ସୁନ୍ଦରଗଡ଼ ଜିଲ୍ଲାରେ ଏଲଏଲଆଇଏନ୍ ବଣ୍ଟନ ଆରମ୍ଭ, ୩ଟି ପର୍ଯ୍ୟାୟରେ ବଣ୍ଟା ହେବ ମଶାରୀ

ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଆରମ୍ଭ ହୋଇଛି ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲଏଲଆଇଏନ୍‌ ବଣ୍ଟନ କାର୍ଯ୍ୟକ୍ରମ। ସୋମବାର ଦିନ କୁଆରମୁଣ୍ଡା ବ୍ଲକର କୁମଝରିଆ ଗାଁରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଏବଂ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯୋଗଦେଇ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଭିନ୍ନକ୍ଷମ ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ ମଶାରୀ ବଣ୍ଟନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।‘‘ସୁନ୍ଦରଗଡ଼ ଜିଲ୍ଲାରେ ଲୋକଙ୍କୁ ଉନ୍ନତ ମାନର ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ସୁନ୍ଦରଗଡ଼ ଗତ କିଛି ବର୍ଷ ମଧ୍ୟରେ ବିଶେଷ ସଫଳତା ହାସଲ କରିଛି। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ଯୋଗାଇ ଦିଆଯାଉଥିବା ଏଲଏଲଆଇନ ଏ କ୍ଷେତ୍ରରେ ଆହୁରି ସହାୟକ ହେବ। ଜିଲ୍ଲାର ସହରାଞ୍ଚଳରୁ ଦୁର୍ଗମ ଅଞ୍ଚଳ ପର୍ଯ୍ୟନ୍ତ ସବୁ ସ୍ଥାନରେ ହିତାଧିକାରୀମାନଙ୍କ ପାଖରେ କିପରି ମଶାରୀ ପହଞ୍ଚି ପାରିବ ସେ ଦିଗରେ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।କୁଆରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଡାକ୍ତର ମନୋଜ ମହାପାତ୍ର, କୁଆରମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଏବଂ ବିଡିଓ ମାଥିଆଡୁସ୍ ଲାକ୍ରା ପ୍ରମୁଖ ଯୋଗ ଦେଇଥିଲେ। ‘ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଲାଗୁ ହେବା ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ଚାଲିଛି। ବର୍ତ୍ତମାନ ପ୍ରତି ୧୦୦୦ ବ୍ୟକ୍ତିରେ ହାରାହାରି ଜଣେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ୨୦୨୫ ସୁଦ୍ଧା ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି’’, ଏହି ଅବସରରେ କହିଛନ୍ତି ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର।ରାଉରକେଲା ମହାନଗର ନିଗମ ଅଧୀନରେ ଦେହୁରି ବସ୍ତିରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ କମିଶନର ଦିବ୍ୟଜ୍ୟୋତି ପରିଡ଼ା। ସେଠାରେ ତାଙ୍କ ସହିତ ଏଡିୟୁପିଏଚଓ ଡାକ୍ତର ପୁଷ୍ପମିତ୍ରା ମିଶ୍ର, ଏନଏଚଏମର ସିଟି ପ୍ରୋଜେକ୍ଟ ମ୍ୟାନେଜର ନିକୁ ରଞ୍ଜନ ପ୍ରତିହାରୀ ଏବଂ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଶକ୍ତି ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି ବୀରମିତ୍ରପୁର ପୌର ପାଳିକା ଅଧୀନରେ ପାଣ୍ଡେ ଡଫାଇଠାରେ ଆୟୋଜିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ସ୍ଥାନୀୟ ବିଧାୟକ ଶଙ୍କର ଓରାମ। ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଡାକ୍ତର ମନୋଜ ମହାପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ଏସ୍ କେ ପାଣ୍ଡେ ଏବଂ ବୀରମିତ୍ରପୁର ପୌର ପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ସୋମବାର ଦିନ ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର ପୌର ପାଳିକା, ବଣାଇ ସଦର ସହିତ ହାତୀବାରି, କୁଆରମୁଣ୍ଡା, ଲାଇଙ୍ଗ ଏବଂ ବୀରକେରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ମଶାରୀ ବଣ୍ଟନ ଆରମ୍ଭ ହୋଇଛି। ଏହି ଅଞ୍ଚଳ ଭିତରେ ଥିବା ପାହାଡ଼ିଆ ଓ ଦୁର୍ଗମ ଗାଁଗୁଡ଼ିକରେ ରହୁଥିବା ହିତାଧିକାରୀମାନଙ୍କ ପାଖରେ ମଶାରୀ ପହଞ୍ଚାଇବା ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି। ଲାଇଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ମାଳିଡିହି ଏବଂ ବୀରକେରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ରାମଯୋଡ଼ି ଭଳି ଦୁର୍ଗମ ସ୍ଥାନରେ ମଧ୍ୟ ମଶାରୀ ବଣ୍ଟନ କରାଯାଇଛି। ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ମୋଟ ୧୩ ଲକ୍ଷ ୬୪ ହଜାର ୭୨୭ଟି ମଶାରୀ ହିତାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ କରାଯିବ। ଜାନୁୟାରୀ ତୃତୀୟ ସପ୍ତାହ ସୁଦ୍ଧା ବଣ୍ଟନ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି। ମଶାରୀ ବଣ୍ଟନ ପାଇଁ ୨୬୧୨ଟି ବଣ୍ଟନ ସ୍ଥାନ ସ୍ଥିର କରାଯାଇଛି। ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହ ଅନ୍ୟମାନଙ୍କୁ ମିଶାଇ ୧୩ ହଜାରରୁ ଅଧିକ କର୍ମୀ ଏହି ବଣ୍ଟନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ୩ ପ୍ରକାର ମଶାରୀ ହିତାଧିକାରୀଙ୍କ ମଧ୍ୟରେ ମାଗଣାରେ ବଣ୍ଟନ କରାଯାଉଛି। ହିତାଧିକାରୀମାନେ ମଶାରୀ ବ୍ୟବହାର କରୁଛନ୍ତି କି ନାହିଁ ତା’ର ତଦାରଖ ଦାୟିତ୍ୱ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀଙ୍କ ହାତରେ ନ୍ୟସ୍ତ କରାଯାଇଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here