ପ୍ରଜ୍ଞାପୁରୁଷ ମନୋଜ ଦାସଙ୍କୁ ଭାବମୟ ଶ୍ରଦ୍ଧାଞ୍ଜଳି ‘ମନସ୍ଵୀ ମନୋଜ୍ଞ ମନୋଜ’

ଚେନ୍ନାଇ/ ଭୁବନେଶ୍ୱର, ୧୩.୫ : ସୃଜନୀ ପରିବାର, ଚେନ୍ନାଇ ଆନୁକୂଲ୍ୟରେ ମନସ୍ଵୀ ମନୋଜ ଦାସଙ୍କୁ ଭାବମୟ ମନୋଜ୍ଞ ଶ୍ରଦ୍ଧାଞ୍ଜଳି ଅନଲାଇନ ୱେବିନାର ମାଧ୍ୟମରେ ଅର୍ପଣ କରାଯାଇଛି ।

ପଦ୍ମଶ୍ରୀ ମନୋଜ ଦାସ ତାଙ୍କ ରଚନା ସମଗ୍ର ମାଧ୍ୟମରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷା ସାହିତ୍ୟକୁ ଯେପରି ସ୍ଵକୀୟ ଶୈଳୀରେ ପ୍ରଭାବିତ ଓ ପ୍ରତିଭାତ କରିଛନ୍ତି, ସେଥିନିମନ୍ତେ ସେ ଉଭୟ ଭାଷା ସାହିତ୍ୟରେ ଚିର ସ୍ମରଣୀୟ ରହିବେ । ବିଶେଷ କରି ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ତାଙ୍କର ସୁଯଶ ଓଡ଼ିଆ ଜାତିକୁ ଗୌରବାନ୍ୱିତ କରିଛି ବୋଲି ଉପସ୍ଥିତ ମନୋଜ ପ୍ରେମୀ ମାନେ ବ୍ୟକ୍ତ କରିଥିଲେ ।

ପ୍ରାରମ୍ଭରେ ଜଗନ୍ନାଥ ଭଜନ ଓ ମାତୃ ବନ୍ଦନା ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସୃଜନୀ ପରିବାର, ଚେନ୍ନାଇର ସମ୍ପାଦକ ଶ୍ରୀ ଅଶୋକ ସାମନ୍ତ ସ୍ୱାଗତ ବକ୍ତବ୍ୟରେ ମନୋଜ ଦାସଙ୍କ ସହିତ ଥିବା ଦୀର୍ଘଦିନର ସାହିତ୍ୟ ଓ ବ୍ୟକ୍ତିଗତ ସମ୍ପର୍କ ସ୍ମୃତି ଚାରଣ ପୂର୍ବକ ତାଙ୍କର ବିଶାଳ ବ୍ୟକ୍ତିତ୍ୱର ଅବତାରଣା କରିଥିଲେ ।

କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ ‘ମନୋଜ୍ଞ ମନୋଜ’ରେ ମୁଖ୍ୟବକ୍ତା ସାହିତ୍ୟ ସାଧିକା, କବି ଶ୍ରୀମତୀ ମମତା ଦାଶ, ସମ୍ମାନିତ ବକ୍ତା କବି ତଥା ପ୍ରାବନ୍ଧିକା ଶ୍ରୀମତୀ ରାଜଲକ୍ଷ୍ମୀ ତ୍ରିପାଠୀ ମନୋଜ ସାହିତ୍ୟର ମର୍ମସ୍ପର୍ଶୀ ମାନବୀୟ ସମ୍ବେଦନଶୀଳତା ପ୍ରକାଶ କରିଥିଲେ। ତାଙ୍କ ବକ୍ତବ୍ୟରେ ମନୋଜ ଦାସଙ୍କ ସହିତ ପ୍ରତ୍ୟକ୍ଷ ସାନିଧ୍ୟର ଅନୁଭୂତି ପରଷିଥିଲେ ଓ ମନୋଜ୍ଞ ମନୋଜଙ୍କୁ ଅଙ୍ଗେନିଭା ଭାବ ବିହ୍ୱଳ କଥାମୃତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  । ଏହି ଅଧିବେଶନକୁ  କବି ତଥା ସ୍ତମ୍ଭକାର ଶ୍ରୀ ସୁଧିରାଜ ରାଉତ ସଞ୍ଚାଳନ କରିଥିଲେ ।

