ଚାଷୀଙ୍କ ପାଇଁ ଅଣ୍ଟା ଭିଡ଼ିଲେ ନବୀନ: ଏମ୍‌ଏସ୍‌ପି ଦାବିରେ ଅଟଳ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଆଇନକୁ ବିରୋଧ କରି ଦେଶରେ ଚାଷୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଆନ୍ଦୋଳନକୁ ଆହୁରି ଜୋରଦାର କରିବା ଲାଗି ଆଜି ଚାଷୀ ସଂଗଠନ ଘୋଷଣା କରିଛନ୍ତି। ମଙ୍ଗଳବାର ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ବିଜେଡି ସାମିଲ ହୋଇନଥିଲା। ଏହାକୁ ନେଇ ଚାଷୀ ଓ ବିରୋଧୀ ଶକ୍ତି ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଠିକ୍ ଏମିତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ କାର୍ଡ ଖେଳିଛନ୍ତି। ଚାଷୀ ସଂଗଠନକୁ ଆଶ୍ବସ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଗୋଟିଏ ସଂକ​ଳ୍ପ ପାରିତ ହୋଇଛି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନେଇ ସ୍ବାମୀନାଥନ୍‌ଙ୍କ କମିସନଙ୍କ ସମସ୍ତ ସୁପାରିସକୁ ସବୁ ଶସ୍ୟ ପାଇଁ ଲାଗୁ କରିବାକୁ ଓଡିଶା ସରକାର ତାଙ୍କ ସଂକଳ୍ପକୁ ପୁଣି ଦୋହରାଉଛନ୍ତି ବୋଲି ଏଥିରେ କୁହାଯାଇଛି।

ରାଜ୍ୟ ସରକାର ସ୍ପଷ୍ଟ ଭାବେ ଜଣାଇଛନ୍ତି ଯେ ପୂର୍ବରୁ ସ୍ବାମୀନୀଥନ୍ ସୁପାରିସକୁ କାର୍ଯ୍ୟକାରୀ କରିବା ତଥା ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣ କରିବା ପାଇଁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ଅର୍ଥାତ୍ କେନ୍ଦ୍ର ସରକାର ଏମ୍‌ଏସ୍‌ପି ଉଠାଇ ଦେଇପାରନ୍ତି େବାଲି ଆଶଙ୍କା ପ୍ରକାଶ ପାଉଥିବା ବେଳେ ରାଜ୍ୟ ସରକାର ଏ କ୍ଷେତ୍ରରେ ତାଙ୍କ ସହିତ ଏକମତ ନାହାନ୍ତି ବରଂ ଏମ୍‌ଏସ୍‌ପି ଦୁଇଗୁଣ କରାଯିବାକୁ ଚାହାନ୍ତି ବୋଲି ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ନବୀନଙ୍କ ଏଭଳି ନିଷ୍ପତ୍ତି ରାଜନୀତିରେ ମାଷ୍ଟରକାର୍ଡ ବୋଲି ଚର୍ଚ୍ଚା ହେଉଛି। ଆନ୍ଦୋଳନରେ ନୁହେଁ, ବରଂ ଆଲୋଚନାରେ ବିଜେଡି ବିଶ୍ବାସ କରେ ବୋଲି ମଙ୍ଗଳବାର ଦଳ ପକ୍ଷରୁ କୁହାଯାଇଥିଲା। ଏମିତି କରି ନବୀନ କେନ୍ଦ୍ର ସରକାରଙ୍କ ମନ ରଖିଥିଲେ ଓ ସେ ଯେ କେନ୍ଦ୍ର ବିରୋଧୀ ଶକ୍ତି ସହିତ ନାହାନ୍ତି ଏ ସଙ୍କେତ ଦେଇଥିଲେ। ବୁଧବାର ଅର୍ଥାତ୍ ୨୪ ଘଣ୍ଟା ପରେ ନବୀନ କ୍ୟାବିନେଟ୍‌ରେ ସଂକଳ୍ପ ପାରିତ କରି ଜଣାଇ ଦେଇଛନ୍ତି ଯେ ତାଙ୍କ ସରକାର ଚାଷୀଙ୍କ ପାଇଁ ଚିନ୍ତିତ ଓ ସୁରକ୍ଷା ପାଇଁ ମଧ୍ୟ ବଦ୍ଧ ପରିକର।

ଆଜି କ୍ୟାବିନେଟ୍ ବୈଠକ ପରେ ସରକାରଙ୍କ ପକ୍ଷରୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ଯେ ଚାଷୀ ହେଉଛି ଆମ ଅର୍ଥନୀତିର ଆତ୍ମା ଓ ମୌଳିକ ଶକ୍ତି। ଚାଷୀର ଉନ୍ନତିରେ ହିଁ ଦେଶ ଓ ସମାଜ ସମୃଦ୍ଧ ହୋଇଥାଏ। ତେଣୁ ଚାଷୀ ଓ ଚାଷ ପ୍ରତି ଅବହେଳା ଆତ୍ମଘାତି ସଦୃଶ। ନବୀନ ସରକାର ପ୍ରଥମରୁ ହିଁ କୃଷିକୁ ପ୍ରାଥମିକତା ଦେଇ ଆସିଛନ୍ତି। ଚାଷୀର ରୋଜଗାରକୁ ଦୁଇଗୁଣ କରିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି। ରାଜ୍ୟର ନୂଆ କୃଷି ନୀତି-୨୦୨୦ ସମୃଦ୍ଧି ଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମ ଦ୍ରୁତ କୃଷି ଅଭିବୃଦ୍ଧି ଉପରେ ହିଁ କେନ୍ଦ୍ରୀଭୂତ ହୋଇଛି। ଚାଷକୁ ଲାଭଜନକ କରିବା ଏବଂ ଏହି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ସରକାରଙ୍କର ମୁଖ୍ୟ ଲକ୍ଷ୍ୟ। ସରକାର କହିଛନ୍ତି ଯେ ଗତ ୧୬ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ଘରୋଇ କୃଷି ଉତ୍ପାଦନ ଦୁଇ ଗୁଣ ହୋଇଥିବା ବେଳେ ଅଭିବୃଦ୍ଧି ହାର ୪.୫ରେ ପହଞ୍ଚିଛି। ଯେତେବେଳେ କି କୃଷି କ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ୩.୧ରେ ସୀମିତ ରହିଛି।

