କେବେ ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ? ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ: ସରକାରଙ୍କ ଗାଇଡଲାଇନ୍‌ ପରେ ନିଷ୍ପତ୍ତି

ରାଜ୍ୟ‌ରେ ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବ କି ନାହିଁ। ଯଦି ଖୋଲିବ, କେବେ? କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁପାଳନ ହୋଇପାରିବ ତ? ଛାତ୍ରଛାତ୍ରୀ ହଷ୍ଟେଲରେ ରହିପାରି‌ବେ ତ? ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଗାଇଡ୍‌ଲାଇନ୍‌ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର ରହିଛି। କରୋନା ସମୟରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଅନ୍‌ଲାଇନ୍‌ ଶିକ୍ଷାଦାନ ଚାଲିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଫଳପ୍ରଦ ହୋଇପାରି ନାହିଁ। କେଉଁଠି ପିଲାଙ୍କ ପାଖରେ ଇଣ୍ଟରନେଟ୍‌ ସୁବିଧା ନାହିଁ ତ ଆଉ କେଉଁଠି ଠିକ୍‌ ଭାବେ ପାଠପଢ଼ା ହେଉ ନଥିବା ଅଭିଯୋଗ ହୋଇଛି। ତେଣୁ ଚଳିତ ଶିକ୍ଷାବର୍ଷର ସେମିଷ୍ଟର୍‌ କେମିତି ହେବ, ତାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ। ଇତିମଧ୍ୟରେ ଗୋଟିଏ ସେମିଷ୍ଟର୍‌ ଶେଷ ହେବାକୁ ବସିଲାଣି। ହେଲେ କ୍ଲାସରୁମ୍‌ ପାଠପଢ଼ାରେ ଗୋଟିଏ ବି କ୍ଲାସ ହୋଇପାରି ନାହିଁ। ତେଣୁ ସେମିଷ୍ଟର୍‌ ପରୀକ୍ଷା ହେବ କି ନାହିଁ, ତାହାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ୟୁଜି(ଯୁକ୍ତ୩) ଓ ପିଜି ପାଠ୍ୟକ୍ରମର ପ୍ରଥମବର୍ଷ ନାମଲେଖା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପିଜି ପ୍ରବେଶିକା ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଫଳ ପ୍ରକାଶ ପାଇନି। ଗୋଟିଏ ପରେ ଗୋଟିଏ ତାରିଖ ଗଡ଼ି ଚାଲିଛି। ସେହିପରି ଯୁକ୍ତ ୩ ନାମଲେଖା ସମୟ ସୀମା ବି ବଢ଼ି ଚାଲିଛି। ନଭେମ୍ବର ଶେଷ ସୁଦ୍ଧା ଉଭୟ ପାଠ୍ୟକ୍ରମର ନାମଲେଖା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ତାହା ଚୂଡ଼ାନ୍ତ ହେବା ପରି ଲାଗୁଛି। ସମସ୍ତ ନାମଲେଖା ପ୍ରକ୍ରିୟା ଶେଷ ହେଲା ବେଳକୁ ଡିସେମ୍ବର ମାସ ହୋଇଯିବ। ତେଣୁ ‌କେମିତି ଓ କେଉଁଭଳି ଭାବେ ପାଠପଢ଼ା ହୋଇ ସେମିଷ୍ଟର୍‌ ପରୀକ୍ଷା ହେବ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଶ୍ବାସନା ଦେଇ କହିଛନ୍ତି ଯେ ଛାତ୍ରଛାତ୍ରୀ ଦ୍ଵନ୍ଦ୍ୱରେ ରୁହନ୍ତୁ ନାହିଁ। କରୋନା ସଂକ୍ରମଣ ଯୋଗୁଁ ଶିକ୍ଷାବର୍ଷ ପ୍ରଭାବିତ ହୋଇଛି। ଗତ ସେମିଷ୍ଟର୍‌ ପରୀକ୍ଷା ବିଳମ୍ବିତ ହୋଇଛି ସତ। ତେବେ ଅକ୍ଟୋବର ୩୧ ସୁଦ୍ଧା ସ୍ନାତକ ଓ ସ୍ନାତକୋତ୍ତର ବିଷୟଗୁଡ଼ିକର ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ନୂତନ ଶ୍ରେଣୀ ପାଇଁ ଇତିମଧ୍ୟରେ ପ୍ରବେଶିକା ପରୀକ୍ଷା ଶେଷ ହୋଇଛି। ଯୁକ୍ତ୩ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଆଗାମୀ ଦିନରେ ପିଜି ପାଠ୍ୟକ୍ରମରେ ନାମଲେଖା ହେବାକୁ ଯାଉଛି। ତେଣୁ ପାଠପଢ଼ା ସହ ପରୀକ୍ଷା ବି ହେବ। ପରୀକ୍ଷା ହେବ କି ନାହିଁ, ତାକୁ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱ ଭିତରେ ରୁହନ୍ତୁ ନାହିଁ। କ୍ଲାସରୁମ୍‌ ପାଠପଢ଼ା ହେଉ ନଥିବାରୁ ଛାତ୍ରଛାତ୍ରୀ ଘରେ ଖାଲିରେ ବସି ସମୟ ନଷ୍ଟ କରନ୍ତୁ ନାହିଁ, ବରଂ ପାଠ ପଢ଼ିବାକୁ ସେ ପରାମର୍ଶ ‌ଦେଇଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ବାବଦରେ ସେ କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମୁଛି। କେବେ ଶିକ୍ଷାନୁଷ୍ଠାନ ଖୋଲିବ, ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ପଦକ୍ଷେପ ନିଆଯିବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here