ଦ୍ଵିତୀୟ ଅଧିବେଶନ ‘ମନସ୍ଵୀ ମନୋଜ’ରେ    ପ୍ରଶାନ୍ତ ଭୂୟାଁ, ଟରଣ୍ଟୋ, କାନାଡ଼ା, ପ୍ରାଧ୍ୟାପିକା ଶ୍ରୀଜୟା ଦାସ, ଭୁବନେଶ୍ବର, ସାହିତ୍ୟକ ଡାକ୍ତର କମଳ କୃଷ୍ଣ ତ୍ରିପାଠୀ,ଜୟପୁର, ମନୋଜ ମନ୍ମୟ, ସାଧାରଣ ସମ୍ପାଦକ, ବିଶ୍ଵ ଓଡ଼ିଶା, ସନ୍ତୋଷ ବାରିକ, ପ୍ରକାଶକ,ସ୍ୱାବଲମ୍ବନ,  ସାହିତ୍ୟକ ତଥା ପ୍ରବଚକ  ସୁଭାଷ ପଣ୍ଡା, ପ୍ରଫେସର ଗୋଦାବରୀଶ ମିଶ୍ର (ଦର୍ଶନ), ମାଡ୍ରାସ୍ ବିଶ୍ଵ ବିଦ୍ୟାଳୟ, ମୁଖ୍ୟ ଉପଦେଷ୍ଟା ସୃଜନୀ ପରିବାର ଆଶୁତୋଷ ସାମନ୍ତ ସିଂହାର (ଆଇ. ଏଫ୍. ଏସ – ଅବସରପ୍ରାପ୍ତ) ପ୍ରମୁଖ ଯୋଗଦେଇ ବହୁ ଦିଗକୁ ପରିବ୍ୟାପ୍ତ ହୋଇଥିବା ମନୋଜ ସାହିତ୍ୟର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶ୍ବ ମାନବୀୟ ସମ୍ବେଦନା, ମହାଭାରତୀୟ ଦର୍ଶନ ଏବଂ ପ୍ରତିଟି କ୍ଷୁଦ୍ରରେ ମହାନତାର ସନ୍ଧାନରେ ତପୋନିଷ୍ଠ ସାଧକ ଅତିମାନସୀୟ ଚେତନାରେ ଉଦବୁଦ୍ଧ ମନସ୍ଵୀ ମନୋଜଙ୍କୁ ସମସ୍ତ ଅତିଥି ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳି  ଅର୍ପଣ କରିଥିଲେ ।

‘ଶବ୍ଦ ଶ୍ରଦ୍ଧାଞ୍ଜଳି’ ପର୍ବରେ ମନୋଜ ଦାସଙ୍କର ତିନୋଟି କବିତା ପାଠ କରାଯାଇଥିଲା। ବରିଷ୍ଠ କବି କୈଳାସ ଚନ୍ଦ୍ର ସାହାଣୀ, କବୟତ୍ରୀ ଲତିକା ବିଳାସ, ସୁଦ୍ରମା ପଣ୍ଡା, ଆନନ୍ଦିନୀ ମିଶ୍ର, କବି ସୁଜିତ୍ କୁମାର ମିଶ୍ର ନିଜର କାବ୍ୟିକ ଶବ୍ଦାବଳୀରେ ମନୋଜ ଦାସଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏକ ଅଭୂତପୂର୍ବ ରସମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅଧିବେଶନକୁ କବି ଓ ଶିକ୍ଷକ ରମେଶ ଚନ୍ଦ୍ର ପଶାଏତ, ଝାରସୁଗୁଡ଼ା,କବୟତ୍ରୀ ମହାସ୍ମିତା ଓଝା, ଜଗତସିଂହପୁର, କବୟତ୍ରୀ ସୁମତି ମୁଣ୍ଡ, ଭବାନୀପାଟଣା,  କବି ଜ୍ଞାନେନ୍ଦ୍ର କୁମାର ପଣ୍ଡା, ବାଲେଶ୍ବର ସଂଯୋଜନା କରିଥିଲେ। ପରିଶେଷରେ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ ପୂର୍ବକ  ସଭାସାଙ୍ଗ କରାଯାଇଥିଲା ।

ଅଶୋକ ସାମନ୍ତ, ସମ୍ପାଦକ, ସୃଜନୀ ପରିବାର, ଚେନ୍ନାଇ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here