ଏଣୁ ସରକାର କୃଷିର ବିକାଶ ତଥା କୃଷକର କଲ୍ୟାଣ ପାଇଁ ସ୍ବତନ୍ତ୍ର କୃଷି କ୍ୟାବିନେଟ ଗଠନ ଠାରୁ ଆରମ୍ଭ କରି ସ୍ବତନ୍ତ୍ର କୃଷି ବଜେଟ କାର୍ଯ୍ୟକାରୀ କରିଛନ୍ତି। କାଳିଆ ଯୋଜନା ପରି ଐତିହାସିକ ପଦକ୍ଷେପ ଗ୍ରହଣ କରି ଗୋଟିଏ ସମୟରେ ସାରା ଭାରତ ବର୍ଷର ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଆଦିବାସୀ ଅଞ୍ଚଳର ଚାଷୀଙ୍କ କଲ୍ୟାଣ ପାଇଁ ମାଣ୍ଡିଆ ମିସନ ରୋଜଗାର ବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଭୂମିହୀନ ଏବଂ ଛୋଟ ଚାଷୀ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ଏହିଭଳି ପୃଷ୍ଠଭୂମିରେ ଚାଷୀଙ୍କ ରୋଜଗାରକୁ ବୃଦ୍ଧି କରିବା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ଭାବରେ ବିଚାର କରୁଛନ୍ତି। ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଡ. ଏମ୍‌ ଏସ୍ ସ୍ବାମୀନାଥନ୍‌ଙ୍କ ଅଧ୍ୟକ୍ଷତାରେ ଜାତୀୟ କୃଷକ କମିସନ ସର୍ବନିମ୍ନ ସହାୟକ ମୂଲ୍ୟକୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣକୁ ବୃଦ୍ଧି କରିବା ପାଇଁ ସୁପାରିସ କରିଥିଲେ। ସ୍ବାମୀନାଥନ୍‌ଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ତାର ଦାବିକୁ ପୁଣିଥରେ ଦୋହରାଉଛି।

ଉଲ୍ଲେଖଥାଉକି, ୨୦୧୭ ଓ ୨୦୧୮ ମସିହାରେ ଦୁଇ ଦୁଇ ଥର ଓଡିଶା ବିଧାନସଭା ସ୍ବାମୀନାଥନ୍‌ କମିସନଙ୍କ ସୁପାରିସ ଭିତିରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ କରିଛି। କୌଣସ ଚାଷୀ ଯେପରି ତାର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ନ ହେବ, ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ସରକାର ଦୋହରାଇଛନ୍ତି। କହିଛନ୍ତି ଯେ ଏହା ତାର ଅଧିକାର। ଭାରତ ପରି ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀର ଅଧିକାର। ଚାଷୀ ଖରା ବର୍ଷା ସହି କ୍ଷେତରେ ଖଟିଲେ ସବୁ ପରିବାରର ରୋଷେଇ ଘରେ ଚୁଲି ଜଳେ। ତେଣୁ ଚାଷୀ ଯଦି ତାର ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇବାରେ ସନ୍ଦେହରେ ରୁହେ, ତେବେ ଚାଷୀ ଓ ଚାଷ ସହିତ ଅର୍ଥନୀତି ସଂକଟକୁ ଆସିଯିବ। ଚାଷୀର ସ୍ବାର୍ଥକୁ ଅଣଦେଖା କରି ବିକାଶର ସ୍ବପ୍ନ ଅବାସ୍ତବ। କରୋନା ସମୟରେ ଅର୍ଥନୀତିର ପ୍ରାୟ ସବୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବାବେଳେ, ଚାଷୀର ପରିଶ୍ରମ ହିଁ ସଂଜୀବନୀ ସଦୃଶ ଅର୍ଥନୀତିକୁ ବଞ୍ଚାଇ ରଖିଛି। ତେଣୁ ଅନ୍ୟ ସବୁ କ୍ଷେତ୍ରରେ ରୋଜଗାରରେ ଯେପରି ବୃଦ୍ଧି ଘଟୁଛି, ତା ସହିତ ତାଳ ଦେଇ ଚାଷୀର ରୋଜଗାର ମଧ୍ୟ ବଢିବା ଉଚିତ ବୋଲି ରାଜ୍ୟ ସରକାର ମତ ରଖିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରୋଜଗାର ବଢିବା ଦରକାର। ଚାଷ କୁ ଲାଭଜନକ କରିବା ଏବଂ ଚାଷୀକୁ ସମସ୍ତ ପ୍ରକାର ଆଶଙ୍କାରୁ ସୁରକ୍ଷା ଦେବା ପାଇଁ କୃଷିଜାତ ଦ୍ରବ୍ୟ ଗୁଡିକ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ଏକ ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ ନେଇ ସ୍ଥିରୀକୃତ କରିବା ଆବଶ୍ୟକ ବୋଲି ରାଜ୍ୟ ସରକାର ଜଣାଇଛନ୍ତି।

Courtesy:sambad

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here