ଅଭିଯୋଗ ପରେ ବି ମରାମତି ହେଉନି ଲାଇଟ୍‌; ଯୋଗାଯୋଗ ପାଇଁ ଥିବା ନମ୍ବର ସବୁବେଳେ ସୁଇଚ୍‌ ଅଫ୍‌

କଟକ: ସହରର ଅନେକ ରାସ୍ତା ଏବେ ଖାଲଖମାରେ ପୂର୍ଣ୍ଣ। ‌ରାସ୍ତା ମରାମତି କରିବାକୁ ହାଇ‌କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ହାତରେ ହାତ ବାନ୍ଧି ବସିଛି ସିଏମସି। ସେପଟେ ସହରର ଅଧିକାଂଶ ଖୁଣ୍ଟରେ ଏଲ୍‌ଇଡି ଲାଇଟ ଅଚଳ ହୋଇପଡ଼ିଥିବା ବେଳେ ଏଥିପ୍ରତି ମଧ୍ୟ ମହାନଗର ନିଗମର ନିଘା ନାହିଁ। ଲାଇଟ୍‌ ମରାମତି ପାଇଁ ସିଏମ୍‌ସି କ‌‌େଣ୍ଟାଲ୍‌ ରୁମକୁ ଫୋନ କରି ଅଭିଯୋଗ ରେଜିଷ୍ଟ୍ରେସନ୍‌ କରିଲେ ବି ଦୀର୍ଘଦିନ ପର୍ଯ୍ୟନ୍ତ ଏହା କରାଯାଉ ନଥିବା ଦେଖିବାକୁ ମିଳିଛି। ଲାଇଟ୍‌ ମରାମତି ପାଇଁ ମୋବାଇଲକୁ ଆସୁଥିବା ମେସେଜ୍‌ରେ ଥିବା ଫୋନ୍‌ ନମ୍ବର ମଧ୍ୟ ସୁଇଚ୍‌ ଅଫ୍‌ ରହୁଥିବାରୁ ଏହାକୁ ନେଇ ଅଭିଯୋଗକାରୀଙ୍କ ମଧ୍ୟରେ ଅସ‌େନ୍ତାଷ ବଢ଼ିବାରେ ଲାଗିଛି। ମରାମତି ପାଇଁ ପୂର୍ବରୁ ୪ରୁ ୫ଦିନ ଲାଗୁଥିବାବେଳେ ଏବେ ସିଏମସି ଏଥିପାଇଁ ୧୫ଦିନରୁ ଅଧିକ ଦିନ ନେଉଥିବା ଦେଖାଯାଉଛି।

ମହାନଗର ନିଗମରେ ପୂର୍ବରୁ ପାଳିକରି ସିଏମସିର ବିଭିନ୍ନ ୱାର୍ଡରେ ବିଦ୍ୟୁତ ଖୁଣ୍ଟିର ଲାଇଟକୁ ଚେକ୍‌ କରାଯାଉଥିଲା। ଯେଉଁଠାରେ ଅବାଶ୍ୟକ ପଡୁଥିଲା ସେଠାରେ ମରାମତି କାମ ହେଉଥିଲା। ମାତ୍ର ଏବେ ସାଧାରଣ ଲୋକଙ୍କ ଅଭିଯୋଗ ପରେ ଏହାର ମରାମତି କରାଯାଉଛି। ସାଧାରଣ ଲୋକେ ‌ବିଦ୍ୟୁତ ଖୁଣ୍ଟିରେ ଲାଗିଥିବା ଲାଇଟ ମରାମତି ପାଇଁ ସିଏମ୍‌ସିର କଣ୍ଟ୍ରୋଲ ରୁମକୁ ଫୋନ କରି ଅଭିଯୋଗ କରିବା ସହିତ ସେମାନଙ୍କ ନାମ, ମୋବାଇଲ ନମ୍ବର, ୱାର୍ଡ ନମ୍ବର, ମରାମତି ଆବଶ୍ୟକ କରୁଥିବା ଖୁଣ୍ଟି‌ରେ ଲେଖା‌ହୋଇଥିବା ୯ଟିକିଆ ନମ୍ବର, ସ୍ଥାନର ଚିହ୍ନ ବା ଠିକଣା ଦେବାକୁ ପଡୁଛି। ଅଭିଯୋଗ ରେଜିଷ୍ଟ୍ରେସନ ପରେ ଅଭିଯୋଗକାରୀଙ୍କ ମୋବାଇଲକୁ ଏକ ମେସେଜ୍‌ ଆସୁଛି। ଏଥିରେ ଅଭିଯୋଗର ନମ୍ବର, କେଉଁ ତାରିଖ ସୁଦ୍ଧା ମରାମତି କାମ ଶେଷ ହେବ ଓ ଅଧିକ ସୂଚନା ପାଇଁ କେଉଁ କର୍ମଚାରୀଙ୍କୁ ଯୋଗାଯୋଗ କରିବ ତାଙ୍କର ନାମ ଓ ମୋବାଇଲ ନମ୍ବର ଦିଆଯାଉଛି। ମାତ୍ର ଉକ୍ତ ନମ୍ବରଟି ସବୁ ସମୟରେ ସୁଇଚ୍‌ ଅଫ୍‌ ଆସୁଥିବାର ଅଭିଯୋଗ ହୋଇଛି।

