ରାଉରକେଲା ମହାନଗର ନିଗମ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦୁଇଟି ସଂସ୍ଥା ସହ ଏମ୍.ଓ.ୟୁ ସ୍ୱାକ୍ଷରିତ

ଆଜି ସ୍ଥାନୀୟ ଲେବର ଟେନାମେଣ୍ଟ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସହରର ରାଗ୍ ପିକରଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହ ସହରର ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦୁଇଟି ସଂସ୍ଥା ସହ ଏମ୍.ଓ.ୟୁ ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଉରକେଲା ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ଶୁଖିଲା ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ରାଗ୍ ପିକରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ ସହରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଦିଗରେ ଏହା ଫଳପ୍ରଦ ସାବ୍ୟସ୍ତ ହେବ ବୋଲି କହିଛନ୍ତି।

ଆଜି ମହାନଗର ନିଗମ ପକ୍ଷରୁ ସହରର ଶୁଖିଲା ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ କ୍ଲିଅର କ୍ଲାଉଡ ଏନଭାଇରୋ ସଂସ୍ଥା ସହ ଏମ୍.ଓ.ୟୁ ସ୍ୱାକ୍ଷରିତ ହୋଇଛି। ଏହି ଏମ୍.ଓ.ୟୁ ଫଳରେ ଉକ୍ତ ସଂସ୍ଥା ସହରର ଜରି ଗୋଟାଳୀ ଏବଂ ଅନ୍ୟ ରାଗ୍ ପିକରଙ୍କ ସହ ଯୋଗାଯୋଗ ରକ୍ଷା କରି ସେମାନଙ୍କ କାର୍ଯ୍ୟକୁ ବ୍ୟବସ୍ଥିତ କରିବ। ଏଥିସହ ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଉପକରଣ ପ୍ରଦାନ କରି ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ ସଂପର୍କିତ ତାଲିମ ମଧ୍ୟ ପ୍ରଦାନ କରିବ। ପରେ ସେମାନଙ୍କ ଠାରୁ ଉଚିତ ବଜାର ମୂଲ୍ୟରେ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରି ତାହାର ପୁନଃପ୍ରକ୍ରିୟାକରଣ ନିମନ୍ତେ ପଦକ୍ଷେପ ନେବ। ସେହିପରି ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ଥାପିତ ମାଇକ୍ରୋ କଂପୋଷ୍ଟିଂ କେନ୍ଦ୍ରରେ ମଧ୍ୟ ଉକ୍ତ ସଂସ୍ଥା କିଛି ରାଗ୍ ପିକରଙ୍କୁ ନିଯୁକ୍ତି ଦେଇ ସେଠାକୁ ଆସୁଥିବା ଶୁଖିଲା ବର୍ଜ୍ୟବସ୍ତୁକୁ ଉତ୍ତମ ଭାବେ ପ୍ୟାକେଜିଂ କରି ପର୍ଯ୍ୟାବରଣ ନିୟମ ପ୍ରକାରେ ପୁନଃପ୍ରକ୍ରିୟାକରଣ ପାଇଁ ପଦକ୍ଷେପ ନେବ। ଏଥିଲାଗି ରାଉରକେଲା ମହାନଗର ନିଗମକୁ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ। ବରଂ ଶୁଖିଲା ବର୍ଜ୍ୟବସ୍ତୁର ପୁନଃପ୍ରକ୍ରିୟାକରଣ ଓ ବ୍ୟବହାର ଦିଗରେ ମହାନଗର ନିଗମର ପ୍ରୟାସ ଫଳପ୍ରଦ ହୋଇପାରିବ ଏବଂ ରାଗ୍ ପିକରଙ୍କ ଜୀବନଧାରଣର ମାନରେ ମଧ୍ୟ ଉନ୍ନତି ଆସିପାରିବ।
ସେହିପରି ଆଜି ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ଓଦା ବର୍ଜ୍ୟବସ୍ତୁର ପରିଚାଳନା ନିମନ୍ତେ କୋଏଲ୍ ଫ୍ରେସ୍ ସଂସ୍ଥା ସହ ଏକ ଏମ୍.ଓ.ୟୁ ସ୍ୱାକ୍ଷରିତ ହୋଇଛି। ମହାନଗର ନିଗମ ପକ୍ଷରୁ ସ୍ଥାପିତ ମାଇକ୍ରୋ କଂପୋଷ୍ଟିଂ କେନ୍ଦ୍ର ଗୁଡିକରେ ପ୍ରକ୍ରିୟାକରଣ ପାଇଁ ଆସୁଥିବା ଓଦା ବର୍ଜ୍ୟବସ୍ତୁ ପରିମାଣରୁ ଅତିରିକ୍ତ ବର୍ଜ୍ୟବସ୍ତୁକୁ ଏହି ସଂସ୍ଥା ମାଧ୍ୟମରେ ପ୍ରକ୍ରିୟାକରଣ କରାଯିବ। ଦୈନିକ ଅତିରିକ୍ତ ୧0 ଟନ୍ ଓଦା ବର୍ଜ୍ୟବସ୍ତୁକୁ ଏହି ସଂସ୍ଥା ସଂଗ୍ରହ କରି ନିଜସ୍ୱ ଉଦ୍ୟମରେ କଂପୋଷ୍ଟିଂ କରି ଖତ ପ୍ରସ୍ତୁତ କରି ବ୍ୟବହାର କରିବ। ଏହା ଫଳରେ ମହାନଗର ନିଗମ ବିନା କୌଣସି ବ୍ୟୟରେ ନିଜର ଅତିରିକ୍ତ ଓଦା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ବର୍ଜ୍ୟବସ୍ତୁରୁ ପ୍ରକ୍ରିୟାକରଣ ପରେ ବାହାରୁଥିବା ଖତର ମଧ୍ୟ ସୁବିନିଯୋଗ ହୋଇପାରିବ।
ଆଜିର ଏହି କାର୍ଯ୍ୟକ୍ରମରେ ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ ଏବଂ ଡ.ଗୌରବମୟ ପ୍ରଧାନ ଯୋଗ ଦେଇ ଉପସ୍ଥିତ ରାଗ୍ ପିକର ମାନଙ୍କୁ ସମ୍ବୋଧିତ କରିଥିଲେ। ସହରକୁ ସ୍ୱଚ୍ଛ ରଖିବା ଦିଗରେ ରାଗ୍ ପିକର ମାନଙ୍କ ପ୍ରଚେଷ୍ଟା ଏକ ପରିବର୍ତ୍ତନ ଆଣିପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ସେହିପରି କ୍ଲିଅର କ୍ଲାଉଡ ଏନଭାଇରୋ ସଂସ୍ଥାର ନବୀନ ଅଗ୍ରୱାଲ ଏବଂ କୋଏଲ ଫ୍ରେଶ ସଂସ୍ଥାର ଅଂଶୁମାନ ନାୟକ ଓ ସଂଧ୍ୟା ନାୟକ ଯୋଗଦେଇ ରାଉରକେଲା ମହାନଗର ନିଗମ ସେମାନଙ୍କ ସହିତ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଏମ୍.ଓ.ୟୁ ସ୍ୱାକ୍ଷର କରିଥିବାରୁ ଧନ୍ୟବାଦ ଜଣାଇବା ସହ ଆଗକୁ ସେମାନେ ମହାନଗର ନିଗମକୁ ବର୍ଜ୍ୟବସ୍ତୁ ପରିଚାଳନାରେ ଆବଶ୍ୟକ ସହଯୋଗ ଯୋଗାଇଦେବେ ବୋଲି ମତବ୍ୟକ୍ତ କରିଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here