ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ଆକାଶରେ ଏବେ ହଜାର ହଜାର ବିଦେଶୀ ପର୍ଯ୍ୟଟକ : କିଚିରମିଚିର ଶବ୍ଦରେ ପ୍ରକମ୍ପିତ ହେଉଛି ଗଗନ ପବନ

ମେରୁ ଅଞ୍ଚଳରେ ବରଫ ପାତ ହେଉଛି । ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ସହିତ ବଳଫ ତଳୁ ଖାଇବା ଯୋଗାଡ କରିବା ଏମାନଙ୍କ ପାଇଁ କଷ୍ଟକର ହୋଇପଡେ । ଏଣୁ ଏମାନେ ପ୍ରତିବର୍ଷ ହଜାରହଜାର କିଲୋମିଟର ଆକାଶରେ ଉଡିଉଡି ପଳାଇ ଆସନ୍ତି ଭିନ୍ନ ଏକ ଇଲାକାକୁ । ଯେଉଁଠି ପ୍ରକୃତି ଏମାନଙ୍କ ପାଇଁ ସାଇତି ରଖିଥାଏ ପ୍ରଚୁର ଖାଇବା ଓ ଆରାମ ଆଶ୍ରୟସ୍ଥଳ ।


ପ୍ରଚଣ୍ତ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଯୋଜନ ଯୋଜନ ଆକାଶପଥ ଅତିକ୍ରମ କରି ରଂଗବେରଂଗର ବିଦେଶୀ ପକ୍ଷୀମାନେ ଭିତରକନିକା ଅଞ୍ଚଳକୁ ଚାଲିଆସିଥାନ୍ତି । ଆର୍ଦ୍ରଭୂମି ଓ ଅନ୍ୟାନ୍ୟ ଜଳାଶ୍ରୟରେ ଖାଦ୍ୟ ସଂଗ୍ରହ କରିବା, ନୀଳ ଆକାଶରେ ଦଳ ଦଳ ହୋଇ ଉଡ଼ିବାର ଦୃଶ୍ୟ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି । ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥିବା ପକ୍ଷୀମାନଙ୍କର ଗଣନା କାର୍ଯ୍ୟ ଆଜି ସକାଳ ସାଢେ୫ ଟାରୁ ଆରମ୍ଭ ହୋଇ ଦିନ ୧୨ ଟାରେ ଶେଷ ହୋଇଛି। ଓଡ଼ିଶାର ପକ୍ଷୀ ବିଶାରଦଙ୍କୁ ନେଇ ୧୬ଟି ଟିମ୍‌ ଗଠନ କରାଯାଇଥିଲା। ପ୍ରତି ଟିମ୍‌ର ଜଣେ ମୁଖ୍ୟ ରହିଥିବାବେଳେ ସମୁଦାୟ ୭୦ଜଣ ଏହି ଗଣନା ପକ୍ରିୟାରେ ସାମିଲ ହୋଇଥିଲେ। ୧୬ଟି ଟିମ୍‌ରେ ମୁଖ୍ୟ ଭାବେ ପରିବେଶବିତ ବିଶ୍ବଜିତ ମହାନ୍ତି, ଗୋହର ଆବେଦ୍ଦିନ, ଶିବପ୍ରସାଦ ପରିଡା, ସଂଜୟ କୁମାର ରାଉତ, ମାଇକେଲ ପିଟର, ପ୍ରସନ୍ନ କୁମାର ନାୟକ, ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ, ବିରଜା ପ୍ରସାଦ ପତି, ବିରଂଚି ନାରାୟଣ ସାମଲ, ବିଜୟ କୁମାର କବି, ସୁଧାଂଶୁ କୁମାର ପରିଡ଼ା, ଲକ୍ଷ୍ମୀଧର ମିଶ୍ର, ମଧୁସ୍ମିତ ପତି, ଜ୍ଞାନପ୍ରକାଶ ମହାନ୍ତି, ନବୀନ କୁମାର ମଲ୍ଲିକଙ୍କ ସମେତ ଅତିରିକ୍ତ ବନ ସଂରକ୍ଷକ ଅଧୀର କୁମାର ବେହେରା, ହରେକୃଷ୍ଣ ମଲ୍ଲିକ ଏବଂ ବନପାଳମାନେ ଏହି ଗଣନାରେ ସାମିଲ ହେଇଛନ୍ତି।

ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତବର୍ଷ ୧ ଲକ୍ଷ ୩୬ ହଜାର ୯୨ ଟି ପକ୍ଷୀ ଏଠାକୁ ଆସିଥିବା ବେଳେ ଗତବର୍ଷ ଏମାନଙ୍କର ସଂଖ୍ୟା ରହିଥିଲା ୧ ଲକ୍ଷ ୧୮ ହଜାର ୩୨୬ଟି । ସେହିପରି ଗତଥର ୧୦୫ ପ୍ରଜାତିର ପକ୍ଷୀ ଆସିଥିବାବେଳେ ଏଥର ୧୨୧ ପ୍ରଜାତିର ପକ୍ଷୀ ଭିତରକନିକା ଆସିଛନ୍ତି।ଆଜି ସକାଳ ସାଢେ ୫ ଟାରୁ ଭିତରକନିକା ଜାତୀୟ ଉଦ୍ୟାନର ରାଇପାଟିଆ, ସାତଭାୟା ଘେରି, ସାତଭାୟାର ବିସ୍ତିର୍ଣ୍ଣ ଆର୍ଦ୍ରଭୂମି, ଜମ୍ବୁ, ବତୀଘର, ବରୁଣେଇ ମୁହାଣ, ପ୍ରହରାଜପୁର, କଂସାରିପାଟିଆ, ଖୋଳା, ନଳିତାପାଟିଆ, ଦୁର୍ଗାପୁର ମୁହାଣ, ଲକ୍ଷ୍ମୀପ୍ରସାଦଡିଆଁ, କାଳିଭଂଜଡିଆଁ, ମଗରକନ୍ଦା, ଚିଂଚିରି ମାଉଥ, ଚିତଉକୋଲ୍ଲା, ଭିତରକନିକା ମାଉଥ, ଏକମାଣିଆ, ରାଜଗଡ଼ ପ୍ରଭୃତି ସ୍ଥାନରେ ଏହି ଗଣନା କାର୍ଯ୍ୟ କରାଯାଇଛି । ଅତ୍ୟାଧୁନିକ କ୍ୟାମେରା ବାଇନାକୁଲାର ଯୋଗେ ପକ୍ଷୀଙ୍କୁ ଦେଖି ଚିହ୍ନଟ ଓ ଗଣନା କରାଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି।ପ୍ରତିବର୍ଷ ଏହି ଦିନେ ବନ ବିଭାଗ ଭିତରକନିକା ଓ ଏହାର ଆଖପାଖ ଅଞ୍ଚଳରେ ଏମାନଙ୍କର ଗଣନା କରିଥାନ୍ତି। ଆଜି ପ୍ରତ୍ୟୁଷରୁ ରାଜନଗର ବନବିଭାଗ ଏହି ଗଣନା ଆରମ୍ଭ କରି ଦିନ ୧୨ଟାରେ ଶେଷ କରିଛି। ପକ୍ଷୀଙ୍କ ସଂରକ୍ଷଣ, ପ୍ରଜାତି ଚିହ୍ନଟ ଓ ଗତିବିଧି ଜାଣିବା ପାଇଁ ଏହି ଗଣନା କରାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here