ଏହାକୁ ନେଇ କଣ୍ଟ୍ରୋଲ ରୁମକୁ‌ ଯୋଗାଯୋଗ କରିଲେ, ଆମେ କିଛି କହି ପାରିବୁ ନାହିଁ, କମିସନରଙ୍କୁ ଫୋନ୍‌ କରନ୍ତୁ ବୋଲି ସେପଟୁ ଶୁଣିବାକୁ ପଡୁଛି। ମେସଜ୍‌ରେ ମରାମତି ପାଇଁ ଦିଆଯାଇଥିବା ସମୟ ମଧ୍ୟରେ ମଧ୍ୟ କାମ କରାଯାଉ ନାହିଁ। ଗତମାସ ୨୨ ତାରିଖରେ ଲାଇଟ୍‌ ସଜାଡ଼ିବାକୁ ୪୧୫୦/୨୦୨୦ ନମ୍ବରରେ ଏକ ଅଭିଯୋଗ ରେଜେଷ୍ଟ୍ରି ହୋଇଥିଲା। ମରାମତି କାମ ଚଳିତମାସ ୬ ତାରିଖ ମଧ୍ୟରେ କରାଯିବ ବୋଲି ମେସେଜ୍‌ ଆସିଥିଲା। ମାତ୍ର ଅଭିଯୋଗର ୧୪ ଦିନ ପରେ ବି କାମ କରାଯାଇ ନଥିବା ଦେଖିବାକୁ ମିଳିଥିଲା। ପରେ ଏନେଇ କଣ୍ଟ୍ରୋଲ ରୁମକୁ ଫୋନ କରିବାରୁ ସିଏମସି କର୍ମଚାରୀଙ୍କଠାରୁ ଏପରି କଥା ଶୁଣିବାକୁ ପଡ଼ିଥିଲା ବୋଲି ଅଭଯୋଗ ହୋଇଛି। ଯେଉଁ କାମ ପାଇଁ ଅତିବେଶୀରେ ପୂର୍ବରୁ ୩ରୁ ୪ଦିନ ଲାଗୁଥିଲା ଏବେ ସେହି କାମ ପାଇଁ ୧୫ ଦିନ ଲାଗୁଥିବା ଦେଖିବାକୁ ମିଳୁଛି। ସେପଟେ ମରାମତି ପାଇଁ ସାଧାରଣ ଲୋକଙ୍କୁ କଣ୍ଟ୍ରୋଲ ରୁମକୁ ବାରମ୍ବାର ଫୋନ୍‌ କରିବାକୁ ପଡୁଛି।

ଏଭଳି ସ୍ଥିତିରେ ଅନେକ ଲୋକ ଲାଇଟ୍‌ ମରାମତି ପାଇଁ ଅଭି‌ଯୋଗ କରିବାକୁ ଇଛା ପ୍ରକାଶ କରୁ ନାହାନ୍ତି। ସିଏମସିର ଏହି ନୂଆ ନିୟମର ପ୍ରଚାର ଦିଗରେ ନିଗମ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନଥିବା ବେଳେ ଅନେକ ଏହାକୁ ନେଇ ଅନ୍ଧାରରେ ଅଛନ୍ତି। ସିଏମସି ପକ୍ଷରୁ ସହରର ଲାଇଟ୍‌ ମରାମତି କରିବା ଦିଗରେ ତତ୍ପରତା ପ୍ରକାଶ କରିବାକୁ ସାଧାରଣରେ ଦାବି ହୋଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here