରୀକୁ ମୁକାବିଲା କରୁଥିବା ବେଳେ କୋଭିଡର ସମସ୍ତ ନୀୟମ ପାଳନ ପୂର୍ବକ ସଠିକ ଭାବରେ ଯୋଗ୍ୟ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିବା ପାଇଁ ସେ ଗୁରୁତ୍ବାରୋପ କରିଛନ୍ତି ।

ଜିଲ୍ଲାରେ କୋଭିଡ ମହାମାରୀର ସଂକ୍ରମଣକୁ ରୋକିବା ଓ କୋଭିଡ ପରିଚାଳନାକୁ ସଠିକ ମାର୍ଗରେ ନେବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ୧୧ଟି ଯାକ ବ୍ଲକରେ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ଓ କୋଭିଡ କେୟାର ସେଣ୍ଟର ପରିଚାଳନା ସଂପର୍କରେ ମଧ୍ୟ ସମୀକ୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ୧୧୪୭ଟି ଶଯ୍ୟା ପ୍ରସ୍ତୁତ ହୋଇ ରହିଛି । ଦୈନିକ ହାରାହାରି ୪୦୦ ସଂକ୍ରମଣଙ୍କୁ ଚିକିତ୍ସା ଜାରି ରହିଛି । ଗତ ଏପ୍ରିଲ ପହିଲାରୁ ଏପର୍ଯ୍ୟନ୍ତ ୫୬ ହଜାର ୭୧୩ ଜଣଙ୍କୁ କରୋନା ଟେଷ୍ଟିଂ କରାଯାଇଛି । ଆଣ୍ଟିଂଜେନ ଓ RT-PCR ମାଧ୍ୟମରେ କରାଯାଇଥିବା କରୋନା ପରୀକ୍ଷାରେ ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୫୯୪ ରେ ପହଞ୍ଚିଛି ଯାହାର ଆନୁପାତିକ ପ୍ରତିଶତ ୧୮.୭ ରହିଛି । ଉଭୟ ଉପାୟରେ ପରୀକ୍ଷା ପାଇଁ ଜିଲ୍ଲାରେ ସ୍ବତନ୍ତ୍ର ପରୀକ୍ଷାଗାର କାର୍ଯ୍ୟକ୍ଷମ ଥିବାବେଳେ ଆବଶ୍ୟକ ବେଳେ ଭୁବନେଶ୍ବରରେ ସ୍ବତନ୍ତ୍ର ଭାବରେ ପରୀକ୍ଷାପାଇଁ ବେସରକାରୀ ସଂସ୍ଥା ସହିତ ସରକାରୀ ଭାବେ ବ୍ୟବସ୍ଥା କରାଯାଉଛି । ଟେଷ୍ଟିଂକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ବ ଦେଇଛନ୍ତି । ଜିଲ୍ଲାରେ ଥିବା ଟେଷ୍ଟିଂ ଯନ୍ତ୍ରପାତି କୌଣସି ପରିସ୍ଥିତିରେ ବିଫଳ ନହୁଏ ସେଥିପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ବ ଏକ ଲକ୍ଷ ୯୪ ହଜାର ୬୨୧ ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି ଯାହା ଜିଲ୍ଲାରେ ଏହି ବୟସ ସୀମାର ୪୮.୪୪ ପ୍ରତିଶତ । ସେହିଭଳି ପ୍ରଥମ ଡୋଜ ଟୀକାକରଣ କାର୍ଯ୍ୟକ୍ରମ ଯାରି ରହିଥିବା ବେଳେ ଆଜି ସୁଦ୍ଧା ୩୨ ହଜାର ୪୧୦ ଜଣଙ୍କୁ ଦ୍ବିତୀୟ ଡୋଜ ଟୀକା ପ୍ରଦାନ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ହଜାର ୬୬୬ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୫୫୪ ଜଣଙ୍କୁ ଦ୍ବିତୀୟ ଡୋଜ ଟୀକା ଦିଆଯାଇଛି । ସମ୍ମୁଖ ଯୋଦ୍ଧା ଭାବେ ଘୋଷିତ ବର୍ଗଙ୍କ ମଧ୍ୟରେ ୮୬୮୫ ଜଣ ପ୍ରଥମ ଡୋଜ ଟୀକା ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୦୩୩ ଜଣଙ୍କୁ ଦ୍ବିତୀୟ ଡୋଜ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ସେବାୟତ ଓ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ବ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟୀକାକରଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ବୈଠକରେ ସୂଚନା ଦେଇଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here