ଆଜି ପବିତ୍ର ମକର ସଂକ୍ରାନ୍ତି

ଓଡ଼ିଶା ନୁହେଁ, ସାରା ଦେଶରେ ଉଦ୍ଦିପନାର ସହ ପାଳିତ ହେଉଛି ମକର ସଂକ୍ରାନ୍ତି। ମକର  ସଂକ୍ରାନ୍ତିକୁ ନେଇ ଏକ ପୌରାଣିକ ଆଖ୍ୟା ମଧ୍ୟ ରହିଛି।  ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନଙ୍କର ପରଲୋକ ହୁଏ, ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ଆଉ କେତେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ । କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ପୂଜା କରନ୍ତି । ମକର ସଂକ୍ରାନ୍ତି ଦିନ   ନଦୀ, ପୋଖରୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ତେଣୁ କେଉଁ ଆବାହମାନ କାଳରୁ ସରୋବର, ନଦୀ ତଟ, ମହୋଦଧି ତୀର ପ୍ରଭୃତି ପବିତ୍ର ସ୍ଥାନମାନଙ୍କରେ ମକର ମେଳା, ସାଧୁସଙ୍ଗ ଓ ମହୋତ୍ସବର ପରମ୍ପରା ଚାଲିଆସିଛି । ଏହି ଦିନ ପ୍ରସିଦ୍ଧ ଗଙ୍ଗାସାଗରଠାରେ ଏକ ବିରାଟ ମେଳା ହୁଏ । ପୁଣ୍ୟଲାଭ ଆଶାରେ ଏହି ଦିନ ଅନେକ ଧାର୍ମିକ ଲୋକ ଗଙ୍ଗାସାଗରରେ ବୁଡ଼ ପକାଇଥାନ୍ତି । ମୟୂରଭଞ୍ଜ ଓ କେନ୍ଦୁଝରର ଏହି ପର୍ବ ଜାକଜମକରେ ପାଳନ କରଥାନ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ନାବରା ଗାଁରେ ଟୁସୁ ପର୍ବ ଜାକଜମକରେ ପାଳନ କରୁଛନ୍ତି ମହାନ୍ତ ସଂପ୍ରଦାୟ ଲୋକେ।  ପୁଣ୍ୟତୋୟା ବୈତରଣୀ ନଦୀର ଭୀମକୁଣ୍ଡ ଏବଂ କେଶରୀ କୁଣ୍ଡରେ ମକର ସଂକ୍ରାନ୍ତି ଅବସରରେ ବୁଡ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଲୋକଙ୍କ ବିଶ୍ୱାସ ଅଛି, ମକର ସଂକ୍ରାନ୍ତିରେ ବୈତରଣୀ ନଦୀରେ ବୁଡ ପକାଇଲେ ପୁଣ୍ୟ ମିଳିଥାଏ ସେଥିପାଇଁ ପ୍ରତିବର୍ଷ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ନଦୀରେ ବୁଡ ପକାଇବା ସହ ଭୀମକୁଣ୍ଡର କୁଣ୍ଡେଶ୍ୱର ମହାଦେବ ଏବଂ କେଶରୀ କୁଣ୍ଡର ଶିବ ମନ୍ଦିରରେ ଲୋକେ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଆଜି ଓଡ଼ିଆଙ୍କ ଘରେ ଘରେ ମକର ଚାଉଳ ପ୍ରସ୍ତୁତ ହୋଇଥାଏ। ଆଜିର ତିଥିରେ ଶ୍ରୀମନ୍ଦିରରେ ମକର ବେଶରେ ବିଭୂଷିତ ହୋଇଥାନ୍ତି ଶ୍ରୀ ଜିଉ। ସକାଳୁ ମଙ୍ଗଳ ଆଳତୀ, ଅବକାଶ, ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥାଏ । ସେପଟେ ଦକ୍ଷିଣ ଭାରତରେ ଏହି ପର୍ବକୁ ୩ ଦିନ ଧରି ପାଳନ କରାଯାଏ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here